ଜୁନାଗଡ ଗଣଦୁଷ୍କର୍ମ ମାମଲା : ପୀଡିତା କହିଲେ ପୂରା କାହାଣୀ । ପ୍ରଶ୍ନ କଲେ କାହିଁକି ମୁଖ୍ୟ ଆସାମୀ ବସ୍ ଡ୍ରାଇଭରକୁ ଛାଡିଦେଲା ପୁଲିସ । ବିଜେପି ମାଗିଲା ଗୃହରାଷ୍ଟ୍ରମନ୍ତ୍ରୀଙ୍କ ଉତ୍ତର ।

1,846

କନକ ବ୍ୟୁରୋ : ଜୁନାଗଡ ଗଣଦୁଷ୍କର୍ମ ମାମଲାରେ ମୁହଁ ଖୋଲିଛନ୍ତି ପୀଡିତା । ଆଉ ସେ ମୁହଁ ଖୋଲିବା ପରେ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣା ନୂଆ ମୋଡ ନେଇଛି । ପୋଲିସର ରାଜସାକ୍ଷୀ ପାଲଟିଥିବା ଡ୍ରାଇଭର ଲଳିତେନ୍ଦ୍ର ଶବର ହିଁ ଏଭଳି ଜଘନ୍ୟ କାଣ୍ଡର ମୁଖ୍ୟ ଖଳନାୟକ ବୋଲି ପୀଡିତା କହିଛନ୍ତି । ଡ୍ରାଇଭରଙ୍କୁ କାହିଁକି ପୁଲିସ ଛାଡି ଦେଲା ବୋଲି ପୀଡିତା ପ୍ରଶ୍ନ କରିଥିବା ବେଳେ ପୀଡ଼ିତାଙ୍କ ବୟାନକୁ ନେଇ ଶାସକ ଦଳକୁ ଘେରିିଛି ବିଜେପି । ସେପଟେ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ରାଜନୀତିକରଣ କରାନଯାଉ ବୋଲି ଅନୁରୋଧ କରିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।

ତେବେ ଯେଉଁ ଡ୍ରାଇଭରକୁ ପୋଲିସ ରାଜସାକ୍ଷୀ କରିଛି, ସେ ହିଁ ଗଣଦୁଷ୍କର୍ମର ମୁଖ୍ୟ ଖଳନାୟକ ବୋଲି ଦର୍ଶାଇଛନ୍ତି ପୀଡ଼ିତା । ପୂରା ଘଟଣାକ୍ରମ ବର୍ଣ୍ଣନା କରିବା ସହ କିପରି ବସ ଡ୍ରାଇଭର ଲଳିତେନ୍ଦ୍ର ଶବର ବାଇକରେ ଲିଫ୍ଟ ଦେଇ ଜୁନାଗଡ଼ ଅଭିମୁଖେ ନେଇଥିଲା ଓ ବାଟରେ ବାଇକ୍ ଅଟକାଇଥିଲା, ଏସବୁ ବର୍ଣ୍ଣନା କରିଛନ୍ତି ପୀଡ଼ିତା । କେବଳ ଗଣଦୁଷ୍କର୍ମ ପାଇଁ ସୁଯୋଗ ସୃଷ୍ଟି କରିବା ନୁହେଁ, ନିଜେ ପ୍ରଥମେ ଦୁଷ୍କର୍ମ କରିଥିବା ପୀଡ଼ିତା ଅଭିଯୋଗ କରିଛନ୍ତି ।

ପୀଡ଼ିତାଙ୍କ ବୟାନ ସୋସିଆଲ୍ ମିଡିଆରେ ଭାଇରାଲ ହେବା ପରେ ଜୁନାଗଡ଼ ଗଣଦୁଷ୍କର୍ମ ମାମଲା ଭିନ୍ନ ମୋଡ଼ ନେଇଛି । ପୀଡ଼ିତାଙ୍କ ବୟାନକୁ ନେଇ ଶାସକ ଦଳକୁ ଘେରିଛି ବିଜେପି । କାହା ଚାପରେ ଡ୍ରାଇଭର ଲଳିତେନ୍ଦ୍ର ଶବରକୁ ଘଂଟ ଘୋଡ଼ାଯାଉଛି ବୋଲି ପ୍ରଶ୍ନ ଉଠାଇଛି ଦଳ । ଲଳିତେନ୍ଦ୍ର ଯେଉଁ ବସ ଚଳାଉଥିଲେ, ତା’ର ମାଲିକ କଳାହାଣ୍ଡି ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ପ୍ରବୋଧ ରଥଙ୍କ ସହ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଘନିଷ୍ଠ ସଂପର୍କ ରହିଥିବା ଅଭିଯୋଗ କରିଛନ୍ତି ବିଜେପି ରାଜ୍ୟ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ।

ତେବେ ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ରାଜନୀତି କରାନଯାଉ ବୋଲି ଅନୁରୋଧ କରିଛନ୍ତି ଦିବ୍ୟଶଙ୍କର । ଘଟଣାରେ ଯେଉଁମାନଙ୍କର ସଂପର୍କ ରହିଛି, କାହାକୁ ଛଡ଼ା ଯିବନି ବୋଲି କହିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ।

ଜୁନାଗଡ଼ ଗଣଦୁଷ୍କର୍ମ ମାମଲାରେ ୬ଜଣ ଓ ଭିଡିଓ ଭାଇରାଲ ଘଟଣାରେ ୩ ଜଣଙ୍କୁ ଗିରଫ କରି କୋର୍ଟଚାଲଣ କରିଛି ପୋଲିସ । ସେଥିମଧ୍ୟରେ ଥିବା ଜଣେ ଦୁଷ୍କର୍ମ ଅଭିଯୁକ୍ତ ନାବାଳକ ହୋଇଥିବାରୁ ତାକୁ ଜୁଭେନାଇଲ କୋର୍ଟକୁ ପଠାଇ ଦିଆଯାଇଛି ।