ଅଲୋଡ଼ା ଝିଅର ଅଲୌକିକ କାହାଣୀ ! ମାଟି ତଳେ ପୋତି ହେବା ସତ୍ୱେ ପାଇଲା ନୂଆ ଜୀବନ

66

କନକ ବ୍ୟୁରୋ : ଚିକିତ୍ସା ବିଜ୍ଞାନରେ ଯାହା ଅସମ୍ଭବ ତାହା ନିଶ୍ଚିତ ଅଲୌକିକ । ଯମ କୋଳରୁ ଫେରିଆସିଲା ଯାଜପୁରର ଝିଅ । ମାଟିତଳୁ ଜୀବନ୍ତ ଉଦ୍ଧାର ହୋଇଛି ଏକ ଶିଶୁକନ୍ୟା । ଆଉ ଆଶ୍ଚର୍ଯ୍ୟଜନକ ଭାବେ ଶିଶୁଟି ଦୀର୍ଘ ସମୟ ପୋତିହୋଇ ରହିବା ସତ୍ୱେ ଜୀବନ ଧରି ଫେରିଆସିଛି । ସେଇଥିପାଇଁ କଥାରେ କୁହାଯାଇଛି, ରଖେ ହରି ତ ମାରେ କିଏ ? ଶ୍ୟାମସୁନ୍ଦରପୁରର ଏହି ଘଟଣା ଆଜି ସାରା ରାଜ୍ୟରେ ଚାଂଚଲ୍ୟ ସୃଷ୍ଟି କରିଛି । ଡାକ୍ତିରୀ ବିଜ୍ଞାନରେ ଯାହା ଅସମ୍ଭବ ତାହା ସମ୍ଭବ ହୋଇଛି ଜଣେ ସ୍କୁଲ ପିଲାଙ୍କ ପାଇଁ ।

ଶିଶୁଟିକୁ ଦେଖିବା ପରେ ତତକ୍ଷଣାତ ଆମ୍ବୁଲାନ୍ସରେ ଧରି ଧର୍ମଶାଳା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ନେଇ ଆସିଥିଲେ ଶ୍ୟାମସୁନ୍ଦରପୁରର ଆଶାକର୍ମୀ । ଏଠାରେ ତାର ପ୍ରାଥମିକ ଚିକିତ୍ସା କରାଯାଇଛି । ଶିଶୁଟି ଏବେ ସୁସ୍ଥ ଥିବା ଜଣାପଡିଛି । ଏନେଇ ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦେବା ସହ ସିଡବ୍ଲୁସିକୁ ଜଣାଇ ଦିଆଯାଇଥିବା କହିଛନ୍ତି ଧର୍ମଶାଳା ହସ୍ପିଟାଲ କର୍ତୃପକ୍ଷ ।

ଏଭଳି ସମ୍ବେଦନଶୀଳ ଘଟଣା ପରେ ଅନେକ ପ୍ରଶ୍ନ ସାମ୍ନାକୁ ଆସୁଛି । କାହିଁକି ଅଲୋଡା ହୋଇପଡୁଛନ୍ତି ଆମ ସମାଜରେ ଶିଶୁ କନ୍ୟା ? କେତେ ସମ୍ବେଦନହୀନ ସେହି ବ୍ୟକ୍ତି ଯିଏ ନବଜାତକକୁ ମାଟିରେ ପୋତିଦେଲେ? ଏଭଳି ଅମାନବୀୟ କାଣ୍ଡ ପଛରେ କ’ଣ କାରଣ ଥାଇପାରେ? ଜୀଅନ୍ତା ଝିଅଟିକୁ ମରିବା ପାଇଁ ମାଟିରେ ପୋତିଦେବା କେତେଦୂର ସମିଚୀନ?