୧୯ ବର୍ଷରୁ କମ କ୍ରିକେଟ ବିଶ୍ୱକପ : ଓହରିଲା ନ୍ୟୁଜିଲାଣ୍ଡ, ଜାଣନ୍ତୁ ଲିଗ୍ ପର୍ଯ୍ୟାୟରେ କାହାକୁ ଭେଟିବ ଟିମ୍ ଇଣ୍ଡିଆ ।

240

କନକ ବ୍ୟୁରୋ : ୨୦୨୨ରେ ୱେଷ୍ଟଇଣ୍ଡିଜରେ ହେବାକୁ ଥିବା ୧୯ ବର୍ଷରୁ କମ ବିଶ୍ୱକପରୁ ଓହରିଛି ନ୍ୟୁଜିଲାଣ୍ଡ ଟିମ୍ । ବାଧ୍ୟତାମୂଳକ ସଙ୍ଗରୋଧ କାରଣରୁ କିୱି ଟିମ୍ ଏହି ଟୁର୍ଣ୍ଣାମେଣ୍ଟରୁ ଓହରିଛି । ଆଉ ନ୍ୟୁଜିଲାଣ୍ଡ ଟୁର୍ଣ୍ଣାମେଣ୍ଟରୁ ଓହରିବା କାରଣରୁ ସ୍କଟଲାଣ୍ଡକୁ ଟୁର୍ଣ୍ଣାମେଣ୍ଟରେ ସାମିଲ କରାଯାଇଛି । ସ୍କଟଲାଣ୍ଡକୁ ଗ୍ରୁପ୍ ଡିରେ ସାମିଲ କରାଯାଇଛି, ଯେଉଁ ଗ୍ରୁପରେ ୱେଷ୍ଟଇଣ୍ଡିଜ, ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କାକୁ ଭେଟିବ ସ୍କଟଲାଣ୍ଡ । ଏହି ଟୁର୍ଣ୍ଣାମେଣ୍ଟ ୧୪ ଜାନୁଆରୀରୁ ଆରମ୍ଭ ହେବାକୁ ଥିବା ବେଳେ ପ୍ରଥମ ମୁକାବିଲାରେ ଆୟୋଜନ ୱେଷ୍ଟଇଣ୍ଡିଜ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ ।

ପ୍ରଥମଥର ପାଇଁ ୱେଷ୍ଟଇଣ୍ଡିଜ ମାଟିରେ ୧୯ ବର୍ଷରୁ କମ ବିଶ୍ୱକପ ଖେଳାଯିବ । ଆଉ ଏହି ଟୁର୍ଣ୍ଣାମେଣ୍ଟରେ ୧୬ଟି ଟିମ୍ ଭାଗ ନେବେ । ଗ୍ରୁପ୍ ବିରେ ଭାରତ ସହ ଉଗାଣ୍ଡା, ଆର୍ୟଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ରହିଛି । ଟୁର୍ଣ୍ଣାମେଣ୍ଟର ଖେଳାଯିବାକୁ ଥିବା ୨ଟି ସେମିଫାଇନାଲ ଯଥାକ୍ରମେ ୧ ଓ ୨ ଫେବ୍ରୁଆରୀରେ ଖେଳାଯିବ । ସେହିଭଳି ୫ ଫେବ୍ରୁଆରୀରେ ଫାଇନାଲ ମୁକାବିଲା ଦେଖିବାକୁ ମିଳିବ ।

ଏହି ଟୁର୍ଣ୍ଣାମେଣ୍ଟରେ ୪୮ଟି ମ୍ୟାଚ୍ ଖେଳାଯିବ । ୨୩ ଦିନ ଧରି ଚାଲିବାକୁ ଏହି ଟୁଣ୍ଣାମେଣ୍ଟରେ ଭାଗ ନେଇଥିବା ୧୬ଟି ଦଳକୁ ୪ଟି ଗ୍ରୁପରେ ବିଭକ୍ତ କରାଯାଇଛି । ଏହାପୂର୍ବ ସଂସ୍କରଣରେ ବାଂଲାଦେଶ ୧୯ ବର୍ଷରୁ କମ ବିଶ୍ୱକପ ଚାମ୍ପିୟନ ହୋଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୧୭୭ ରନ କରିଥିବା ବେଳେ ବାଂଲାଦେଶ ୩ ୱିକେଟରେ ବିଜୟୀ ହେବା ସହ ଚାମ୍ପିୟନ ହୋଇଥିଲା ।