କନକ ବ୍ୟୁରୋ: ମୂଷା କାମୁଡାରେ କ୍ଷତବିକ୍ଷତ ହୋଇଛି ୪ ଦିନର ନବଜାତ ଶିଶୁ । ଫଳରେ ଶିଶୁଟିର ଅବସ୍ଥା ଗୁରୁତର ହୋଇପଡିଛି । ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି ଝାଡଖଣ୍ଡର ଏକ ସରକାରୀ ହସ୍ପିଟାଲରେ । ଏଠିକାର ଗିରିତିହର ଏକ ସରକାରୀ ହସ୍ପିଟାଲରେ ଏକ ନବଜାତ ଶିଶୁ ଗୋଡ ଓ ଅନ୍ୟାନ୍ୟ ଅଙ୍ଗପ୍ରତ୍ୟଙ୍ଗକୁ ମୂଷା କାମୁଡି କ୍ଷତାକ୍ତ କରିଦେଇଥିବା ଜାଣିବାକୁ ମିଳିଛି ।
ଏ ବିଷୟରେ ଜଣାପଡିବା ପରେ ୨ ଆଉଟସୋର୍ସ କର୍ମଚାରୀଙ୍କୁ ଡ୍ୟୁଟିରୁ ନିଲମ୍ବିତ କରାଯାଇଛି । ନବଜାତ ଶିଶୁ କନାର ଅବସ୍ଥା ଗୁୁରୁତର ହୋଇପଡିବାରୁ ତାକୁ ସହିଦ ନିର୍ମଳ ମହତୋ ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥନାନ୍ତର କରାଯାଇଛି । ଏବେ ଶିଶୁର ଅବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତ ।
ନବଜାତ ଶିଶୁ କନ୍ୟାର ମା’ଙ୍କ କହିବା ମୁତାବକ, ହସ୍ପିଟାଲର ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ୱାର୍ଡକୁ ଯେତେବେଳେ ଶିଶୁକୁ ସେ ଦେଖିବାକୁ ଯାଇଥିଲେ ସେତେବେଳେ ତା’ ଆଣ୍ଠୁରେ ଏକାଧିକ ଖଣ୍ଡିଆ ହୋଇଥିବା ଦେଖିବାକୁ ପାଇଥିଲେ । ଏପ୍ରିଲ ୨୯ ତାରିଖରେ ଶିଶୁର ଜନ୍ମ ହୋଇଥିଲା । ଜନ୍ମ ପରେ ତା’ର ନିଃଶ୍ୱାସ ନେବାରେ ଅସୁବିଧା ହେଉଥିବାରୁ ତାକୁ ଏସସିଏଚରେ ଭର୍ତ୍ତି କରାଯାଇଥିଲା । ଜିଲ୍ଲା ପ୍ରଶାସନ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଓ ଡ୍ୟୁଟିରେ ମୁତୟନ ଥିବା ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଛନ୍ତି ।
Follow Us