ମୋବାଇଲରୁ ମିଳିବ କି ପରୀ ହତ୍ୟାକାରୀର ସୁରାକ୍? ଜଣେ କଲେଜ ଛାତ୍ର ଆଡକୁ କେନ୍ଦ୍ରୀଭୂତ ହୋଇଛି ଏସଆଇଟି ତଦନ୍ତ, ପରୀ ମୃତ୍ୟୁ ମାମଲାରେ ଆସୁଛି ରୋଚକ ମୋଡ ।

330

କନକ ବ୍ୟୁରୋ : ପରୀ ହତ୍ୟା ଘଟଣାରେ ଏସଆଇଟି ତଦନ୍ତ ବେଳେ ଏକ ରୋଚକ ମୋଡ ସାମ୍ନାକୁ ଆସିଛି । ପରୀ ଘର ନିକଟରେ ଥିବା ଜଣେ ୧୮ ବର୍ଷିୟ ଯୁବକର ମୋବାଇଲ୍ ଫୋନରେ ଝୁଂଟି ହୋଇପଡିଥିଲା ଏସଆଇଟିର ତଦନ୍ତ । ପୂର୍ବରୁ ଏହି ଯୁବକର ମୋବାଇଲକୁ ପୁଲିସ ସିଜ୍ କରିଥିଲା । କିନ୍ତୁ ମୋବାଇଲ ଭିତରେ ଥିବା ଏକ ଫୋଲଡରକୁ ପୁଲିସ ବହୁ ଚେଷ୍ଟା କରି ବି ଖୋଲିପାରିନଥିଲା । କାରଣ ଏହାକୁ ପାସୱାର୍ଡ ଦେଇ ଲକ୍ କରାଯାଇଥିଲା । ଏହି ପାସୱାର୍ଡ ପାଇଁ ସେହି ଯୁବକ ପାଖରେ ପହଂଚିଥିଲେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ।

ପରୀ ମାମଲାର ଛାନଭିନ କରିବାକୁ ଯେତେଥର ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଯଦୁପୁର ଗାଁକୁ ଯାଉଛନ୍ତି, ଏହି ବହୁଚର୍ଚ୍ଚିତ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠିବା ନେଇ ଉତ୍କଣ୍ଠା ସେତିକି ବଢିବଢି ଯାଉଛି । ହେଲେ ତଦନ୍ତ କେତେ ବାଟ ଗଲା? କେଉଁମାନଙ୍କ ଉପରେ ସନ୍ଦେହ କରୁଛି ଯାଂଚକାରୀ ଦଳ? ଏପରିକି ପରୀକୁ ହତ୍ୟା କରାଯାଇଛି ନା ବଳି ଦିଆଯାଇଛି? ଏହିଭଳି ଏକାଧିକ ପ୍ରଶ୍ନ ଏବେ ବି ସମସ୍ତଙ୍କୁ ଆନ୍ଦୋଳିତ କରୁଛି । ଏବେ ଏହି ମାମଲାରେ ଏସଆଇଟିର ତଦନ୍ତ ଜଣେ କଲେଜ ଛାତ୍ରଙ୍କ ଉପରେ କେନ୍ଦ୍ରୀଭୂତ ହୋଇଥିବା ଜାଣିବାକୁ ମିଳିଛି । ଗତକାଲି ଯଦୁପୁର ଗାଁରେ ପହଞ୍ଚି ସଂପୃକ୍ତ ଛାତ୍ରଙ୍କୁ ପଚରା ଉଚରା କରିଥିଲେ ଖୋଦ ଏସଆଇଟି ମୁଖ୍ୟ ।

ମିଳିଥିବା ସୂଚନା ଅନୁସାରେ କିଛିଦିନ ତଳେ ଏହି ଛାତ୍ରଙ୍କ ରକ୍ତ ଓ ଲାଳ ଆଦି ପରୀକ୍ଷା କରାଇଥିଲା ଏସଆଇଟି । ଏପରିକି ଗତ ୨ ତାରିଖରୁ ତାଙ୍କ ମୋବାଇଲ ଫୋନକୁ ସାଙ୍ଗରେ ନେଇ ଯାଇଥିଲା । ହେଲେ ମୋବାଇଲରେ କିମ୍ବା ସେଥିରେ ଥିବା କିଛି ଫାଇଲରେ ପାସୱାର୍ଡ ପକାଇ ରଖିଥିବାରୁ ଏହାକୁ ଖୋଲିପାରିନଥିଲେ ଏସଆଇଟି କର୍ତ୍ତୃପକ୍ଷ । ଯେଉଁଥିପାଇଁ ପାସୱାର୍ଡ ଖୋଲିବାକୁ ପୁଣି ସେହି ଛାତ୍ରଙ୍କ ନିକଟକୁ ଯଦୁପୁର ଆସିଥିଲେ ଏସଆଇଟି ମୁଖ୍ୟ । ହେଲେ ଛାତ୍ରଜଣକ କୌଣସି ପାସୱାର୍ଡ ପକାଇନଥିବା କହିବାରୁ ବିରକ୍ତି ପ୍ରକାଶ କରିବା ସହ ପୁନର୍ବାର ମୋବାଇଲଟିକୁ ସାଙ୍ଗରେ ନେଇଯାଇଛନ୍ତି ।

ତେବେ କାହିଁକି ଏହି ଯୁବକଙ୍କ ଉପରେ କେନ୍ଦ୍ରୀଭୂତ ହୋଇଛି ଯାଂଚକାରୀ ଦଳର ତଦନ୍ତ । ପରୀ ହତ୍ୟାକାରୀ ସଂପର୍କରେ କିଛି ଠୋସ ସୂଚନା ପାଇଛି କି କ୍ରାଇମବ୍ରାଂଚ ଏସଆଇଟି । ପଚରା ଉପରା ପରେ ଜଣାପଡିଛି ପରୀ ନିଖୋଜ ହେବା ପୂର୍ବଦିନ ଏହି ଯୁବକଙ୍କଠାରୁ ଜାମୁକୋଳି ଖାଇଥିଲା । ତେବେ ଏହି ମୋବାଇଲରେ ଏମିତି କ’ଣ ଅଛି ଯାହାକୁ ପାସୱାର୍ଡ ପକାଇ ରଖାଯାଇଛି । ଏବଂ ଏସଆଇଟି କାହିଁକି ଏହି ମୋବାଇଲ ପଛରେ ପଡିଛି ତାହା ହିଁ ସବୁଠାରୁ ଅଧିକ ଚର୍ଚ୍ଚାର ବିଷୟ ହୋଇଛି ।