ନ୍ୟୁଜିଲାଣ୍ଡ୍‌ – ଭାରତ ଦ୍ୱିତୀୟ ଟେଷ୍ଟ୍‌ : ବଡ ବିଜୟ ଅଭିମୁଖେ ଟିମ୍ ଇଣ୍ଡିଆ; ଘରୋଇ ଦଳର ୫୪୦ ରନ୍ ଟାର୍ଗେଟକୁ ପିଛା କରୁଛି କ୍ୱିୱି ଦଳ

ଆଜି ୫ ଉଇକେଟ୍ ୧୪୦ ରନରୁ ଆରମ୍ଭ ହେବ ମ୍ୟାଚ୍

182

କନକ ବ୍ୟୁରୋ : ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ବଡ଼ ବିଜୟ ଅଭିମୁଖେ ଟିମ୍ ଇଣ୍ଡିଆ । ନ୍ୟୁଜିଲାଣ୍ଡ ଆଗରେ ୫୪୦ ରନର ବିଜୟ ଲକ୍ଷ୍ୟ ଦେଇଛି ଘରୋଇ ଦଳ । ତୃତୀୟ ଦିନ ସୁଦ୍ଧା ଭ୍ରମଣକାରୀ ଦଳ ୧୪୦ ରନରେ ୫ ୱିକେଟ୍ ହରାଇଛି । ଆଜି ବାକି ଥିବା ୫ ୱିକେଟ୍ ନେଇ ବଡ଼ ବିଜୟ ହାସଲ କରିବାକୁ ଚେଷ୍ଟା କରିବ ବିରାଟ ବାହିନୀ । ଭାରତ ଦ୍ୱିତୀୟ ଇନିଂସରେ ୭ ୱିକେଟ୍ ୨୭୬ ରନ୍ ସଂଗ୍ରହ କରି ପାଳି ଘୋଷଣା କରିଥିଲା । ଏଥି ସହ ଘରୋଇ ଦଳ ମୋଟ୍ ୫୩୯ ରନର ଅଗ୍ରଣୀ ହାସଲ କରିଥିଲା । ଶେଷ ଦୁଇ ଦିନରେ ନ୍ୟୁଜିଲାଣ୍ଡକୁ ବିଜୟ ପାଇଁ ଆଉ ୪୦୦ ରନ୍ ଆବଶ୍ୟକ ରହିଛି । ନିକୋଲ୍ସ ୩୬ ରନ୍ କରି ଅପରାଜିତ ଅଛନ୍ତି । ଦ୍ୱିତୀୟ ଇନିଂସରେ ଅଶ୍ୱିନଙ୍କୁ ୩ଟି ଓ ଅକ୍ଷର ପଟେଲକୁ ଗୋଟିଏ ୱିକେଟ୍ ମିଳିଛି ।

ଭାରତ-ନ୍ୟୁଜିଲାଣ୍ଡ୍‌ ଟେଷ୍ଟ୍ ଶୃଙ୍ଖଳା ମଧ୍ୟ ଏକ ୧୩୨ ବର୍ଷର ମାଇଲଖୁଣ୍ଟକୁ ଦୋହରାଇଛି । ନିଜ ଢଙ୍ଗରେ ଏକ କୀର୍ତ୍ତିମାନକୁ ସ୍ବତଃ ପ୍ରତିଷ୍ଠା କରିଛି । ୨ ମ୍ୟାଚ୍‌ରେ ଉଭୟ ଦଳରୁ ୨ ଜଣ ଲେଖାଏଁ ମୋଟ ୪ ଜଣ ଖେଳାଳି ଅଧିନାୟକତ୍ବ କରିବା ୧୮୮୯ ମସିହାକୁ ଫେରାଇ ନେଇଛି । ଚଳିତ ଶୃଙ୍ଖଳାରେ ଭାରତ ପାଇଁ ପ୍ରଥମ ଟେଷ୍ଟରେ ଅଜିଙ୍କ୍ୟ ରାହାଣେ ଓ ଦ୍ବିତୀୟ ଟେଷ୍ଟରେ ବିରାଟ କୋହଲି ନେତୃତ୍ବ ନେଇଥିଲେ । ସେହିଭଳି କାନପୁରରେ କେନ୍‌ ୱିଲିୟମସନ୍‌ ଏବଂ ମୁମ୍ବାଇରେ ଟମ୍ ଲଥାମ ଦଳର ନେତୃତ୍ବ ଭାର ସମ୍ଭାଳିଛନ୍ତି । ନିୟମିତ ଅଧିନାୟକଙ୍କ ଅନୁପସ୍ଥିତିରେ ଏଭଳି ସ୍ଥିତି ଉପୁଜିଛି ।

୧୮୮୯ରେ ଇଂଲଣ୍ଡର ଦକ୍ଷିଣ ଆଫ୍ରିକା ଗସ୍ତରେ ଏଭଳି ଉଦାହରଣ ଶେଷ ଥର ନଜରକୁ ଆସିଥିଲା । ଜ୍ବରରେ ପଡ଼ିଯିବାରୁ ଆବ୍ରେ ସ୍ମିଥ୍‌ଙ୍କ ବଦଳରେ ମଣ୍ଟି ବାଓଡେନ୍‌ ପ୍ରଥମ ଟେ‌ଷ୍ଟରେ ନେତୃତ୍ବ ନେଇଥିଲେ । ଏଥି ସହ ୨୩ ବର୍ଷ ୧୪୪ ଦିନର ବାଓଡେନ୍‌ ଇଂଲଣ୍ଡର ସର୍ବକନିଷ୍ଠ ଟେଷ୍ଟ୍ ଅଧିନାୟକ ହୋଇଥିଲେ । ସ୍ମିଥ୍‌ ଦ୍ବିତୀୟ ଟେ‌ଷ୍ଟରେ ନେତୃତ୍ବ ନେଇଥିଲେ । ଦକ୍ଷିଣ ଆଫ୍ରିକା ପାଇଁ ଓଏନ ଡନେଲ୍‌ ଓ ୱିଲିୟମ୍‌ ମିଲଟନ୍‌ ଏହି ଦୁଇ ଟେଷ୍ଟରେ ନେତୃତ୍ବ ନେଇଥିଲେ । ଦୁହେଁ କିନ୍ତୁ ଉଭୟ ଟେଷ୍ଟ୍‌ରେ ଖେଳିଥିଲେ । ଯାହାକି ଭାରତ-ନ୍ୟୁଜିଲାଣ୍ଡ୍‌ ଶୃଙ୍ଖଳାରେ‌ ହୋଇନାହିଁ । କୋହଲି ବିଶ୍ରାମ ନେଇ ପ୍ରଥମ ଟେଷ୍ଟ ଖେଳିନଥିଲେ। ୱିଲିୟମସନ୍‌ ଆହତ ହେବାରୁ ଦ୍ବିତୀୟ ଟେଷ୍ଟରେ ଖେଳିପାରିନାହାନ୍ତି ।