ସଚିବାଳୟରୁ ଶ୍ରୀକ୍ଷେତ୍ର ସବୁଠି ନୂଆବର୍ଷର ଧୁମ୍ । ନେତାଙ୍କ ଘରେ କର୍ମୀଙ୍କ ଗହଳି, ସଚିବାଳୟରେ ଫୁଲର ପସରା

142

କନକ ବ୍ୟୁରୋ : ନେତାଙ୍କ ନୂଆ ବର୍ଷ । ୨୦୧୯ ଆରମ୍ଭର ପ୍ରଥମ ଦିନରେ ନେତାଙ୍କ ଠାରେ ଗହଳିଚହଳି ଆରମ୍ଭ ହୋଇଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ଶୁଭେଚ୍ଛା ଜଣାଇଥିଲେ ନେତା, କର୍ମୀ, ଅଫିସର ଓ କର୍ମଚାରୀ । ଏଥିପାଇଁ ସଚିବାଳୟରେ ଭିଡ ଜମିଥିଲା । ଏହାଛଡା ସବୁ ନେତାଙ୍କ ଘରେ କର୍ମୀଙ୍କ ଭିଡ ଜମିଥିଲା । କର୍ମୀ ଆସୁଥିଲେ ଓ ନେତାଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଉଥିଲେ ।

ନେତାଙ୍କ ପାଖରେ ଶୁଭେଚ୍ଛାର ସୁଅ । ନୂଆବର୍ଷର ଶୁଭକାମନା ନେଇ ନେତା ଓ ମନ୍ତ୍ରୀଙ୍କ ପାଖକୁ ଛୁଟିଛନ୍ତି କର୍ମୀ, ପ୍ରଶଂସକ ଏବଂ ଶୁଭେଚ୍ଛୁ । କିଏ ଫୁଲ ଦେଇଛି, ତ’ ଆଉ କିଏ ଫୁଲ ତୋଡ଼ା । ନେତା-ମନ୍ତ୍ରୀଙ୍କ ବାସଭବନରୁ ସଚିବାଳୟ, ଏମିତି କି ଦଳୀୟ କାର୍ଯ୍ୟାଳୟ ଯାଏଁ ପହଂଚିଛି ଶୁଭେଚ୍ଛାର ଫୁଲତୋଡ଼ା । ଆଉ ସମସ୍ତେ ନିଜନିଜ ଢ଼ଙ୍ଗରେ ଦେଖୁଛନ୍ତି ବର୍ଷ ୨୦୧୯ ।

ସକାଳୁ ସକାଳୁ ନୂଆବର୍ଷର ଶୁଭେଚ୍ଛା ଜଣାଇବାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରେ ପହଂଚିଥିଲେ ଶୁଭେଚ୍ଛୁ । ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ ସହ ତୃଣମୂଳସ୍ତରର ଅନେକ କର୍ମୀ ଓ ନେତା ନିରଞ୍ଜନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସେହିପରି କଂଗ୍ରେସ ଭବନକୁ ଛୁଟି ଥିଲା ସମର୍ଥକଙ୍କ ଲମ୍ବା ଲାଇନ୍ ।

ନେତାଙ୍କ ପାଖକୁ ଛୁଟୁଥିବା ଏହି ଶୁଭେଚ୍ଛାର ସୁଅ, ବରିଷ୍ଠ ନେତା ଦାମ ରାଉତଙ୍କ ପାଖରେ ବି କମ୍ ନଥିଲା । ଶତାଧିକ ସମର୍ଥକ ଆସି ଡକ୍ଟର ରାଉତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ପ୍ରଦୀପ ମହାରଥୀଙ୍କ ଘରେ ଲାଗିଥିଲା ଶୁଭେଚ୍ଛୁଙ୍କ ଲମ୍ବା ଲାଇନ୍ ।ଏପଟେ ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀଙ୍କୁ କିନ୍ତୁ ଏକ ଭିନ୍ନ ଭୂମିକାରେ ଦେଖିବାକୁ ମିଳିଛି । ଅପରାଜିତା ନିଜେ ଲୋକଙ୍କ ପାଖକୁ ଯାଇ ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ଅତି ଖୁସିରେ କର୍ମୀ ଓ ନେତାଙ୍କ ଫୁଲ ତୋଡ଼ା ଗ୍ରହଣ କରୁଥିବା ଏହି ନେତାଙ୍କ ପାଇଁ ୨୦୧୯ ଏକ ଆହ୍ୱାନର ବର୍ଷ ହେବାକୁ ଯାଉଛି । କାରଣ ୨୦୧୯ରେ ହେବାକୁ ଯାଉଛି ସାଧାରଣ ନିର୍ବାଚନ ।

ଏସବୁ ଭିତରେ ପାୱାର କରିଡରରେ ମଧ୍ୟ ଜମିଥିଲା ଫୁଲର ଆସର । ନୂଆବର୍ଷକୁ ସେଲିବ୍ରେସନ ମୁଡରେ ପାଳନ କରିଛନ୍ତି ମନ୍ତ୍ରୀ, ସଚିବ ଓ ଅଧିକାରୀ । ଅଫିସରଙ୍କୁ ଭେଟିବା ପାଇଁ ସକାଳୁ ସକାଳୁ ଲମ୍ବା ଧାଡି ଲାଗିଥିଲା ସଚିବାଳୟରେ । ପ୍ରଥମେ ସଚିବାଳୟର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ସବୁ ବିଭାଗର ପ୍ରମୁଖ ସଚିବ ଓ ଅଧିକାରୀ ଭେଟି ଫୁଲତୋଡା ଦେଇ ନୂଆବର୍ଷର ଶୁଭେଚ୍ଛା ଜଣାଇଥିଲେ ।

ପରେ ସଚିବାଳୟର ପାୱାର-ଟୁ ଅଫିସର ତଥା ଉନ୍ନୟନ କମିଶନର ଅସିତ ତ୍ରିପାଠୀଙ୍କୁ ବିଭିନ୍ନ ବିଭାଗର ଅଧିକାରୀ ଭେଟି ଶୁଭେଚ୍ଛା ଜଣାଇଥିଲେ । କିଭଳି ବିଭାଗ ଓ ବିଭାଗ ଭିତରେ ସମନ୍ୱୟ ରହିବ, ସରକାରଙ୍କର ଯୋଜନାକୁ ଲୋକଙ୍କ ପାଖରେ ପହଂଚାଇପାରିବ ତା ଉପରେ ଗୁରୁତ୍ୱ ଦିଆଯିବ । ସେହିପରି ନୂଆ ବର୍ଷରେ ସମସ୍ତଙ୍କ ପାଇଁ ନୂଆ ଚ୍ୟାଲେଂଜ ରହିବ ବୋଲି କହିଛନ୍ତି କିଛି ସଚିବ ।