ଟି-୨୦ ବିଶ୍ୱକପ୍ ସେମିଫାଇନାଲ: ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ନ୍ୟୁଜିଲାଣ୍ଡ । 

81

କନକ ବ୍ୟୁରୋ: କିଏ ପହଞ୍ଚିବ ବିଶ୍ୱକପ୍ ଫାଇନାଲରେ ? ଫାଇନାଲ ଟିକେଟ୍ ପାଇଁ ଆଜି ବିଶ୍ୱକପ୍ ସେମିଫାଇନାଲରେ ମୁହାଁମୁହିଁ ହେଉଛନ୍ତି ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ । ତେବେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ନ୍ୟୁଜିଲାଣ୍ଡ । ଫଳରେ ବ୍ୟାଟିଂ କରିବାକୁ ପ୍ରଥମେ ପଡିଆକୁ ଓହ୍ଲାଇବ ଇଂଲଣ୍ଡ ଦଳ । ତେବେ ଆଜିର ମ୍ୟାଚରେ ବିଜୟୀ ହୋଇଥିବା ଦଳ ଟି-୨୦ ବିଶ୍ୱକପ୍ ଫାଇନାଲରେ ପ୍ରବେଶ କରିବ । ଯେଉଁ କାରଣରୁ ଏହି ମ୍ୟାଚ୍ ବେଶ ସଂଘର୍ଷପୂର୍ଣ୍ଣ ହେବ ବୋଲି ଅନୁମାନ କରାଯାଉଛି ।

୨୦୧୯ ଦିନିକିଆ ବିଶ୍ୱକପ୍ ଫାଇନାଲ ପରାଜୟର ପ୍ରତିଶୋଧ ନେବାକୁ ପଡ଼ିଆକୁ ଓହ୍ଲାଇବ ନ୍ୟୁଜିଲାଣ୍ଡ ଦଳ । ତେଣୁ ଆଜିର ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ହୋଇପାରେ । ନ୍ୟୁଜିଲାଣ୍ଡ ଟିମ୍ର ଖେଳାଳିମାନେ ଫର୍ମରେ ଅଛନ୍ତି । ପେସ୍ ବୋଲର ଟ୍ରେଣ୍ଟ ବୋଲ୍ଟ ସୁପର-୧୨ ରାଉଣ୍ଡରେ ସର୍ବାଧିକ ୧୧ଟି ୱିକେଟ୍ ନେଇଛନ୍ତି । ଟିମ୍ ସାଉଦି ମଧ୍ୟ ଭଲ ଫର୍ମରେ ଅଛନ୍ତି । ଅନ୍ୟପଟେ ଇଂଲଣ୍ଡ ଆହତ ସମସ୍ୟା ଦେଇ ଗତି କରୁଛି । ପେସ୍ ବୋଲର ତିମାଲ ମିଲ୍ସ ଏବଂ ଓପନିଂ ବ୍ୟାଟ୍ସମ୍ୟାନ୍ ଜସନ୍ ରୟ ଆହତ ହୋଇ ବାଦ ପଡ଼ିଛନ୍ତି । ଏହାବାଦ୍ ବି ନ୍ୟୁଜିଲାଣ୍ଡକୁ ହରାଇବା ପାଇଁ ଇଂଲଣ୍ଡ ନିକଟରେ କ୍ଷମତା ରହିଛି । ଟି-୨୦ ଫର୍ମାଟ୍ରେ ଉଭୟ ଦଳ ପରସ୍ପରକୁ ୨୧ ଥର ଭେଟିଛନ୍ତି । ଏଥିରୁ ଇଂଲଣ୍ଡ ୧୨ଟି ମ୍ୟାଚ୍ ଜିତିଥିବା ବେଳେ ୭ଟି ମ୍ୟାଚ୍ରେ ପରାଜିତ ହୋଇଛି ।