କନକ ବ୍ୟୁରୋ : ଆମେରିକା ନ୍ୟୁୟର୍କର ମେଟ୍ରୋ ଷ୍ଟେସନରେ ଅତର୍କିତ ଗୁଳିମାଡ କରି ୧୬ ଜଣଙ୍କୁ ଆହତ କରିଥିବା ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ । ଗିରଫ ହୋଇଥିବା ବ୍ୟକ୍ତି ଜଣକ ଫ୍ରାଙ୍କ୍ ଜେମ୍ସ ବୋଲି ଜଣାପଡିଛି । ୬୨ ବର୍ଷୀୟ ଫ୍ରାଙ୍କଙ୍କୁ ଏକ ଗାଁରୁ ଗିରଫ କରାଯାଇଛି । ସ୍ଥାନୀୟ ଲୋକ ଫ୍ରାଙ୍କକ ଫଟୋ ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା ପରେ ତାଙ୍କୁ ଗିରଫ କରାଯାଇଛି । ତେବେ ଏହାକୁ ଆତଙ୍କବାଦୀ ପ୍ରସଙ୍ଗ ସହ ଯୋଡିବାକୁ ମନା କରିଛି ପୋଲିସ । ତେବେ ଯୁବକଙ୍କୁ ଗିରଫ କରିବା ପରେ ତାଙ୍କର ବିଭିନ୍ନ ଠିକଣାରେ ସର୍ଚ୍ଚ ଅପରେସନ କରିଛି ପୋଲିସ ।
ଗତ ୧୨ ତାରିଖରେ ନ୍ୟୁୟର୍କର ବ୍ରୁକଲିନ୍ ସବୱେ ଷ୍ଟେସନରେ ଗୁଳିମାଡ ଘଟଣା ସାମ୍ନାକୁ ଆସିଥିଲା । ଆଉ ଏହି ଘଟଣାରେ ୧୬ରୁ ଅଧିକ ଜଣ ଆହତ ହୋଇଥିଲେ । ଆଉ ଏହି ଘଟଣା ପରେ ଉକ୍ତ ସ୍ଥାନରୁ ଏକ ଇନ୍ଧନ ଭର୍ତ୍ତି କଣ୍ଟେନର ଜବତ କରିଥିଲେ । ଆମେରିକୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଉକ୍ତ ଅଭିଯୁକ୍ତ ଜଣକ ମେଟ୍ରୋ ଷ୍ଟେସନର ନିର୍ମାଣ ଶ୍ରମିକ ଭାବେ ଷ୍ଟେସନ ଭିତରେ ପଶି ଆକ୍ରମଣ କରିଥିଲେ । ଉକ୍ତ ବ୍ୟକ୍ତି ଜଣକ ଆକ୍ରମଣ କରିବା ବେଳେ ଗ୍ୟାସ ମାସ୍କ ପିନ୍ଧିଥିଲେ । ପରେ ପୋଲିସ ଅଭିଯୁକ୍ତର ଏକ ସ୍କେଚ ଜାରି କରିଥିଲା । ଉକ୍ତ ଅଭିଯୁକ୍ତର ଉଚ୍ଚତା ୫ ଫୁଟ୍ ୫ ଇଞ୍ଚ ଥିବା କହିଥିଲା ପୋଲିସ । ପରେ ଉକ୍ତ ସ୍କେଚ ଆଧାରରେ କିଛି ବ୍ୟକ୍ତି ସୋସିଆଲ ମିଡ଼ିଆରେ ଅଭିଯୁକ୍ତଙ୍କ ଫଟୋ ସେୟାର କରିଥିଲେ । ଆଉ ଏହି ଫଟୋର ତଥ୍ୟକୁ ଆଧାର କରି ପୋଲିସ ଅଭିଯୁକ୍ତ ପାଖରେ ପହଞ୍ଚିଥିଲା । ଏହି ଘଟଣା ପରେ ପୋଲିସ ଉକ୍ତ ଅଭିଯୁକ୍ତଙ୍କୁ ଧରାଇଦେବା ଉପରେ ୩୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା ।