କନକ ବ୍ୟୁରୋ : ନୂଆବର୍ଷର ପ୍ରଥମ ଦିନରେ ଉତ୍ସାହର ମାହୋଲ । ବର୍ଷର ଆରମ୍ଭକୁ ଆଶା ଓ ସମ୍ଭାବନାର ସହ ଆରମ୍ଭ କରିବାକୁ ସମସ୍ତେ ଆଗଭର ହୋଇପଡ଼ିଛନ୍ତି । ରାଜ୍ୟର ପ୍ରସିଦ୍ଧ ମନ୍ଦିର ଓ ପର୍ଯ୍ୟଟନସ୍ଥଳୀରେ ଲୋକଙ୍କ ଗହଳି ଜମିଛି । ଶ୍ରୀକ୍ଷେତ୍ର ଲୋକାରଣ୍ୟ ପାଲଟିଛି । ଶ୍ରୀଜିଉଙ୍କ ଦର୍ଶନ ପାଇଁ ଦେଶର କୋଣ ଅନୁକୋଣରୁ ଛୁଟିଛି ଶ୍ରଦ୍ଧାଳୁଙ୍କ ସୁଅ । ସେପଟେ ଚିଲିକାର କାଳିଜାଇ ପୀଠ, ନନ୍ଦନକାନନ ଓ ବିଭିନ୍ନ ଜାଗାରେ ସମୁଦ୍ର ବେଳାଭୂମିରେ ଲୋକଙ୍କ ଭିଡ଼ ଜମିଛି ।
ନୂଆବର୍ଷର ପ୍ରଥମ ଦିନକୁ ସ୍ୱାଗତ କରିବା ପାଇଁ ରାଜ୍ୟର ପ୍ରସିଦ୍ଧ ମନ୍ଦିର ଓ ପର୍ଯ୍ୟଟନସ୍ଥଳୀରେ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । କିଏ ଠାକୁର ଦର୍ଶନରୁ ତ କିଏ ପର୍ଯ୍ୟଟନସ୍ଥଳୀରେ ପରିବାର ସହ ବୁଲାବୁଲି କରି ନୂଆ ବର୍ଷ ଆରମ୍ଭ କରିଛି ।
ନୂଆବର୍ଷର ପ୍ରଥମ ଦିନର ପ୍ରଥମ କାମ ଜଗା ଦର୍ଶନରୁ ଆରମ୍ଭ କରିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ଏଥିପାଇଁ ଶ୍ରୀକ୍ଷେତ୍ର ଲୋକାରଣ୍ୟ ପାଲଟିଛି । ଶ୍ରୀଜିଉଙ୍କ ଦର୍ଶନ ପାଇଁ ଦେଶର କୋଣ ଅନୁକୋଣରୁ ଛୁଟିଛି ଶ୍ରଦ୍ଧାଳୁଙ୍କ ସୁଅ । ସେପଟେ ନୂଆ ବର୍ଷର ପ୍ରଥମ ସକାଳର ସୂର୍ଯ୍ୟୋଦୟ ପୁରୀ ବେଳାଭୂମିରେ ଦେଖିଛନ୍ତି ପର୍ଯ୍ୟଟକ । ଠାକୁର ଦର୍ଶନ ସହ ବେଳାଭୂମିରେ ବୁଲାବୁଲି କରିବାକୁ ପୁରୀରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହୋଇଛି ।
ସେହିପରି ଚିଲିକାର ଆରାଧ୍ୟଦେବୀ କାଲିଜାଇଙ୍କ ପୀଠରେ ମଧ୍ୟ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ମାଆଙ୍କ ଦର୍ଶନ ପରେ ଚିଲିକାର ନୀଳ ଜଳରାଶି ଓ ସାତପଡାରେ ଡଙ୍ଗାରେ ବୁଲି ଡଲଫିନ ଦେଖିବାକୁ ଜମିଛି ଦୂରଦୂରାନ୍ତରୁ ଆସିଥିବା ପର୍ଯ୍ୟଟକଙ୍କ ଭିଡ । ଓଡିଶାର ଅନ୍ୟତମ ଶକ୍ତିପୀଠ ବାଙ୍କିର ଚର୍ଚ୍ଚିକା ମନ୍ଦିରରେ ମାଆଙ୍କ ନବଯୌବନ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି । ସେପଟେ ଘଟଗାଁ ତାରିଣୀ ପୀଠରେ ମାଆଙ୍କ ସୁନାବେଶ ଦର୍ଶନ କରି ଭକ୍ତମାନେ ନୂଆ ଆଶା ଓ ନୂଆ ବିଶ୍ୱାସ ନେଇ ଘରକୁ ଫେରୁଛନ୍ତି ।
ନୂଆବର୍ଷର ପ୍ରଥମ ଦିନରେ ନନ୍ଦନକାନନ ପରିଭ୍ରମଣର ମଜା ନେଉଛନ୍ତି ହଜାର ହଜାର ପର୍ଯ୍ୟଟକ । ଟିକେଟ ଘରଠୁ ପ୍ରବେଶ ଫାଟକ ପର୍ଯ୍ୟନ୍ତ ଲମ୍ବା ଲାଇନ ଲାଗିଛି । ବାଘ, ଭାଲୁ, ହରିଣ, ଜିରାଫ, ସିମ୍ପାଞ୍ଜି ଠାରୁ ଆରମ୍ଭ କରି ବିଭିନ୍ନ ପକ୍ଷୀ ଖୁଆଡ ଆଗରେ ଧାଡିବାନ୍ଧି ଲୋକେ ଦେଖୁଛନ୍ତି । କୁନି କୁନି ପିଲା ପରିବାର ସଦସ୍ୟଙ୍କ ଲୋକଙ୍କ ସହ ଖେଳକୁଦ କରି ମଜା ଲୁଟିଛନ୍ତି । ସେପଟେ ଅସ୍ତରଙ୍ଗର ମଙ୍ଗଳା ମନ୍ଦିର ଓ ଯାଜପୁରର ବିରଜା ମନ୍ଦିରରେ ଠାକୁରାଣୀଙ୍କ ଦର୍ଶନ କରି ନୂଆ ବର୍ଷ ପାଇଁ ମଙ୍ଗଳକାମନା କରିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ ।
Follow Us