ସେମିଫାଇନାଲରେ ହାରି ବିଶ୍ୱକପରୁ ବିଦାୟ ନେଲା ଟିମ୍ ଇଣ୍ଡିଆ । ଫାଇନାଲରେ ନ୍ୟୁଜିଲାଣ୍ଡ ।

474

କନକ ବ୍ୟୁରୋ : ବିଶ୍ୱକପ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଠାରୁ ୧୮ ରନରେ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଲା ଟିମ୍ ଇଣ୍ଡିଆ । ଆଉ ଏହାସହ ଭାରତର ବିଶ୍ୱକପ ଫାଇନାଲ ଖେଳିବା ସ୍ୱପ୍ନ ମଧ୍ୟ ଚୁରମାର ହୋଇଛି । ଶେଷ ପର୍ଯ୍ୟନ୍ତ ଲଢେଇ କରିଥିଲେ ମଧ୍ୟ ବିଜୟଲକ୍ଷ୍ୟ ଠାରୁ ୧୮ ରନ ଦୂରରେ ରହିଯାଇଥିଲା ବିରାଟ ବାହିନୀ । ଆଉ ଏହାସହ ପ୍ରଥମ ଦଳ ଭାବେ ବିଶ୍ୱକପ ଫାଇନାଲ ଟିକେଟ ହାତେଇଛି ନ୍ୟୁଜିଲାଣ୍ଡ ।

୨୪୦ ରନର ଟାର୍ଗେଟକୁ ପିଛା କରୁଥିବା ଟିମ୍ ଇଣ୍ଡିଆ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ମାତ୍ର ୪ ରନରେ ଦଳର ଟପ୍ ଅର୍ଡର ବ୍ୟାଟସମ୍ୟାନ୍ ପ୍ୟାଭିଲିୟନ ଫେରିଥିଲେ । ଆଉ ଏହାପରେ ଟିମ୍ ଇଣ୍ଡିଆର ବ୍ୟାଟିଂ ଲାଇନ୍ ଅପ ଭୁଷୁଡି ପଡିଥିଲା । ତେବେ ଶେଷ ଆଡକୁ ଧୋନି ଓ ଜାଡେଜା ବିଜୟ ପାଇଁ ଲଢିଥିଲେ ମଧ୍ୟ ଏହା ଯଥେଷ୍ଟ ନଥିଲା । ୪୯.୩ ଓଭରରରେ ୨୨୧ ରନ୍ କରିବା ସହ ପ୍ୟାଭିଲିୟନ ଫେରିଥିଲା ପୂରା ଟିମ୍ ।

ଏହାପୂର୍ବରୁ ଗତକାଲି ନ୍ୟୁଜିଲାଣ୍ଡ ବ୍ୟାଟିଂ କରି ୪୬.୧ ଓଭରରେ ୨୧୧ ରନ୍ କରିଥିବା ବେଳେ ବର୍ଷା ବାଧକ ସାଜିଥିଲା । ଆଉ ବର୍ଷା କାରଣରୁ ମ୍ୟାଚ୍ ସମ୍ଭବପର ହୋଇନପାରିବାରୁ ଏହାକୁ ରିର୍ଜଭ ଡେକୁ ଘୁଞ୍ଚାଇଦିଆଯାଇଥିଲା । ଆଉ ଆଜି ନ୍ୟୁଜିଲାଣ୍ଡ ବଳକା ଓଭର ଖେଳି ୮ ୱିକେଟ୍ ବିନିମୟରେ ୨୩୯ ରନ୍ କରିବାକୁ ସକ୍ଷମ ହୋଇଥିଲା । କିନ୍ତୁ ନ୍ୟୁଜିଲାଣ୍ଡ ଦେଇଥିବା ସହଜ ବିଜୟ ଲକ୍ଷ୍ୟକୁ ହାସଲ କରିନପାରି ବିଶ୍ୱକପରୁ ବିଦା ହୋଇଥିଲା ଟିମ୍ ଇଣ୍ଡିଆ । ଆଉ ଏହାସହ ଟିମ୍ ଇଣ୍ଡିଆର ବିଶ୍ୱବିଜୟୀ ହେବାର ସ୍ୱପ୍ନ ଧୂଳିସାତ୍ ହୋଇଛି ।