କେବେ କ୍ରିକେଟ୍, ଆଉ କେବେ ହକିରେ ଭାଙ୍ଗିଛି ବିଶ୍ୱକପ୍ ସ୍ୱପ୍ନ । ଟିମ୍ ଇଣ୍ଡିଆ ପାଇଁ ସବୁବେଳେ କାଳ ନ୍ୟୁଜିଲାଣ୍ଡ ଦଳ ।

104

କନକ ବ୍ୟୁରୋ: ବର୍ଷ ପରେ ବର୍ଷ ବିତିଛି । ବିଶ୍ୱକପ୍ ପରେ ବିଶ୍ୱକପ୍ ଯାଇଛି । ହକି ବିଶ୍ୱକପ୍ ହେଉ ଅବା କ୍ରିକେଟର ବିଶ୍ୱକପ୍ । ସବୁ ବେଳେ ସବୁ ଫର୍ମାଟରେ ଟିମ୍ ଇଣ୍ଡିଆ ପାଇଁ କାଳ ସାଜିଛି ମାତ୍ର ଗୋଟିଏ ଦଳ । ଭାରତର ବିଶ୍ୱକପ୍ ସ୍ୱପ୍ନକୁ ସବୁବେଳେ ଭାଙ୍ଗି ରୁଜି ଚୁରମାର କରିଦେଇଛି ନ୍ୟୁଜିଲାଣ୍ଡ ।

ବର୍ତମାନର ହକି ୱାଲ୍ଡକପ୍ ହେଉ ଅଥବା ୨୦୧୯ ଆଉ ୨୦୨୧ ମସିହାର କ୍ରିକେଟ୍ ବିଶ୍ୱକପ୍ । ସବୁବେଳେ ଟିମ୍ ଇଣ୍ଡିଆର ଖେଳାଳି ଆଉ ଫ୍ୟାନ୍ସଙ୍କୁ ଦୁଃଖ ଦେଇଚାଲିଛି ଏଇ ମାତ୍ର ଗୋଟିଏ ଦଳ । ହଁ…ବୋଧହୁଏ ଟିମ୍ ଇଣ୍ଡିଆ ବିଶ୍ୱକପ ଟ୍ରଫି ଜିତିବାର ସ୍ୱପ୍ନକୁ ଯଦି ଅଧିକ କିଏ ଭାଙ୍ଗିଥାଏ, ତେବେ ସେ ହେଉଛି ନ୍ୟୁଜିଲାଣ୍ଡ ।୨୦୧୯ କ୍ରିକେଟ୍ ବିଶ୍ୱକପ୍ କଥା ଟିକେ ମନେ ପକାନ୍ତୁ । ବିରାଟଙ୍କ କ୍ୟାପଟେନ୍ସିରେ ଦଳ ବିଶ୍ୱକପର ସେମିଫାଇନାଲରେ ପହଞ୍ଚିସାରିଥାଏ । ଆଉ ଫାଇନାଲରେ ପହଞ୍ଚିବାକୁ ସାମ୍ନାରେ ଥାଏ ନ୍ୟୁଜିଲାଣ୍ଡ ଦଳ । ଇଂଲଣ୍ଡର ମାଞ୍ଚେଷ୍ଟରରେ ଖେଳାଯାଇଥିବା ଏହି ମ୍ୟାଚ୍ ଆଜି ବି ଭାରତୀୟ ଫ୍ୟାନ୍ସମାନେ ମନେ ରଖିଥିବେ । କାହିଁକି ନା ଭାରତର ବିଶ୍ୱକପ୍ ସ୍ୱପ୍ନକୁ ସେମିଫାଇନାଲ ମ୍ୟାଚରେ ହିଁ ଧୂଳିସାତ୍ କରିଦେଇଥିଲା ନ୍ୟୁଜିଲାଣ୍ଡ ।

୨୦୧୯ ବିଶ୍ୱକପ୍ ପରେ ୨୦୨୧ରେ ପୁଣିଥରେ ଟିମ୍ ଇଣ୍ଡିଆ ପାଇଁ କାଳ ସାଜିଥିଲା ଏହି ବ୍ଲାକକ୍ୟାପ୍ ଦଳ । ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ମ୍ୟାଚରେ ଦଳ ଟିମ୍ ଇଣ୍ଡିଆକୁ ହରେଇବା ସହ, ପ୍ରଥମ ସିଜିନର ଚାମ୍ପିୟନ୍ ବି ହେଇଥିଲା । ତେବେ ଲଗାତାର ଗୋଟିଏ ଆଇସିସି ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲାଣ୍ଡଠାରୁ ହିଁ ମାତ୍ ଖାଇଥିଲା ଟିମ୍ ଇଣ୍ଡିଆ ।

ଖାଲି କ୍ରିକେଟ୍ ନୁହେଁ, ଏହା ପୂର୍ବରୁ ହକିରେ ମଧ୍ୟ ଭାରତ ପାଇଁ ସବୁବେଳେ କଣ୍ଟ । ସାଜିଛି ନ୍ୟୁଜିଲାଣ୍ଡ । ୧୯୮୬ ମସିହା ଆଉ ୨୦୦୨ ମସିହାରେ ଭାରତକୁ ହକି ବିଶ୍ୱକପରେ ପରାଜିତ କରିଥିଲା ଏହି ନ୍ୟୁଜିଲାଣ୍ଡ ଦଳ । ତେବେ ୧୯୯୮ ମସିହାରେ ଦୁଇଥର ଆଉ ୧୯୮୨ରେ ମସିହାର ଗୋଟିଏ ମ୍ୟାଚରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡକୁ ପରାଜିତ କରିବା ସହିତ ପୁରୁଣା ପରାଜୟର ପ୍ରତିଶୋଧ ନେଇଥିଲା ।

ଟିମ୍ ଇଣ୍ଡିଆକୁ ନ୍ୟୁଜିଲାଣ୍ଡ ଦଳ ବିଶ୍ୱକପରେ ହରେଇବା ଖାଲି ଏତିକିରେ ଅଟକିଯାଇନି । ୨୦୨୧ ଟି-୨୦ ବିଶ୍ୱକପରେ ମଧ୍ୟ ଭାରତର ସେମିଫାଇନାଲ ଆଶା ଭାଙ୍ଗିଥିଲା ସେହି ସମାନ ଦଳ ନ୍ୟୁଜିଲାଣ୍ଡ । ଦୁବାଇର ଏହି ମ୍ୟାଚରେ ଭାରତକୁ ହରେଇବା ସହ ସେମିଫାଇନାଲରେ ପହଞ୍ଚିଥିଲା ନ୍ୟୁଜିଲାଣ୍ଡ । ଆଉ ଭାଙ୍ଗିଥିଲା କୋଟି କୋଟି ଭାରତୀୟ ଫ୍ୟାନ୍ସଙ୍କ ହୃଦୟ । ତେବେ ୨୦୨୧ ବିଶ୍ୱକପ୍ ପୂର୍ବରୁ ୧୯୭୫, ୧୯୭୯, ୧୯୯୨ ଏବଂ ୧୯୯୯ ଦିନିକିଆ ବିଶ୍ୱକପରେ ଭାରତୀୟ ଟିମ୍ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଥିଲା । ଯାହା ଭାରତୀୟ ଫ୍ୟାନ୍ସକୁ କେବଳ ଦୁଃଖ ଦେଇନଥିଲା । ବରଂ ଟିମ୍ ଇଣ୍ଡିଆର ବିଶ୍ୱକପ୍ ସ୍ୱପ୍ନକୁ ମଧ୍ୟ ଚୁନା କରିଦେଇଥିଲା ।

୨୦୦୦ ମସିହାରେ ଆଇସିସି ନକଟଆଉଟ୍ ଫାଇନାଲରେ ମଧ୍ୟ ନ୍ୟୁଜିଲାଣ୍ଡ ହିଁ ଭାରତକୁ ପରାଜିତ କରିଥିଲା । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭାରତ ୫୦ ଓଭରରେ କରିଥିଲା ୨୬୪ ରନ୍ । ହେଲେ ନ୍ୟୁଜିଲାଣ୍ଡ ଚାରି ୱିକେଟ୍ ବାକି ଥାଇ ଏହି ରନ୍ କରିନେବା ସହିତ ଏହି ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ୍ ହୋଇଥିଲା । ସେତେବେଳେ ମଧ୍ୟ ଭାରତର ଏହି ଟ୍ରଫି ଜିତିବା ସ୍ୱପ୍ନକୁ ଭାଙ୍ଗିଦେଇଥିଲା ସେହି ସମାନ ଦଳ ନ୍ୟୁଜିଲାଣ୍ଡ ।