ନବରଙ୍ଗପୁରରୁ ଆସିଲା ଅଭାବନୀୟ ଖବର । ଅଳିଆ ଗଦାରୁ ଉଦ୍ଧାର ହେଲା ନବଜାତ ଶିଶୁପୁତ୍ର । ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କେଲ ସ୍ଥାନୀୟ ମହିଳା ।

113

କନକ ବ୍ୟୁରୋ: ପିଲାଟିଏ ପାଇଁ କିଏ କେତେ ଦିଅଁ ଦେବତାଙ୍କୁ ପୂଜା କରନ୍ତି । ଡାକ୍ତରଙ୍କ ପାଖକୁ ଯାଇ ଚିକିତ୍ସା ବାବଦରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି । ବାପା-ମାଆ ହେବା ପାଇଁ ବ୍ୟାକୁଳ ହୋଇ ଚାହିଁଥାନ୍ତି । ହେଲେ ନବରଙ୍ଗପୁରରୁ ଆସିଛି ଏକ ଅଭାବନୀୟ ଖବର । ସେଠାରେ ଏକ ଅଳିଆ ଗଦାରୁ ଉଦ୍ଧାର ହୋଇଛି ଏକ ନବଜାତ ଶିଶୁପୁତ୍ର । କିଏ ହୁଏତ ନିଜ ପାପ ଲୁଚାଇବାକୁ ଏମିତି କରିଥାଇ ପାରେ ବୋଲି ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି । ତେବେ, କି ଦୋଷ କରିଥିଲା ଏହି ନିଷ୍ପାପ ଶିଶୁ? କାହିଁକି ଜନ୍ମ ହେଉ ହେଉ ତାକୁ ଫିଙ୍ଗି ଦିଆଗଲା ଅଳିଆ ଗଦାରେ ..

ଚାରିଆଡେ ବିଛାଡି ହୋଇ ପଡିଛି ଅଳିଆ । ଅଳିଆ ଗଦାରେ ପଡିଥିବା ଏକ ନାଲି ଜରି ଅଖାରେ ମିଳିଛି ଏକ ନବଜାତ ଶିଶୁପୁତ୍ର । କେହି ତାକୁ ଫିଙ୍ଗି ଦେଇଯାଇଛି ବୋଲି କୁହାଯାଉଥିବାବେଳେ, କିଏ ସେହି ହୃଦୟହୀନ ମଣିଷ, କେମିତି ଏମିତି କରିବାକୁ ତା ହାତ ଗଲା, ତା’ ଜଣାପଡିନି, କିନ୍ତୁ ସନ୍ଦେହ କରାଯାଉଛି କୌଣସି ପାପକୁ ଲୁଚାଇବା ପାଇଁ ଶିଶୁଟିକୁ ଆଣି ଏଠାରେ ଫିଙ୍ଗି ଦେଇଯାଇଛି ।

ନବରଙ୍ଗପୁର ଜିଲ୍ଲା ଉମରକୋଟ୍ ପୌରାଂଚଳ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ପଛପଟୁ ଏକ ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ମହିଳା । ମହିଳା ଜଣଙ୍କ ଅଳିଆ ଗଦାରେ ପାଣି ଫିଙ୍ଗିବାକୁ ଆସିଥିବା ବେଳେ ଶିଶୁର କାନ୍ଦ ଶୁଣିଥିଲେ । ପରେ ସ୍ଥାନୀୟ ଲୋକଙ୍କୁ ଡାକି ଶିଶୁଟିକୁ ଉଦ୍ଧାର କରି ଉମରକୋଟ୍ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଛନ୍ତି । ଶିଶୁଟି ସଂପୂର୍ଣ୍ଣ ସୁସ୍ଥ ହୋଇଗଲେ ତାକୁ ସିଡବ୍ଲୁସିକୁ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି ଚିିକିତ୍ସା କରୁଥିବା ଡାକ୍ତର ସନ୍ତୋଷ କୁମାର ପଣ୍ଡା ।ତେବେ ଏହା ପଛର କାରଣ ଖୋଜି, ସଂପୃକ୍ତ ବ୍ୟକ୍ତିଙ୍କୁ ଉପଯୁକ୍ତ ଦଣ୍ଡ ଦେବାକୁ ଦାବି ହୋଇଛି । ଏହାସହ ଶିଶୁଟିକୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାରୁ ପ୍ରଶାସନ ପାଖରେ ନିବେଦନ କରିଛନ୍ତି ସ୍ଥାନୀୟ ବାସିନ୍ଦା ।