ଚମତ୍କାର କଲେ ଭାରତୀୟ ବୋଲର: ୬୨ ରନରେ ଅଲଆଉଟ ନ୍ୟୁଜିଲାଣ୍ଡ ଟିମ

377

କନକ ବ୍ୟୁରୋ: ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟେଷ୍ଟରେ ଚମତ୍କାର ବୋଲିଂ କରିଛନ୍ତି ଭାରତୀୟ ବୋଲର । ମାତ୍ର ୬୨ ରନରେ ପୂରା ନ୍ୟୁଜିଲାଣ୍ଡ ଟିମ ଅଲ ଆଉଟ ହୋଇଯାଇଛି । ଏହାସହ ଏବେ ବି ଭାରତ ୨୬୩ ରନରେ ଆଗୁଆ ରହିଛି । ପ୍ରଥମ ଇଂନିସରେ ଭାରତ ୩୨୫ ରନ କରିଥିବା ବେଳେ ନ୍ୟୁଜିଲାଣ୍ଡ ୬୨ ରନ କରିଛି ।

ଏହି ମ୍ୟାଚରେ ଟସ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଫଳରେ ବୋଲିଂ କରିଥିଲା ନ୍ୟୁଜିଲାଣ୍ଡ ଦଳ । ଭାରତ ଏହି ମ୍ୟାଚରେ ୩୨୫ ରନର ବିଶାଳ ସ୍କୋର କରିଥିଲେ ବି ନ୍ୟୁଜିଲାଣ୍ଡର ଏଜାଜ ପଟେଲ ଐତିହାସିକ ରେକର୍ଡ ସୃଷ୍ଟି କରିଥିଲେ । ସେ ଏହି ଇଂନିସରେ ଏକାକୀ ସମସ୍ତ ୱିକେଟ ନେଇଥିଲେ । ଭାରତ ପକ୍ଷରୁ ମୟଙ୍କ ଅଗ୍ରୱାଲ ୧୫୦, ଅକ୍ଷର ୫୨ ଓ ଶୁଭମନ ଗିଲ ୪୪ ରନ କରିଥିଲେ ।

ସେହିପରି ନ୍ୟୁଜିଲାଣ୍ଡ ତାର ପ୍ରଥମ ଇଂନିସ ଆରମ୍ଭ କରିଥିଲା । ହେଲେ ଏଥିରେ ଭାରତୀୟ ବୋଲରଙ୍କୁ ସାମ୍ନା କରି ପାରିନଥିଲେ ନ୍ୟୁଜିଲାଣ୍ଡ ଖେଳାଳି । ମାତ୍ର ୬୨ ରନରେ ସମସ୍ତ ଖେଳାଳି ପାଭିଲିୟନ ଫେରିଯାଇଥିଲେ । ଭାରତ ପକ୍ଷରୁ ଅଶ୍ୱିନୀ ୪, ସିରାଜ ୩, ଅକ୍ଷର ୨ ଓ ଜୟନ୍ତ ଯାଦବ ଗୋଟିଏ ୱିକେଟ ନେଇଥିଲେ ।