ରାଜ୍ୟ କଂଗ୍ରେସ ରାଜନୀତିରେ ନୂଆ ଟ୍ୱିଷ୍ଟ: ନିରଂଜନଙ୍କୁ ଭେଟିଲେ ପିସିସି ହଟାଅ ଅଭିଯାନରେ ସାମିଲ ହୋଇଥିବା ନେତା

କହିଲେ ଆମେ ନିରଞ୍ଜନଙ୍କ ବିରୋଧରେ ଅଭିଯାନ ଆରମ୍ଭ କରିନାହୁଁ

884

କନକ ବ୍ୟୁରୋ: ରାଜ୍ୟ କଂଗ୍ରେସ ରାଜନୀତିରେ ନୂଆ ଟ୍ୱିଷ୍ଟ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଭେଟିଛନ୍ତି ନିରଞ୍ଜନ ହଟାଅ ଅଭିଯାନରେ ସାମିଲ ହୋଇଥିବା ନେତା । ପରେ ନେତାମାନେ କହିଛନ୍ତି, ସେମାନେ ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଅଭିଯାନ ଆରମ୍ଭ କରିନାହାନ୍ତି । ଜଣେ ଯୁବ ନେତୃତ୍ୱକୁ ନେତୃ୍ତ୍ୱ ଦେବା ସପକ୍ଷରେ ଅଛନ୍ତି । ନିରଞ୍ଜନ ଇସ୍ତଫା ଦେଇସାରିଛନ୍ତି, ସେ ବର୍ତ୍ତମାନ ଆଭ୍ୟନ୍ତରୀଣ ସଭାପତି ଅଛନ୍ତି । ଗଣମାଧ୍ୟମ ଭୁଲ ଭାବେ ଏହାକୁ ଦର୍ଶାଇଛି ବୋଲି ସେମାନେ କହିଛନ୍ତି । ତେଣୁ ପରବର୍ତ୍ତୀ ସଭାପତି ପାଇଁ ପ୍ରସ୍ତାବ ଦିଆଯାଇଛି । ବୁଧବାର ଦିନ ପାନ୍ଥନିବାସରେ ଏହି ବୈଠକ ହୋଇଥିଲା ।

ଓଡ଼ିଶାରେ ଲୋକେ ବାରମ୍ବାର ହାତକୁ ହତାଦାର କରୁଥିଲେ ମଧ୍ୟ ପୁରୁଣା ଅଭ୍ୟାସ ଛାଡିପାରିନାହାନ୍ତି ଦଳୀୟ ନେତା । ଗୋଡଟଣା ନୀତି ପାଇଁ ରାଜ୍ୟରେ କଂଗ୍ରେସ ‘ହାତ’ ଟେକି ପାରୁନାହିଁ । ଆଉ ଏଭଳି ସ୍ଥିତିରେ ପୁଣି ବାହାରିଛି କଂଗ୍ରେସର ପୁରୁଣା ରୋଗ । ଆରମ୍ଭ ହୋଇଛି ପିସିସି ସଭାପତି ହଟାଅ ଅଭିଯାନ । ନିରଞ୍ଜନଙ୍କୁ ହଟାଇ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ପରବର୍ତ୍ତୀ ପିସିସି ସଭାପତି କରିବାକୁ ଆରମ୍ଭ ହେଲାଣି ବ୍ଲୁ-ପ୍ରିଣ୍ଟ ।

ଗତ ବୁଧବାର ଭୁବନେଶ୍ୱର ପାନ୍ଥନିବାସରେ ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧୀ ଗୋଷ୍ଠୀଙ୍କ ବୈଠକ ବସିବା ସହ ମହମ୍ମଦ ମୋକିମଙ୍କୁ ପରବର୍ତୀ ପିସିସି ସଭାପତି କରିବାକୁ ଦାବି ହୋଇଥିଲା । କଂଗ୍ରେସ ନେତା ବାପି ସର୍ଖେଲ ମୋକିମଙ୍କ ସପକ୍ଷରେ ଯୁକ୍ତି ରଖି କହିଥିଲେ କି , କଟକ ଭଳି ସ୍ଥାନରେ ବିଜେଡିକୁ ମୁକାବିଲା କରି ମୋକିମ ବିଜୟୀ ହୋଇଛନ୍ତି ଏବଂ ଏହା ହିଁ ତାଙ୍କ ନେତୃତ୍ୱ ନେବାର ଦକ୍ଷତାକୁ ପ୍ରମାଣିତ କରୁଛି । ଆଉ ବାପିଙ୍କ ଏହି ବୟାନର ଜବାବରେ ନିରଞ୍ଜନ କହିଥିଲେ, ପିସିସି ସଭାପତି ହଟାଓ ଅଭିଯାନ କଂଗ୍ରେସ ଦଳର ୨୫ ବର୍ଷ ତଳର ପୁରୁଣା ରୋଗ । ଏହି ରୋଗ ସହଜରେ ଯିବନି । ସଭାପତି ଭାବେ ଏହି ରୋଗକୁ ମୁଁ ମାରିପାରିନି । ତେଣୁ ପୁଣିଥରେ ଏହି ରୋଗ ବାହାରିଛି ବୋଲି କହିଥିଲେ ନିରଂଜନ ପଟ୍ଟନାୟକ ।