କରୋନାକୁ ହରାଇଲା କୁନି ଶିଶୁ । ନବଜାତ ଶିଶୁକୁ କୋଭିଡରୁ ସୁସ୍ଥ କଲେ ସମ୍ ଅଲ୍ଟିମେଟ୍ ମେଡିକେୟାରର ଡାକ୍ତର ।

198

କନକ ବ୍ୟୁରୋ : କୋଭିଡ୍ ପଜିଟିଭ୍ ମା’ଙ୍କ ଠାରୁ ଜନ୍ମ ଗ୍ରହଣ କରିବା ପରେ କରୋନା ସଂକ୍ରମିତ ହୋଇଥିବା ମାତ୍ର ୧ ସପ୍ତାହର ନବଜାତ ଶିଶୁକୁ ସୁସ୍ଥ କଲେ ସମ୍ ଅଲ୍ଟିମେଟ୍ ମେଡିକେୟାରର ଡାକ୍ତର । ଏକ ଘରୋଇ ଡାକ୍ତରଖାନାରେ ଜନ୍ମନେଇଥିବା ଶିଶୁଟି ମାଙ୍କ ଠାରୁ କୋଭିଡ ସଂକ୍ରମିତ ହୋଇ ଗୁରୁତର ଅବସ୍ଥାରେ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଭର୍ତି ହୋଇଥିଲା । ଡାକ୍ତରମାନେ ତାର ଜୀବନ ରକ୍ଷା କରିବା ପାଇଁ ଆପ୍ରାଣ ଉଦ୍ୟମ କରିବା ସହ ଉତମ ଚିକିତ୍ସା ପ୍ରଦାନ କରି ଶିଶୁଟିକୁ ସୁସ୍ଥ କରିପାରିଛନ୍ତି ।

୩୩ ସପ୍ତାହ ଗର୍ଭବତୀ ଥିବା କୋଭିଡ୍ ପଜିଟିଭ ଚିହ୍ନଟ ହୋଇଥିବା ମା ଠାରୁ ଶିଶୁଟି ଜନ୍ମ ଗ୍ରହଣ କରିଥିଲା । ଶିଶୁଟି ଜନ୍ମ ହେବାପରେ କାନ୍ଦିଥିଲା ଏବଂ ତାକୁ ମା ନିକଟକୁ ଅଣାଯାଇଥିଲା । ତେବେ ଏହାର ଦ୍ୱିତୀୟ ଦିନରେ ମା’ଙ୍କର ଅବସ୍ଥା ଗୁରୁତର ହୋଇପଡ଼ିଥିଲା, ସେପଟେ ଶିଶୁଟି ମଧ୍ୟ ଅସୁସ୍ଥ ହେବା ସହ ତାକୁ ନିଶ୍ୱାସ ନେବାରେ ସମସ୍ୟା ସୃଷ୍ଟି ହୋଇଥିଲା ଏବଂ ତାକୁ ତୁରନ୍ତ ଏନଆଇସିୟୁରେ ଭର୍ତି କରାଯାଇଥିଲା ।

ମା’ କୁ ତୁରନ୍ତ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଭର୍ତି କରାଯାଇ ଭେଂଟିଲେଟରରେ ରଖାଯାଇଥିଲା । ଶିଶୁଟିର ଅବସ୍ଥା ମଧ୍ୟ ଗୁରୁତର ହୋଇପଡ଼ିବାରୁ ତାକୁ ମଧ୍ୟ ସମ୍ ଅଲ୍ଟିମେଟ୍ ଅଣାଯାଇଥିଲା । ହସ୍ପିଟାଲର ପେଡିୟାଟ୍ରିକ ଓ ନିଓନଟୋଲୋଜି ବିଭାଗର ଆସୋସିଏଟ କନସଲଟାଂଟ ଡ. ବିଚିତ୍ରାନନ୍ଦ ରାଉତ ଏବଂ ତାଙ୍କ ଟିମ୍ ଶିଶୁଟିର ଚିକିତ୍ସା ଆରମ୍ଭ କରିବା ସହ ପରୀକ୍ଷା ନିରୀକ୍ଷା କରିଥିଲେ । ତେବେ କୋଭିଡ ସଂକ୍ରମଣ ହେବାପରେ ଶିଶୁମାନଙ୍କ କ୍ଷେତ୍ରରେ ନିଓନାଟାଲ ମଲ୍ଟିସିଷ୍ଟମ ଇନଫ୍ଲାମାଟୋରୀ ସିଣ୍ଡ୍ରୋମ ଭଳି ବିରଳ ଅବସ୍ଥା ଏହି ଶିଶୁଠାରେ ଦେଖାଦେଇଥିବା ଜଣାପଡ଼ିଥିଲା ।