ଧରାପଡିଲା ମିଛ ପିଲା ଚୋରି ଅଭିଯୋଗ । ଝିଅ ଜନ୍ମ ହେଲା ବୋଲି ବିକି ଦେଲା ବାପା

242

କନକ ବ୍ୟୁରୋ : ଡାକ୍ତରଖାନାରେ ପିଲା ଚୋରି ହୋଇନଥିଲା ବରଂ ଝିଅଟିଏ ଜନ୍ମ ହେବା ପରେ ତାକୁ ବିକ୍ରି କରି ଦେଇଥିଲା ବାପା । ସୁବର୍ଣ୍ଣପୁର ହସ୍ପିଟାଲରେ ଶିଶୁ ନିଖୋଜ ମାମଲାରେ ଏମିତି ଏକ ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଶିଶୁଟିର ଆଇ ଛୁଆକୁ ନେଇ ଜଣେ ମହିଳାଙ୍କୁ ବିକ୍ରି କରିଦେଇଥିଲେ । ଆଉ ଏଥିରେ ପୂର୍ଣ୍ଣ ସହଯୋଗ କରିଥିଲେ ଶିଶୁ କନ୍ୟାର ବାପା । ଶିଶୁ ବିକ୍ରି ଓ ଅପହରଣ ମାମଲାରେ ଶିଶୁକନ୍ୟାର ଆଇ ଏବଂ ବାପାଙ୍କୁ ଗିରଫ କରିଛି ପୁଲିସ ।

ପୁରା ଘଟଣା ଥିଲା ଏମିତି, ବିରମହାରାଜପୁର ବ୍ଲକ ଷଣ୍ଢା ଗାଁର ଗଜେନ୍ଦ୍ର ତାଣ୍ଡିଆଙ୍କ ପତ୍ନୀ ସନ୍ତୋଷିନୀ ଶୁକ୍ରବାର ଦିନ ସୁବଣ୍ଣପୁର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଏକ ଶିଶୁକନ୍ୟାକୁ ଜନ୍ମ୍ନ ଦେଇଥିଲେ । ଶନିବାର ଦିନ ନବଜାତ ଶିଶୁ କନ୍ୟା ଚୋରି ହେବା ଘଟଣା ସାରା ଅଂଚଳରେ ଚର୍ଚ୍ଚା ବିଷୟ ହୋଇଥିଲା । ପୁଲିସ ପାଖରେ ଅଭିଯୋଗ ହେବା ପରେ ଛାନଭିନ୍ ଆରମ୍ଭ ହୋଇଥିଲା । ଗତକାଲି ସହର ଠାରୁ ୧୨ କିମି ଦୂର ଅର୍ଜୁନପୁର ଠାରୁ କନ୍ୟାଟି ଉଦ୍ଧାର ହୋଇଥିଲା । ଶିଶୁଟିକୁ ଏକ ଲୁଗାରେ ଘୋଡ଼ାଇ ସେଠାରେ ପକାଇ ଦିଆଯାଇଥିଲା । ଶିଶୁଟି ସୁସ୍ଥ ଥିବା ବେଳେ ତାକୁ ଏସଏନସିୟୁରେ ରଖାଯାଇଛି । ଏବଂ ଡାକ୍ତରଖାନାରୁ ମିଳିଥିବା ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରି ଶିଶୁ ଚୋରି ନୁହେଁ ବରଂ ବିକ୍ରି ହୋଇଥିବା ଜାଣିବାକୁ ପାଇଛି ପୁଲିସ ।

ଶିଶୁକନ୍ୟା ବାପା ଓ ଆଇ ଡାକ୍ତରଖାନାର ଟିକା କେନ୍ଦ୍ର ସମୁଖରେ ଜଣେ ମହିଳାଙ୍କ ସହ ବେଶ କିଛି ସମୟ କଥାବାର୍ତ୍ତା ହେଉଛନ୍ତି । କଥାବାର୍ତ୍ତା ପରେ ପାନ୍ତି ନିଜେ ଶିଶୁ କନ୍ୟାକୁ ସମ୍ପୃକ୍ତ ମହିଳଙ୍କୁ ଦେଉଛନ୍ତି । ସେହିପରି ଶିଶୁ କନ୍ୟାକୁ ଧରି ଫେରାର ଥିବା ମହିଳାଙ୍କୁ ଜଣେ ଯୁବକ ସହଯୋଗ କରିଛି । ସିସିଟିଭି ଫୁଟେଜରୁ ସେହି ଯୁବକର ଗତିବିଧି ଜଣାପଡ଼ୁଛି । ପୁରା ଘଟଣା ଜଣାପଡିବା ପରେ ଶିଶୁ ବିକ୍ରି ଓ ଅପହରଣ ମାମଲାରେ ଶିଶୁର ବାପା ଗଜେନ୍ଦ୍ର ଓ ଶିଶୁର ଆଇ ପାନ୍ତିଙ୍କୁ ଗିରଫ କରାଯାଇଛି ।