ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତି ପରେ ସବିତା ଆଚାର୍ଯ୍ୟଙ୍କ ପ୍ରତିକ୍ରିୟା: କହିଲେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସୁବିଧାକୁ ଦେବେ ଅଗ୍ରାଧିକାର

ଉତ୍କଳ ବିଶ୍ୱବିଦ୍ୟାଳୟ କିଭଳି ନାକ୍ ଏ++ ରାଙ୍କ ପାଇବ ସେଥିପାଇଁ କରିବେ ଉଦ୍ୟମ

116

କନକ ବ୍ୟୁରୋ: ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଜଣେ କର୍ମଯୋଗୀ ଭାବେ ନିଜ ଦାୟିତ୍ୱ ସଂପାଦନ କରିଛନ୍ତି । ଗୋଟିଏ ପଟେ ପତ୍ନୀ ସୁଶୀଳା ଦେବୀଙ୍କ ମରଶରୀର ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ଯାଉଥାଏ, ଏବଂ ଅନ୍ୟପଟେ ପ୍ରଫେସର ଗଣେଶୀଲାଲ୍ ନିଜ କର୍ତବ୍ୟ ସଂପାଦନ କରୁଥାନ୍ତି । ସୋମବାର ଥିଲା ୬ଟି ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତିର ଦିନ । ଏଥିପାଇଁ ସକାଳ ୧୧ଟାରେ ରାଜଭବନରେ ସାକ୍ଷାତକାର ପାଇଁ ସମୟ ଧାର୍ଯ୍ୟ ହୋଇଥିଲା । ଇତି ମଧ୍ୟରେ ରବିବାର ରାତିରେ ରାଜ୍ୟର ପ୍ରଥମ ମହିଳା ତଥା ରାଜ୍ୟପାଳଙ୍କ ପତ୍ନୀ ସୁଶୀଳା ଦେବୀ ଶେଷ ନିଶ୍ୱାସ ତ୍ୟାଗ କଲେ । କୋଭିଡ ପରବର୍ତି ଜଟିଳ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ସୁଶୀଳା ଦେବୀଙ୍କର ମୃତ୍ୟୁ ହୋଇଗଲା ।

ଗୋଟିଏ ପଟେ ରାଜକାର୍ଯ୍ୟ ଥିଲା ଏବଂ ଅନ୍ୟପଟେ ସବୁଠାରୁ ବଡ ବ୍ୟକ୍ତିଗତ ଦୁଃଖ ଥିଲା । କିନ୍ତୁ ତା ପରେ ବି ପ୍ରଫେସର ଗଣେଶୀ ଲାଲ ନିଜ କାର୍ଯ୍ୟ ଠିକ ଭାବରେ ତୁଳାଇ ପାରିଥିଲେ । ସାକ୍ଷାତକାର ପାଇଁ ଆସିଥିବା ପ୍ରାର୍ଥୀଙ୍କୁ ପ୍ରଶ୍ନ ଦେଇଥିଲେ, ଏବଂ ସେମାନେ ଲେଖିବା ପରେ ଏହି ଉତର ଓ ତାଙ୍କ ବାୟୋଡାଟା ନିଜେ ରାଜ୍ୟପାଳ ଯାଂଚ କରିଥିଲେ । ଏହାପରେ ୬ ଜଣଙ୍କୁ ନିଯୁକ୍ତି ଦିଆଯାଇଥିଲା । ପ୍ରଫେସର ସବିତା ଆଚାର୍ଯ୍ୟଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ଦିଆଯାଇଥିଲା । ସେହିପରି ପ୍ରଫେସର ଅପରାଜିତା ଚୌଧୁରୀଙ୍କୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଫକୀରମୋହନ ବିଶ୍ୱବିଦ୍ୟାଳୟ ପାଇଁ ପ୍ରଫେସର ଦୀନବନ୍ଧୁ ସାହୁ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପାଇଁ ପ୍ରଫେସର ଏନ୍. ନାଗାରାଜୁଙ୍କୁ ଦାୟିତ୍ୱ ଦିଆଯାଇଛି । ଉତର ଓଡିଶା ବିଶ୍ୱବିଦ୍ୟାଳୟର କୁଳପତି ଭାବେ ପ୍ରଫେସର କିଶୋର କୁମାର ବାସା, ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତିଙ୍କୁ ନିଯୁକ୍ତି ଦିଆଯାଇଛି ।

ଉତ୍କଳ ବିଶ୍ୱବିଦ୍ୟାଳୟର ନୂଆ କୂଳପତି ନିଯୁକ୍ତି ପାଇବା ପରେ କନକ ନ୍ୟୁଜ୍କୁ ସ୍ୱତନ୍ତ୍ର ପ୍ରତିକ୍ରିୟା ଦେଇଛନ୍ତି ପ୍ରଫେସର ସବିତା ଆଚାର୍ଯ୍ୟ । କହିଛନ୍ତି, ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ହେଉଛନ୍ତି ସର୍ବସ୍ୱ । ସେମାନଙ୍କ ସୁରକ୍ଷା ଓ ସୁବିଧାକୁ ଅଗ୍ରାଧିକାର ଦେବେ । ଏଥିସହ ଉତ୍କଳ ବିଶ୍ୱବିଦ୍ୟାଳୟ କିଭଳି ନାକ୍ ଏ++ ରାଙ୍କ ପାଇବ ସେଥିପାଇଁ ଉଦ୍ୟମ କରିବେ ।