କନକ ବ୍ୟୁରୋ : ବର୍ଷା ବ୍ୟାଘାତ, ଆଲୋକ ଅଭାବ ଏବଂ ବାରମ୍ବାର ଖେଳ ବନ୍ଦ ହେବା ସତ୍ତ୍ବେ ସଂରକ୍ଷିତ ଦିବସରେ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ର ଫଳାଫଳ ବାହାରିଗଲା। ଏତେସବୁ ପ୍ରତିବନ୍ଧକ ସତ୍ତ୍ବେ ଭାରତ ପରାଜୟରୁ ବଞ୍ଚି ପାରିଲାନି। ପ୍ରଥମ ଦିନରୁ ବର୍ଷା ଯୋଗୁଁ ୪ ଦିନ ମଧ୍ୟରେ ପୂରା ୨ ଦିନ ଖେଳ ଆଦୌ ସମ୍ଭବ ହୋଇନଥିଲା। ଏହା ବ୍ୟତୀତ ଅନ୍ୟ ଦୁଇ ଦିନ ମଧ୍ୟ ଅଧିକାଂଶ ସମୟ ନଷ୍ଟ ହୋଇଥିଲା। ଏହାସତ୍ତ୍ବେ ରିଜର୍ଭ ଦିବସରେ ହିଁ ନ୍ୟୁଜିଲାଣ୍ଡ୍ ପୂରା ଆଧିପତ୍ୟ ବିସ୍ତାର କରି ମ୍ୟାଚ୍କୁ ନିଜ ସପକ୍ଷରେ କରି ଟ୍ରଫି ହାତେଇଥିଲା। ଏଥି ସହିତ ଏକଦିବସୀୟ ବିଶ୍ବକପ୍ ଫାଇନାଲ୍ ପରାଜୟର ଦୁଃଖକୁ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍ରେ ଦୂର କରିଥିଲା। ଅନ୍ୟପକ୍ଷରେ କୋହଲିଙ୍କ ନେତୃତ୍ବରେ ଭାରତର ଆଇସିସି ଟ୍ରଫି ମରୁଡ଼ି ଧାରା ଆହୁରି ଲମ୍ବିଲା। ଅଭ୍ୟାସ ମ୍ୟାଚ୍ ବିନା ଏକ ବଡ଼ ମୁକାବିଲା ଖେଳିବାର ଫଳ ବି ଭାରତକୁ ମିଳିଲା। ନ୍ୟୁଜିଲାଣ୍ଡ କିନ୍ତୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ ବିଜୟ ଅଭିଜ୍ଞତାକୁ ଭଲ ଭାବେ ଉପଯୋଗ କରି ଭାରତକୁ ଉଚିତ ଶିକ୍ଷା ଦେଲା।
ଭାରତ ଦ୍ବିତୀୟ ପାଳିକୁ ୧୭୦ ରନ୍ରେ ରୋକିଦେବା ପରେ ନ୍ୟୁଜିଲାଣ୍ଡ ସମ୍ମୁଖରେ ମାତ୍ର ୧୩୯ ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଶେଷ ଦିନର ଆଉ ୭.୧ ଓଭର ବାକିଥିଲା ବେଳେ ନ୍ୟୁଜିଲାଣ୍ଡ ୮ ୱିକେଟ୍ରେ ମ୍ୟାଚ୍ ଜିତିନେଇଥିଲା। ଦୁଇ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ଅଧିନାୟକ କେନ୍ ୱିଲିୟମ୍ସନ୍ (୫୨) ଏବଂ ରସ୍ ଟେଲର (୪୭) ଭାରତୀୟ ବୋଲରଙ୍କୁ ନିରାଶ କରିଦେଇଥିଲେ। ୱିଲିୟମ୍ସନ୍ ଅର୍ଦ୍ଧଶତକ ପୁରଣ କରିଥିଲା ବେଳେ ମହମ୍ମଦ ସାମିଙ୍କୁ ଚୌକା ମାରି ଟେଲର ବିଜୟ ମୁଣ୍ଡି ମାରିଥିଲେ। ଉଭୟେ ଅବିଭାଜିତ ତୃତୀୟ ୱିକେଟ୍ରେ ୧୭୩ ବଲ୍ରୁ ୯୬ ରନ୍ର ଭାଗୀଦାରି କରିଥିଲେ। ଫଳରେ ନ୍ୟୁଜିଲାଣ୍ଡ୍ ୪୫.୫ ଓଭରରେ ୨ ୱିକେଟ୍ ହରାଇ ୧୪୦ ରନ୍ କରିନେଇଥିଲା। ଦ୍ରୁତ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ପରେ ବ୍ୟାଟ୍ସମ୍ୟାନ୍ଙ୍କ ଲଢ଼ୁଆ ମନୋଭାବ ହିଁ ନ୍ୟୁଜିଲାଣ୍ଡ୍କୁ ଆଇସିସି ଦ୍ବାରା ପ୍ରଥମ ଥର ପ୍ରଚଳିତ ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍ସିପ୍ ଟ୍ରଫି ଭେଟିଦେଲା। ଏଥି ସହିତ ନ୍ୟୁଜିଲାଣ୍ଡ୍ ମଧ୍ୟ ଆଇସିସି ଦଳଗତ ମାନ୍ୟତାର ଶୀର୍ଷ କାହିଁକି ପାଇଛି ତାହା ପ୍ରମାଣିତ କରିଦେଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/jynhmuktj.jpg)