ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ଶିଶୁ ଚୋରି ଘଟଣା । ଶିଶୁର ବାପା ଓ ଆଇକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ  

109

କନକ ବ୍ୟୁରୋ : ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ଏକ ନବଜାତ ଶିଶୁ କନ୍ୟା ଶନିବାର ଚୋରିହେବା ଘଟଣା ଅଂଚଳରେ ଚର୍ଚ୍ଚା ବିଷୟ ହୋଇଥିଲା । ରବିବାର ଦିନ  ସହର ଠାରୁ ୧୨ କିମି ଦୂର ଅର୍ଜୁନପୁର ଠାରୁ କନ୍ୟାଟି ଉଦ୍ଧାର ହୋଇଥିଲା । ଶିଶୁଟିକୁ ଏକ ଲୁଗାରେ ଘୋଡ଼ାଇ ସେଠାରେ ପକାଇ ଦିଆଯାଇଥିଲା । ଶିଶୁଟି ସୁସ୍ଥ ଥିବା ବେଳେ ତାକୁ ଏସଏନସିୟୁରେ ରଖାଯାଇଛି । ଏହି ଘଟଣାରେ ପୋଲିସ ଶିଶୁଟିର ବାପା ଗଜେନ୍ଦ୍ର ତାଣ୍ଡିଆ ଏବଂ ଆଇ ପାନ୍ତି ଜାଲଙ୍କୁ ଅଟକ ରଖି ପଚରା ଉଚରା କରୁଛି ।

ତେବେ ବିରମହାରାଜପୁର ବ୍ଲକ ଷଣ୍ଢା ଗାଁର ଗଜେନ୍ଦ୍ର ତାଣ୍ଡିଆଙ୍କ ପତ୍ନୀ ସନ୍ତୋଷିନୀ ସୁବଣ୍ଣପୁର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଶୁକ୍ରବାର ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ । ଶନିବାର ସକାଳେ ଜଣେ ମହିଳା ଶିଶୁଟିକୁ ଟିକା ଦେବା ବାହାନାରେ ନବଜାତ ଶିଶୁ କନ୍ୟାକୁ ଚୋରି କରିନେଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଜାରି ରଖିଛି ।

ସିସିଟିଭି ଫୁଟେଜ ଆଧାରରେ ଗଜେନ୍ଦ୍ରଙ୍କ ଶାଶୁ ପାନ୍ତିଙ୍କ ସହ ଶିଶୁକନ୍ୟା ଧରି ଫେରାର ଥିବା ମହିଳ ଟିକା କେନ୍ଦ୍ର ସମୁଖରେ ବେଶ କିଛି ସମୟ କଥାବାର୍ତ୍ତା ହେଉଛନ୍ତି । କଥାବାର୍ତ୍ତା ପରେ ପାନ୍ତି ନିଜେ ଶିଶୁ କନ୍ୟାକୁ ସମ୍ପୃକ୍ତ ମହିଳଙ୍କୁ ଦେଉଛନ୍ତି । ସେହିପରି ଶିଶୁ କନ୍ୟାକୁ ଧରି ଫେରାର ଥିବା ମହିଳାଙ୍କୁ ଜଣେ ଯୁବକ ସହଯୋଗ କରିଛି । ସିସିଟିଭି ଫୁଟେଜରୁ ସେହି ଯୁବକର ଗତିବିଧି ଜଣାପଡ଼ୁଛି । ଏହି ଘଟଣାରେ ବାପା ଗଜେନ୍ଦ୍ର ଓ ଆଇ ପାନ୍ତିଙ୍କୁ ଅଟକ ରଖି ପଚରା ଉଚରା କରାଯାଉଛି ।