ଟିମ୍ ଇଣ୍ଡିଆର ସେମିଫାଇନାଲ ଆଶା ମଉଳିଲା । ଆଫଗାନିସ୍ତାନକୁ ହରାଇ ସେମିଫାଇନାଲରେ ପହଞ୍ଚିଲା ନ୍ୟୁଜିଲାଣ୍ଡ

294

କନକ ବ୍ୟୁରୋ: ଟି-୨୦ ବିଶ୍ୱକପର ଲିଗ୍ ପର୍ଯ୍ୟାୟ ଶେଷ ହେବା ପରେ ଘର ବାହୁଡିବେ ଟିମ୍ ଇଣ୍ଡିଆର ଖେଳାଳି । ଆଜି ନ୍ୟୁଜିଲାଣ୍ଡ-ଆଫଗାନିସ୍ତାନ ମ୍ୟାରେ କିୱି ଦଳ ଜିତାପଟ ହାସଲ କରି ସେମିଫାଇନାଲରେ ପହଞ୍ଚିବା ପରେ, ଟିମ୍ ଇଣ୍ଡିଆର ସେମିଫାଇନାଲ ଆଶା ମଉଳିଯାଇଛି । ତେବେ ପାକିସ୍ତାନ ପରେ ଗ୍ରୁୁପ-୨ରୁ ଦ୍ୱିତୀୟ ଦଳ ଭାବେ ସେମିଫାଇନାଲରେ ପହଞ୍ଚିଛି ନ୍ୟୁଜିଲାଣ୍ଡ । ଆଉ  ଏହି ବିଜୟ ସହିତ ଭାରତ, ଆଫଗାନିସ୍ତାନ,ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ୍, ବାଂଲାଦେଶ ଭଳି ଦଳ ଚଳିତ ବିଶ୍ୱକପର ଲିଗ୍ ପର୍ଯ୍ୟାୟରୁ ବିଦାୟ ନେଇଛନ୍ତି ।

ଆଜି ନ୍ୟୁଜିଲାଣ୍ଡ ସାମ୍ନାରେ ବିଜୟ ପାଇଁ ୧୨୬ ରନ୍ ଧାର୍ଯ୍ୟ କରିଥିଲା ଆଫଗାନିସ୍ତାନ । ଯାହାକୁ ନ୍ୟୁଜିଲାଣ୍ଡ ମାତ୍ର୨ ୱିକେଟ୍ ହରାଇ ହାସଲ କରିନେଇଛି । ତେବେ ଏହି ବିଜୟ ସହିତ ନ୍ୟୁଜିଲାଣ୍ଡ ସେମିଫାଇନାଲ ଟିକେଟ୍ ମଧ୍ୟ ହାତେଇଛି । ଏହି ମ୍ୟାଚକୁ ପ୍ରତିଟି ଭାରତୀୟ ଫ୍ୟାନ୍ ଚାତକ ଭଳି ଚାହିଁ ରହିଥିଲେ । ଆଜିର ମ୍ୟାଚରେ ଆଫଗାନିସ୍ତାନ ବିଜୟୀ ହୋଇଥିଲେ , ଟିମ୍ ଇଣ୍ଡିଆ ଶେଷ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲ ଯିବାର ସୁଯୋଗ ରହିଥାନ୍ତା । ହେଲେ ଏହି ମ୍ୟାଚର ବିଜୟ ଟିମ୍ ଇଣ୍ଡିଆ ଓ ନାମିମ୍ବିଆ ମ୍ୟାଚକୁ କେବଳ ଔପଚାରିକ ମ୍ୟାଚରେ ବଦଳାଇ ଦେଇଛି ।

ବିଶ୍ୱକପ୍ ସେମିଫାଇନାଲ ଲାଇନ୍ ଅପ୍ ଏବେ ଚୂଡାନ୍ତ ହୋଇଯାଇଛି । ଗ୍ରୁପ-୧ରୁ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିବାବେଳେ, ଗ୍ରୁପ-୨ରୁ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ସେମିଫାଇନାଲରେ ପହଞ୍ଚିଛନ୍ତି । ତେବେ ଚଳିତଥର ବିଶ୍ୱକପ୍ ଲିଗ୍ ପର୍ଯ୍ୟାୟରୁ ଟିମ୍ ଇଣ୍ଡିଆ ବିଦାୟ ନେବା ପକ୍କା ହୋଇଛି ।