ରସ୍ ଟେଲରଙ୍କ ଲଢୁଆ ଶତକ । ପ୍ରଥମ ଦିନିକିଆରେ ଭାରତକୁ ୪ ୱିକେଟରେ ପରାସ୍ତ କଲା ନ୍ୟୁଜିଲାଣ୍ଡ ।

803

କନକ ବ୍ୟୁରୋ : ହାମିଲଟନ(ନ୍ୟୁଜିଲାଣ୍ଡ)ର ସେଡନ ପାର୍କଠାରେ ଚାଲିଥିବା ଭାରତ ନ୍ୟୁଜିଲାଣ୍ଡ ଏକଦିବସୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଭାରତକୁ ୪ ଓ୍ଵିକେଟରେ ପରାସ୍ତ କରିଛି । ଅଭିଜ୍ଞ ବ୍ୟାଟ୍ସମ୍ୟାନ ରସ ଟେଲରଙ୍କ ଲଢୁଆ ଶତକ ବଳରେ ନ୍ୟୁଜିଲାଣ୍ଡ ଏହି ବିଜୟ ହାସଲ କରିବା ସହ ସିରିଜରେ ୧-୦ରେ ଅଗୁଆ ରହିଛି ।

ଭାରତ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ବିଶାଳ ୩୪୮ ରନ ଲକ୍ଷ୍ୟର ପିଛା କରୁଥିବା ନ୍ୟୁଜିଲାଣ୍ଡର ଦୁଇ ଓପନର ମାର୍ଟିନ ଗପ୍ଟିଲ ଓ ହେନେରୀ ନିକୋଲସ ଦଳକୁ ଏକ ଦୃଢ ମୂଳଦୂଆ ପ୍ରଦାନ କରିଥିଲେ । ନିକୋଲସ ୭୮ ଓ ଗପ୍ଟିଲ ୩୨ରନ କରିଥିଲେ । ଟମ ଲିଥାମ ୬୯ ରନର ଯୋଗଦାନ ଦେଇଥିଲେ । ଭାରତ ପକ୍ଷରୁ କୁଳଦୀପ ଯାଦବ ୨ଟି, ମହମ୍ମଦ ସାମି ଓ ଶାର୍ଦ୍ଦୁଲ ଠାକୁର ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଥିଲେ ।

ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ଦଳ ଟସ ଜିଣି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୪ ଓ୍ଵିକେଟ ହରାଇ ୩୪୭ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଶ୍ରେୟାସ ଆୟାର ୧୦୩ ରନ, ଲୋକେଶ ରାହୁଲ ୮୮ ରନ ଓ ଅଧିନାୟକ ବିରାଟ କୋହଲି ୫୧ ରନ କରିଥିଲେ । ଦୁଇ ଓପନର ପୃଥ୍ୱୀ ସ ଓ ମୟଙ୍କ ଅଗ୍ରଓ୍ଵାଲ ଯଥାକ୍ରମେ ୨୦ ଓ ୩୨ ରନ କରିଥିଲେ ।