କରୋନାର ନୂଆ ଭାରିଆଣ୍ଟ ବିଶ୍ୱ ପାଇଁ ସାଜିବ କି ବିପଦ ? ଦକ୍ଷିଣଆଫ୍ରିକା ସମେତ ୮ଟି ଦେଶରେ ହେଲା ଚିହ୍ନଟ, ହୁ କହିଲା ସଂକ୍ରମଣର ସ୍ଥିତି ଉପରେ ରହିଛି ନଜର ।

629

କନକ ବ୍ୟୁରୋ : କରୋନାର ନୂଆ ପ୍ରକାର ଭାରିଆଣ୍ଟ ଚିନ୍ତା ବଢାଇବ କି ? ନୂଆ ଭାରିଆଣ୍ଟ ଦକ୍ଷିଣ ଆଫ୍ରିକା ସମେତ ୮ଟି ଦେଶରେ ଚିହ୍ନଟ ହୋଇଛି । ଏସବୁ ରାଷ୍ଟ୍ରରେ ସଂକ୍ରମଣର ସଂଖ୍ୟା ଓ ଗୁରୁତର ହେଉଥିବା ରୋଗୀଙ୍କ ସଂଖ୍ୟା ଉପରେ ନଜର ରଖିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଆଉ ଭାରତ ମଧ୍ୟ ଏହାକୁ ‘ଭାରିଆଣ୍ଟ ଅଫ୍ ଇନଟ୍ରେଷ୍ଟ’ କାଟାଗୋରୀରେ ରଖିଛି ।

ଭୟ ବଢାଇଲା କରୋନାର ନୂଆ ଭାରିଆଣ୍ଟ । ବିଶ୍ୱର ୮ଟି ଦେଶକୁ ମାଡିଗଲାଣି ନୂଆ ଭୂତାଣୁ । କରୋନାର ତୃତୀୟ ଲହରକୁ ନେଇ ଚର୍ଚ୍ଚା ଭିତରେ ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ପ୍ରଜାତି ଭୂତାଣୁ ଚିହ୍ନଟ ହେବା ଚିନ୍ତା ବଢାଇଦେଇଛି । ଯାହାର ନାଁ ଦିଆଯାଇଛି ସି ଡଟ୍ ୱାନ ଡଟ୍ ଟୁ । ଗତ ମେ ମାସରେ ଚିହ୍ନଟ ହୋଇଥିବା ଏହି ମ୍ୟୁଟାଣ୍ଟ ଭୂତାଣୁ ଅଗଷ୍ଟ ୧୩ ତାରିଖ ସୁଦ୍ଧା ବିଶ୍ୱର ୮ଟି ଦେଶ, ଚୀନ୍, ଇଂଲଣ୍ଡ, ସରିସସ, କଙ୍ଗୋ, ପର୍ତୁଗାଲ, ନ୍ୟୁଜିଲାଣ୍ଡ ଓ ସୁଇଜରଲାଣ୍ଡକୁ ବ୍ୟାପିଗଲାଣି ।

କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି, କରୋନାର ନୂଆ ଭାରିଆଣ୍ଟ ପ୍ରଭାବଶାଳୀ ହେବ ନାହିଁ । କାରଣ ମେ ମାସରୁ ଚିହ୍ନଟ ହୋଇଥିଲେ ମଧ୍ୟ ଅଧିକ ପ୍ରଭାବ ବିସ୍ତାର କରିପାରିନାହିଁ । ଏହା ଉପରେ ଅଧିକ ଅନୁଧ୍ୟାନ ଚାଲିଛି ।

– ଡେଲଟା ଠାରୁ ଅଧିକ ସଂକ୍ରାମକ କରୋନାର ନୂଆ ପ୍ରଜାତି ସି.୧.୨
– ପୂର୍ବ ଭୂତାଣୁ ତୁଳନାରେ କ୍ଷୀପ୍ର ବେଗରେ ସଂକ୍ରମଣ କରିପାରେ
– ଟିକାର ସୁରକ୍ଷା ବଳୟ ଭେଦ କରିବାକୁ ସକ୍ଷମ
– କରୋନାର ଅନ୍ୟ ଭୂତାଣୁ ଠାରୁ ୧.୮ ଦ୍ରୁତ ବେଗରେ ମ୍ୟୁଟାଣ୍ଟ ହୋଇପାରେ

ବିଶ୍ୱର ୮ଟି ଦେଶରେ ଚିହ୍ନଟ କରୋନାର ନୂଆ ଭୂତାଣୁ ‘ସି.୧.୨’ ରେ ଭାରତରେ ଏଯାଏଁ କେହି ଆକ୍ରାନ୍ତ ହୋଇନଥିବା ସୂଚନା ଦେଇଛନ୍ତି ଭାରତ ସରକାର । ତେବେ ଏହି ନୂଆ ଭୁତାଣୁ ତୃତୀୟ ଲହରର ବାହକ ହେବ କି ବୋଲି ଚର୍ଚ୍ଚା ଉଠିଲାଣି । ତୃତୀୟ ଲହରରେ ଛୋଟ ପିଲା ଅଧିକ ସଂକ୍ରମିତ ହେବା ନେଇ ଆକଳନ କରାଯାଇଥିବାରୁ ବାପ-ମାଆଙ୍କୁ ସତର୍କ ରହିବାକୁ କହିଛନ୍ତି ବିଶେଷଜ୍ଞ ।
କରୋନାର ନୂଆ ଭାରିଆଣ୍ଟକୁ ନେଇ ପ୍ରଥମ ପଦକ୍ଷେପ ଗ୍ରହଣ କରିଛନ୍ତି କେରଳ ସରକାର । ସଂକ୍ରମିତ ଦେଶରୁ ଆସୁଥିବା ନାଗରିକଙ୍କୁ ଏୟାରପୋର୍ଟରେ ସ୍କ୍ରିନିଂ ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ । ସେହିପରି ପୁଣି ସଂକ୍ରମଣ ବଢିବାରୁ ରାଜ୍ୟରେ ନାଇଟ କର୍ଫ୍ୟୁ ଜାରି କରାଯାଇଛି ।