କନକ ବ୍ୟୁରୋ: ଭଞ୍ଜନଗର ଗାଙ୍ଗପୁର ଥାନା ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ମୃତ୍ୟୁକୁ ନେଇ ବଢୁଛି ରହସ୍ୟ । ଗୁଳି ଫୁଟିବା ସମୟରେ କେବଳ ଦୁଇ ବରିଷ୍ଠ ପୁଲିସ ଅଧିକାରୀଙ୍କ ଉପସ୍ଥିତି ସନ୍ଦେହକୁ ଆହୁରି ବଢାଉଥିବା ବେଳେ ଇତିମଧ୍ୟରେ ଘଟଣାରେ ଆସିଛି ନୂଆମୋଡ । ଗଞ୍ଜାମ ଏସପି ବ୍ରିଜେଶ ରାୟ ଏହି ଘଟଣାରେ ନୂଆ ମୋଡ ଆଣିଛନ୍ତି । ସେ କହିଛନ୍ତି, ମୃତ ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ଭଉଣୀ ପୁଲିସ ନିକଟକୁ ଫୋନ କରିଥିଲେ । ଭଉଣୀ ପୁଲିସକୁ ଫୋନରେ କହିଥିଲେ, ଆଇଆଇସି ଗମାଙ୍ଗଙ୍କ ମାନସିକ ସନ୍ତୁଳନ ଠିକ ନାହିଁ । ସେ ଆତ୍ମହତ୍ୟା ବି କରିପାରନ୍ତି । ତାପରେ ଏସଡିପିଓ ଓ ଭଞ୍ଜନଗର ଆଇଆଇସି, ଘଟଣା ଦିନ ତାଙ୍କ ଘରକୁ ଯାଇଥିଲେ । ଏହା ପରବର୍ତ୍ତୀ ଘଟଣା କଣ ହେଲା ତାଉପରେ ତଦନ୍ତ ଚାଲିଛି ବୋଲି ଏସପି କହିଛନ୍ତି ।
ତେବେ ମୃତ୍ୟୁ ଘଟଣା ରହସ୍ୟ ଘେରରେ ରହୁଥିବା ବେଳେ ପ୍ରଥମ ଥର ପାଇଁ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ଆଇଆଇସିଙ୍କ ପତ୍ନୀ । କହିଛନ୍ତି ଦେବ କୁମାର ଗମାଙ୍ଗଙ୍କ ଉପରେ ଅଫିସରୁ ଚାପ ପଡୁଥିଲା, ସେ କୌଣସି ମାନସିକ ଦୁଶ୍ଚିନ୍ତାରେ ନଥିଲେ । ତେଣୁ ଏହା ସୁଚିନ୍ତିତ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ଅନ୍ୟପଟେ ଆଇଆଇସିଙ୍କ ମୃତ୍ୟୁ ମାମଲାରେ ପୋଷ୍ଟ ମର୍ଟମ ରିପୋର୍ଟ ଆଧାରରେ ତଦନ୍ତ ହେବା ନେଇ ଗଞ୍ଜାମ ଏସପିଙ୍କ ନିର୍ଦ୍ଦେଶ । ଏଚଆରପିସିର ଛତ୍ରପୁର ଅଧିକାରୀଙ୍କୁ ତଦନ୍ତ ଭାର । ଏଚଆରପିସିର ଡିଏସପି ସାମୁଏଲ ପ୍ରଧାନଙ୍କ ଉପରେ ତଦନ୍ତ ଭାର ଦିଆଯାଇଛି । ସହଯୋଗ କରିବେ ଜଣେ ଅତିରିକ୍ତ ଏସପି ପାହ୍ୟାର ଅଧିକାରୀ । ଘଟଣା ବେଳେ ୨ ଅଧିକାରୀ ଉପସ୍ଥିତ ଥିବା ନେଇ ଯେଉଁ ଅଭିଯୋଗ ହେଉଛି ତାହା ତଦନ୍ତ ପରେ ଜଣାପଡିବ କହିଛନ୍ତି ଏସପି ।
Follow Us