କରୋନା ନୂଆ ମ୍ୟୁଟାଣ୍ଟକୁ ନେଇ ଚର୍ଚ୍ଚା ! ଚୀନ, ଇଂଲଣ୍ଡ ଓ ନ୍ୟୁଜଲାଣ୍ଡ ସମେତ ୭ଟି ଦେଶରେ ବ୍ୟାପୁଛି ନୂଆ ଭ୍ୟାରିଆଣ୍ଟ ।

139

କନକ ବ୍ୟୁରୋ: ସାମ୍ଭବ୍ୟ ତୃତୀୟ ଲହରର ମୁକାବିଲା ନେଇ ଏବେ ସରକାର ପ୍ରସ୍ତୁତି ଚଳାଉଥିବା ବେଳେ କରୋନାର ଆଉ ଏକ ନୂଆ ଭ୍ୟାରିଏଂଟ ସାମ୍ନାକୁ ଆସିଛି । ଯାହା ଅନ୍ୟ ଭ୍ୟାରିଏଂଟ ତୁଳନାରେ ଅଧିକ ସଂକ୍ରାମକ ବୋଲି କୁହାଯାଉଛି । ଏହି ଭ୍ୟାରିଏଂଟ ହେଉଛି ସି.୧.୨ । ଯାହାକୁ ଦକ୍ଷୀଣ ଆଫ୍ରିକାର ବିଶେଷଜ୍ଞମାନେ ଠାବ କରିଛନ୍ତି ।..

କରୋନାର ନୂଆ ପ୍ରକାର ସି.୧.୨କୁ ନେଇ ଏବେ ବଢିବାରେ ଲାଗିଲାଣି ଚିନ୍ତା । ଆଫ୍ରିକୀୟ ଦେଶ ଗୁଡିକରେ ଏହି ଭାରିଏଂଟ ବ୍ୟାପିବାରେ ଲାଗିଛି । ଦକ୍ଷିଣ ଆଫ୍ରିକାର ବିଶେଷଜ୍ଞମାନେ ଏହି କରୋନାର ଏହି ନୂଆ ପ୍ରକାରକୁ ପ୍ରଥମେ ଠାବ କରିଛନ୍ତି । ଏହି ଭାଇରସ ଡେଲଡା ଭ୍ୟାରିଏଂଟ ଠାରୁ ଅଧିକ ସଂକ୍ରାମକ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଦକ୍ଷୀଣ ଆଫ୍ରିକାର ‘ଦ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଫର କମ୍ୟୁନିକେବଲ ଡିଜିଜେସ୍’ର ବୈଜ୍ଞାନିକମାନଙ୍କ ଦ୍ୱାରା କରାଯାଇଥିବା ଅନୁସନ୍ଧାନରୁ ଏହି କୋଭିଡ୍ର ଏହି ନୂଆ ଭାରିଏଂଟ୍ ବିଷୟରେ ଜାଣିବାକୁ ମିଳିଛି ।

ବୈଜ୍ଞାନିକମାନେ କହିଛନ୍ତି
– ସି.୧.୨ ଭାଇରସ ପ୍ରଥମେ ମେ ୨୦୨୧ରେ ଦକ୍ଷୀଣ ଆଫ୍ରିକାର ମୁମାଲଙ୍ଗା ଏବଂ ଗଉତେଙ୍ଗରେ ଠାବ କରାଯାଇଥିଲା
– ଏହି ଭ୍ୟାରିଏଂଟ ସବୁଠୁ ଘାତକ କୁହାଯାଇଥିବା ଡେଲଟା ଭ୍ୟାରିଏଂଟ ଠାରୁ ମଧ୍ୟ ଅଧିକ ମାରାତ୍ମକ
– ଏହି ଭାଇରସର ମ୍ୟୁଟାଂଟଗୁଡିକ ଅଧିକ ସଂକ୍ରାମକ ଏବଂ ଆଂଟି ବଡିକୁ ମଧ୍ୟ କ୍ଷତି ପହଂଚାବାରେ ସକ୍ଷମ
– ଅଗଷ୍ଟ ୧୩ ସୁଦ୍ଧା ଏହା ଚୀନ, ଇଂଲଣ୍ଡ, କଙ୍ଗୋ, ପର୍ତୁଗାଲ, ନ୍ୟୁଜିଲାଣ୍ଡ ଓ ସୁଇଜଲ୍ୟାଣ୍ଡରେ ବ୍ୟାପିଗଲାଣି
– ବିଶ୍ୱର କରୋନା ଭାଇରସର ଦେଖାଯାଇଥିବା ସମସ୍ତ ଭ୍ୟାରିଏଂଟ ଠାରୁ ଏହା ଅଧିକ ସଂକ୍ରାମକ
– ଏହି ଭ୍ୟାରିଏଂଟ ବର୍ଷକରେ ହାରାହାରି ୪୧ ଥର ନିଜ ରୂପ ପରିବର୍ତନ କରି ନୂଆ ମ୍ୟୁଟାଂଟକୁ ଜନ୍ମ ଦିଏ

ମାରାତ୍ମକ ଡେଲ୍ଟା ଭାରିଏଣ୍ଟ ସାରା ବିଶ୍ୱରେ ପ୍ରଳୟ କରିଥିବାବେଳେ ଏବେ ଏହି ନୂଆ ଭାରିଏଂଟକୁ ନେଇ ଚିନ୍ତା ବଢିବାରେ ଲାଗିଛି । କାରଣ ଏହି ନୂଆ ଭାଇରସକୁ ରୋକିବାରେ ଟିକା ଏତେଟା ସହାୟକ ନୁହେଁ ବୋଲି ବିଶେଷଜ୍ଞମାନେ କହିଛନ୍ତି । ବୈଜ୍ଞାନିକଙ୍କ ସୂଚନା ଅନୁସାରେ କୋଭିଟ୍ ଭାରିଏଂଟ ସି.୧.୨ ଦକ୍ଷିଣ ଆଫ୍ରିକାର ଲୋକଙ୍କ ମଧ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ମେ ମାସରେ ଏହି ଭୂତାଣୁରେ ସଂକ୍ରମଣ ହାର ୦.୨ ପ୍ରତିଶତ ଥିବାବେଳେ ଜୁନରେ ସଂକ୍ରମଣ ହାର ବୃଦ୍ଧି ପାଇ ୧.୬ ପ୍ରତିଶତ ହୋଇଥିଲା । ଯାହା ପ୍ରମାଣ କରୁଛି, ଏହି ଭୂତାଣୁରେ ଦ୍ରୁତ ଗତିରେ ଆକ୍ରାନ୍ତ ହେଉଛନ୍ତି ଲୋକେ । ଚିନ୍ତାର ବିଷୟ ହେଉଛି ଯେ, ପୂର୍ବ ଭାଇରସ ସହ ଲଢିବା ପାଇଁ ଶରୀରରେ ତିଆରି ହୋଇଥିବା ଆଟିଂବଡିକୁ ମଧ୍ୟ କ୍ଷତି ପହଂଚାଇବାରେ ସକ୍ଷମ କୋଭଡିର ନୂଆ ଭାରିଏଂଟ୍ । ତେବେ ଭାରତରେ ବର୍ତମାନ ସୁଦ୍ଧା ଏହି ଭୂତାଣୁ ଚିହ୍ନଟ ହୋଇନାହିଁ ।

ଭାରତରେ ବର୍ତମାନ ସୁଦ୍ଧା ସି.୧.୨ ଭୂତାଣୁ ଚିହ୍ନଟ ହୋଇ ନିଥିଲେ ବି ଭାରତୀୟ ବୈଜ୍ଞାନିକମାନେ ଏହାକୁ ଗୁରୁତର ସହ ନେଇଛନ୍ତି । ଏହି ଭୂତାଣୁ ଦ୍ରୁତ ଗତିରେ ନିଜ ରୂପ ପରିବର୍ତନ କରି ନୂଆ ମ୍ୟୁଟାଂଟ୍କୁ ଜନ୍ମ ଦେଉଛି । ଯାହା ଚିନ୍ତା ଜନକ । ଆଉ ଏହା ଯଦି ସାରା ବିଶ୍ୱରେ ବ୍ୟାପିବା ଆରମ୍ଭ କରେ ତାହାଲେ ଟିକାକରଣ ପାଇଁ ନୂଆ ସମସ୍ୟା ସୃଷ୍ଟି ହୋଇପାରେ ।