କନକ ବ୍ୟୁରୋ : କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ମେଟ୍ରୋ ସହର ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଏବଂ ବେଙ୍ଗାଲୁରୁରେ ନ୍ୟୁ ଇୟର ଉତ୍ସବ ବନ୍ଦ କରାଯାଇଛି । ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୦୦ ଅତିକ୍ରମ କରିଛି । ଦ୍ରୁତ ଗତିରେ ଓମିକ୍ରନ୍ ମାଡ଼ୁଥିବାରୁ ପ୍ରମୁଖ ସହରମାନଙ୍କରେ ଅଧିକ କଟକଣା କଡ଼ାକଡ଼ି ହୋଇଛି । ଦିଲ୍ଲୀରେ ମିନି ଲକ୍ଡାଉନ୍ ହୋଇଛି ।
ମଙ୍ଗଳବାର ଦିଲ୍ଲୀରେ ୟେଲୋ ଆଲର୍ଟ ଜାରି ହୋଇଛି । ନୂଆବର୍ଷ ପାଇଁ ଦିଲ୍ଲୀରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ହେବନାହିଁ । ରେସ୍ତୋରାଁ, ବାର୍ ଏବଂ ଅଡିଟୋରିୟମଗୁଡ଼ିକ ୫୦ ପ୍ରତିଶତ କ୍ଷମତାରେ ଚାଲିବ । ମୁମ୍ବାଇରେ ମଧ୍ୟ ନୂଆବର୍ଷ ଉତ୍ସବ ପାଳନ ହେବନି । ସାଧାରଣ ସ୍ଥାନମାନଙ୍କରେ ରାତି ୯ରୁ ସକାଳ ୬ ପର୍ଯ୍ୟନ୍ତ ୫ରୁ ଅଧିକ ଲୋକଙ୍କ ସମାଗମ ହେବନାହିଁ ।
ରେସ୍ତୋରାଁ, ଜିମ୍, ସିନେମା ଥିଏଟର ଗୁଡ଼ିକ ୫୦ ପ୍ରତିଶତ କ୍ଷମତାରେ ଚାଲିବ । ବେଙ୍ଗାଲୁରୁରେ ରେସ୍ତୋରାଁ, ହୋଟେଲ, କ୍ଲବ୍, ପବ୍ ୫୦ ପ୍ରତିଶତ କ୍ଷମତାରେ ଚାଲିବ । ଜାନୁଆରି ୭ ପର୍ଯ୍ୟନ୍ତ ବେଙ୍ଗାଲୁରୁରେ ନାଇଟ୍ କର୍ଫ୍ୟୁ ହେବ । ଅନ୍ୟପକ୍ଷେ ଚେନ୍ନାଇରେ ମଧ୍ୟ ନୂଆବର୍ଷ ପାଇଁ ସମାନ କଟକଣା । ଚେନ୍ନାଇରେ ମାରିନା ବିଚ୍ , ଇଲିଅଟ୍ସ ବିଚ୍ ଏବଂ ଅନ୍ୟାନ୍ୟ ବିଚ୍ଗୁଡ଼ିକୁ ନୂଆବର୍ଷ ସମାଗମ ଅନୁମତି ନାହିଁ ।