ନୂଆବର୍ଷ ୨୦୨୦ର ଧୁମ୍ । ଆଲୋକମାଳା ଓ ଆତସବାଜୀରେ ନୂଆବର୍ଷକୁ ସ୍ୱାଗତ କଲେ ବିଶ୍ୱବାସୀ । ପ୍ୟାରିସ, ଦୁବାଇ, ୟୁକେ ଓ ଋଷିଆରେ ଜମିଲା ଜିରୋ ନାଇଟ ।

103

କନକ ବ୍ୟୁରୋ : ନୂଆ ବର୍ଷକୁ ସ୍ୱାଗତ କଲା ସାରା ବିଶ୍ୱ । ରଙ୍ଗୀନ ଆଲୋକମାଳାରେ ଝଲସିଲା ପରିବେଶ । ପ୍ୟାରିସ, ଗ୍ରୀସ, ତୁର୍କୀ ଓ ଦୁବାଇରେ ଆଲୋକମାଳା ଓ ଆତସବାଜୀରେ କମ୍ପିଲା ପରିବେଶ । ସାରା ବିଶ୍ୱରେ ଜମିଲା ଜିରୋନାଇଟ ସେଲିବ୍ରେସନ ।

ସାରା ବିଶ୍ୱରେ ବେଶ ଆନନ୍ଦ ଉତ୍ସାହର ସହ ନୂଆବର୍ଷକୁ ସ୍ୱାଗତ କରାଯାଇଛି । ମାୟାନଗରୀ ମୁମ୍ବାଇରେ ଗେଟୱେ ଅଫ୍ ଇଣ୍ଡିଆରେ ୨୦୨୦କୁ ଜୋରଦାର ସ୍ୱାଗତ କରାଯାଇଛି ।

ନୂଆବର୍ଷ ପାଇଁ ସାରା ବିଶ୍ୱରେ ଆୟୋଜିତ ହୋଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ପ୍ୟାରିସର ଆର୍କ ଡି ଟ୍ରାୟମ୍ଫରେ ଆତସବାଜୀରେ କମ୍ପିଉଠିଛି ସାରା ପରିବେଶ । ହଜାର ହଜାର ଲୋକ ଏଠାରେ ଏକଜୁଟ ହୋଇ ୨୦୨୦କୁ ସ୍ୱାଗତ କରିଛନ୍ତି । ପ୍ରବଳ ଜାଡ ସତ୍ୱେ ଲୋକେ ଆତସବାଜୀର ମଜା ଉଠାଇଥିଲେ ।

ଗ୍ରୀସରେ ମଧ୍ୟ ନୂଆବର୍ଷ ପାଳନ ବେଳେ ରଙ୍ଗୀନ ଆତସବାଜୀର ମଜା ଉଠାଇଛନ୍ତି ସଭିଏଁ । ଅର୍କୋପୋଲିସ ଅଫ୍ ଆଥେନ୍ସରେରେ ଆଲୋକମାଳା ଓ ଆତସବାଜୀର ତାଳମେଳ ଦେଖିବାକୁ ମିଳିଛି ।

ତୁର୍କୀରେ ବିଳମ୍ବିତ ରାତିଯାଏଁ ଲୋକେ ରାସ୍ତା ଉପରେ ଉତ୍ସବ ମନାଇଥିଲେ । ଇସ୍ତାନବୁଲର ବୋସଫୋରସ ଷ୍ଟ୍ରିଟରେ ଆତସବାଜୀର ରଙ୍ଗୀନ ନଜାରା ଦେଖିବା ପାଇଁ ଦେଶବିଦେଶରୁ ପର୍ଯ୍ୟଟକଙ୍କ ଭିଡ ଜମିଥିଲା ।

ପୁରୁଣା ବର୍ଷ ୨୦୧୯କୁ ବିଦାୟ ଜଣାଇବା ସହ ଜିରୋ ନାଇଟ୍ ପାଳନ ପାଇଁ ପୁରା ଦୁବାଇ ସହର ଉତ୍କଣ୍ଠାର ସହ ଆପେକ୍ଷା କରିଥିଲେ । ଘଂଟା କଂଟା ୧୨ଟା ଛୁଇଁବା ପରେ ସୁନ୍ଦର ଆଲୋକମାଳାରେ ରଙ୍ଗୀନ ହୋଇଥିଲା ଦୁବାଇର ବୁର୍ଜ ଖଲିଫା । ରଙ୍ଗ ବେରଙ୍ଗର ଆଲୋକମାଳାରେ ନୂଆ ବର୍ଷକୁ ରଙ୍ଗୀନ କରିଥିଲେ ଦୁବାଇବାସୀ ।

ନୂଆ ବର୍ଷକୁ ରୁଷିଆର ମସ୍କୋ ସହର ମଧ୍ୟ ଖୁବ୍ ଉତ୍ସାହର ସହ ପାଳନ କରିଛି । ହଜାର ହଜାର ଲୋକ ଏକାଠି ହୋଇ ଜିରୋ ନାଇଟ୍ ସେଲିବ୍ରେସନ କରିଛନ୍ତି । ରଙ୍ଗୀନ ଆଲୋକ ଓ ଆତସବାଜିରେ ମକ୍ସୋ ସହର ଝଲସି ଉଠିଛି ।