କନକ ବ୍ୟୁରୋ : ସୁରକ୍ଷା କାରଣରୁ ପାକିସ୍ତାନ ବିପକ୍ଷ ସିରିଜ ବାତିଲ କରି ନ୍ୟୁଜିଲାଣ୍ଡର ୩୪ ସଦ୍ୟସ ବିଶିଷ୍ଟ ଟିମ୍ ଦୁବାଇରେ ପହଞ୍ଚିଛନ୍ତି । ଟିମର ସଦସ୍ୟ ୨୪ ଘଣ୍ଟା ସଙ୍ଗରୋଧରେ ରହିବା ପରେ ଆଗାମୀ ସପ୍ତାହରେ ନ୍ୟୁଜିଲାଣ୍ଡ ଅଭିମୁଖେ ଯାତ୍ରା କରିବେ । ତେବେ ମ୍ୟାଚ୍ ଓ ସିରିଜ ରଦ୍ଦ ପରେ ନ୍ୟୁଜିଲାଣ୍ଡ କ୍ରିକେଟ ଅଧିକାରୀ କହିଛନ୍ତି, ଏହି ସିରିଜ ବାତିଲ ନିଷ୍ପତ୍ତି ପାଇଁ ଆମେ ଦୁଃଖିତ । କିନ୍ତୁ ବିଶିଷ୍ଟ ଓ ବିଶ୍ୱସନୀୟ ସୂତ୍ରରୁ ମିଳିଥିବା ଖବର ଆଧାରରେ ନ୍ୟୁଜିଲାଣ୍ଡ ଟିମକୁ ପାକିସ୍ତାନରେ ରଖିବା ଆମ ପକ୍ଷେ ଆଉ ସମ୍ଭବପର ନଥିଲା । ଏଭଳି ନିଷ୍ପତ୍ତି ଦ୍ୱାରା ପାକିସ୍ତାନ କ୍ରିକେଟ ବୋର୍ଡକୁ ବଡ କ୍ଷତି ପହଞ୍ଚିଛି ନିଶ୍ଚୟ ଓ ଏହା ବୋର୍ଡ ପାଇଁ ବେଶ କଠିନ ସମୟ । ତେବେ କିୱି ଖେଳାଳୀଙ୍କୁ ଯେଉଁଭଳି ଆତିଥ୍ୟୟେତା ଦିଆଗଲା ସେଥିପାଇଁ ପାକିସ୍ତାନ ବୋର୍ଡକୁ ଧନ୍ୟବାଦ ।

Advertisment

ନ୍ୟୁଜିଲାଣ୍ଡ କ୍ରିକେଟ ଅଧିକାରୀ ଜଣକ କହିଛନ୍ତି, ଏକ ବିଶିଷ୍ଟ ଓ ବିଶ୍ୱସନୀୟ ସୂତ୍ରରୁ ଟିମକୁ ଧମକ ମିଳିଥିବା ନେଇ ଖବର ଆସିଥିଲା । ଆଉ ଏହାପରେ ସିରିଜ ବାତିଲ କରିବାକୁ ପରାମର୍ଶ ଦିଆଯାଇଥିଲା । ଶୁକ୍ରବାର ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଖେଳାଯାଇଥାନ୍ତା । କିନ୍ତୁ ମ୍ୟାଚ୍ ଆରମ୍ଭ ପୂର୍ବରୁ ସିରିଜ ବାତିଲ କରି ଫେରି ଯାଇଥିଲା ନ୍ୟୁଜିଲାଣ୍ଡ ଟିମ୍ । ପରେ ସୁରକ୍ଷା କାରଣରୁ ମ୍ୟାଚ୍ ରଦ୍ଦ ହୋଇଥିବା କହିଥିଲା ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ।

ଏପରିକି ମ୍ୟାଚ୍ ରଦ୍ଦ ହେବା ପୂର୍ବରୁ ନ୍ୟୁଜିଲାଣ୍ଡ ସରକାରଙ୍କ ଅଧିକାରୀଙ୍କ ସହ ବୋର୍ଡ ପକ୍ଷରୁ ଆଲୋଚନା ହୋଇଥିଲା । ଏନେଇ ପାକିସ୍ତାନ ବୋର୍ଡକୁ ସୂଚିତ କରିବା ପରେ ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ଭିତରେ ଟେଲିଫୋନରେ କଥାବାର୍ତ୍ତା ହୋଇଥିଲା । ତେବେ ଏହାପରେ ସରକାରୀ ଅଧିକାରୀଙ୍କ ଠାରୁ ଯେଉଁ ପରାମର୍ଶ ମିଳିଥିଲ ତାହା ପରେ ପାକିସ୍ତାନରେ ଅଟକିବା ଆମ ପାଇଁ ସମ୍ଭବ ନଥିଲା ବୋଲି କହିଛନ୍ତି ନ୍ୟୁଜିଲାଣ୍ଡ କ୍ରିକେଟ ଟିମର ଅଧିକାରୀ ଡେଭିଡ ହ୍ୱାଇଟ ।