ମହାପ୍ରଭୁଙ୍କ ନୂଆ ୱେବସାଇଟ୍ ଉନ୍ମୋଚିତ । ଆଗକୁ ଅନଲାଇନରେ ବଡଠାକୁରଙ୍କୁ ନିମନ୍ତ୍ରଣ କାର୍ଡ ପଠାଇପାରିବେ ଭକ୍ତ ।

273

କନକ ବ୍ୟୁରୋ : ୱେବସାଇଟରେ ମିଳିବ ମହାପ୍ରଭୁଙ୍କ ଟିକିନିକି ତଥ୍ୟ । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ଉନ୍ମୋଚନ ହୋଇଛି ବଡଠାକୁରଙ୍କ ନୂଆ ଅଫିସିଆଲ ୱେବସାଇଟ୍ shreejagannath.in। ଗଜପତି ମହାରାଜ ଦିବ୍ୟସିଂହଦେଓ ଏହି ନୂଆ ଅଫିସିଆଲ ୱେବସାଇଟକୁ ଉନ୍ମୋଚିତ କରିଛନ୍ତି । ଏହି ନୂଆ ୱେବସାଇଟରେ ଶ୍ରୀଜିଉଙ୍କ ଦୈନନ୍ଦିନ ନୀତିକାନ୍ତି ସହ ଶ୍ରୀମନ୍ଦିରରେ ୧୨ ମାସରେ ପାଳିତ ହେଉଥିବା ସମସ୍ତ ପର୍ବପର୍ବାଣି ବିଷୟରେ ସବିଶେଷ ତଥ୍ୟ ଉଲ୍ଲେଖ ରହିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ଭକ୍ତଙ୍କ ସୁବିଧା ଦୃଷ୍ଟିରୁ ଏହି ନୂଆ ଅଫିସିଆଲ ୱେବସାଇଟରେ ଅନେକ ପରିବର୍ତ୍ତନ କରାଯାଇଛି । ଦୂରରୁ ଆସୁଥିବା ପର୍ଯ୍ୟଟକ ମାନେ ଏହି ୱେବସାଇଟରେ ଶ୍ରୀମନ୍ଦିର ସର୍ମ୍ପକରେ ସମସ୍ତ ତଥ୍ୟ ପାଇପାରିବେ । ଏପରିକି ଆବଶ୍ୟକସ୍ଥଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କଣ ସାହାର୍ଯ୍ୟ ପାଇପାରିବେ ତାହା ମଧ୍ୟ ଏହି ୱେବସାଇଟରେ ଉଲ୍ଲେଖ ରହିଛି । ଏହି ନୂଆ ୱେବସାଇଟକୁ ୩ଟି ଭାଷାରେ ଚଲାଇବାକୁ ଲକ୍ଷ୍ୟ ରଖାଯାଇଛି । ଓଡ଼ିଆ, ହିନ୍ଦୀ ଓ ବଙ୍ଗଳା ଭାଷାରେ ୱେବସାଇଟରେ ମହାପ୍ରଭୁଙ୍କ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଉଲ୍ଲେଖ ରହିବ । ପ୍ରାଥମିକ ପର୍ଯ୍ୟାୟରେ କେବଳ ଓଡିଆରେ ଏହି ୱେବସାଇଟକୁ ଆରମ୍ଭ କରାଯାଇଛି ।

କେବଳ ଏତିକି ଏହି ନୂଆ ୱେବସାଇଟରେ ଆଗକୁ ଅନେକ ପରିବର୍ତ୍ତନ ମଧ୍ୟ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଅନଲାଇନ ମାଧ୍ୟମରେ ଭକ୍ତଙ୍କ ଠାରୁ ଦାନ ଗ୍ରହଣ କରାଯିବ । ଏପରିକି ଯେଉଁ ଭକ୍ତ ମାନେ ମହାପ୍ରଭୁଙ୍କୁ କୋଠଭୋଗ ପାଇଁ ଦାନ ଦେବା ପାଇଁ ଚାହିଁବେ ସେମାନେ ମଧ୍ୟ ଏହି ୱେବସାଇଟ ମାଧ୍ୟମରେ ଦେଇପାରିବେ । ଏହାଦ୍ୱାରା ଶ୍ରୀମନ୍ଦିରର ପାଣ୍ଠି ବୃଦ୍ଧି ହୋଇପାରିବ ।

କେବଳ ଏତିକି ନୁହେଁ ମହାପ୍ରଭୁଙ୍କୁ ୱେବସାଇଟ ମାଧ୍ୟମରେ ବାହାଘର କାର୍ଡ ମଧ୍ୟ ପଠାଇପାରିବେ । ଯେଉଁ ଭକ୍ତ ମାନେ ଦୂରରେ କିମ୍ବା ଦେଶ ବାହାରେ ରହୁଛନ୍ତି କିନ୍ତୁ ଜଗନ୍ନାଥଙ୍କ ନିକଟରେ ନିଜର ବାହାଘର ନିମନ୍ତ୍ରଣ କାର୍ଡ ଦେବାକୁ ଚାହୁଁଥାନ୍ତି ସେମାନେ ଏହି ୱେବସାଇଟ ମାଧ୍ୟମରେ ନିଜର ନିମନ୍ତ୍ରଣ କାର୍ଡ ପଠାଇପାରିବେ । ଏହି କାର୍ଡକୁ ଅନଲାଇନରେ ଆସିବା ପରେ ଖୁଣ୍ଟିଆ ସେବକଙ୍କୁ ଦିଆଯିବ । ଯାହାକୁ ସେମାନେ ପ୍ରିଣ୍ଟଆଉଟ କରି ବାହାର କରିବା ସହ ବିଧି ଅନୁସାରେ ମହାପ୍ରଭୁଙ୍କ ନିକଟରେ ଚଢାଇବେ । ଆଉ ଏହାପରେ ଭକ୍ତଙ୍କ ନିକଟକୁ ଏକ ମେସେଜ ଯିବ ଯେଉଁଥିରେ କାର୍ଡ କେବେ ଓ କେଉଁ ସମୟରେ ମହାପ୍ରଭୁଙ୍କ ନିକଟରେ ଅର୍ପଣ କରାଗଲା ତାହା ଉଲ୍ଲେଖ ରହିବ । ଆଉ ଭକ୍ତ ମଧ୍ୟ ଅନଲାଇନ ମାଧ୍ୟମରେ ନିମନ୍ତ୍ରଣ କାର୍ଡ ବାବଦକୁ ପ୍ରାପ୍ୟ ପ୍ରଦାନ କରିବେ । ଏହାଦ୍ୱାରା ଦୂରରେ ରହିଲେ ମଧ୍ୟ ଭକ୍ତ ମାନେ ମହାପ୍ରଭୁଙ୍କ ନିକଟରେ ନିଜର ନିମନ୍ତ୍ରଣ କାର୍ଡ ଅର୍ପଣ କରିବାର ସୁଯୋଗ ପାଇପାରିବେ ।