‘କୋକୋ’କୁ ନେଇ ଆସିଲା ନୂଆ ଟ୍ୱିଷ୍ଟ: ପାଳନକାରୀଙ୍କୁ ଫେରାଇ ଦେବାକୁ ଉଠିଲା ଦାବି

185

କନକ ବ୍ୟୁରୋ: କେମିତି ଅଛି ପାଳିତ ଶୁଆ ‘କୋକୋ’? ପୁରୁଣା ଘରକୁ ଝୁରୁଛି କି? ବନ ବିଭାଗ ତତ୍ତ୍ୱାବଧାନରେ ଖିଆପିଆ ଠିକ୍ ଠାକ୍ କରୁଛି ନା ନାହିଁ? କୋକୋକୁ ନେଇ ଏଭଳି ଉତ୍ସୁକତା ପଶୁପକ୍ଷୀ ପ୍ରେମୀଙ୍କ ମନରେ ରହିଛି । ଏହାରି ଭିତରେ କୋକୋକୁ ନେଇ ପୁଣି ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି ।

କଟକ ମଧୁସୂଦନ ନଗରରୁ ଜବତ ପୋଷା ଶୁଆକୁ ପାଳିିଥିବା ପ୍ରଫେସର ସୁସ୍ମିତା ବେହେରାଙ୍କୁ ଫେରାଇ ଦିଆଯାଉ । ଏପରି ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ଚିିଠି ଲେଖି ଅନୁରୋଧ କରିଛନ୍ତି ୭ଜଣ ଶିକ୍ଷାବିତ । ଜଙ୍ଗଲ ବିଭାଗ ଅଧିକାରୀମାନଙ୍କ କାର୍ଯ୍ୟକୁ ସମ୍ବେଦନଶୀଳ ବିହୀନ ବୋଲି ଚିଠିରେ ଦର୍ଶାଯାଇଛି । ଶିକ୍ଷାବିତ୍ ଲେଖିଛନ୍ତି ଆଇନର ଦ୍ୱାହି ଦେଇ ବନବିଭାଗ ଅମାନୁଷିକ କାମ କରିବା ଠିକ୍ ନୁହେଁ । ବନ ବିଭାଗ ଅଧିକାରୀମାନେ ଜାଣି ରଖିବା ଉଚିତ, ପଶୁପକ୍ଷୀମାନେ ଖାଲି ଖାଦ୍ୟ ଖାଇ ବଂଚନ୍ତି ନାହିଁ । ସେମାନଙ୍କ ଜୀବନରେ ବି ସ୍ନେହ ଶ୍ରଦ୍ଧାର ମୂଲ୍ୟ ରହିଛି । ତେଣୁ ବନବିଭାଗ ସମ୍ବେଦନଶୀଳ ହୋଇ କୋକୋକୁ ତା ପାଳନକାରୀଙ୍କୁ ଫେରାଇ ଦେବା ପାଇଁ ଚିଠି ଲେଖି ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ।

ସେପଟେ ବନବିଭାଗ କର୍ମଚାରୀଙ୍କ ପାଖରୁ ଆସିଛି ଶୁଆ କୋକୋର ଭିଡିଓ । ତା ଠିକଣା ବଦଳିଛି ସତ, ହେଲେ ସେ ଖିଆପିଆ କରିବା ସହ ସୁସ୍ଥ ଥିବା ବନ କର୍ମଚାରୀ କହିଛନ୍ତି । ଦୁଇ ଦିନ ପରେ ତାକୁ ନନ୍ଦନକାନନରେ ଛାଡିବାକୁ ଯୋଜନା ରହିଛି । ତେବେ ଶିକ୍ଷାବିତ୍ ଚିଠି ଲେଖି ପୋଷା ଶୁଆକୁ ପ୍ରଫେସର ସୁସ୍ମିତାଙ୍କ ପାଖରେ ଛାଡିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପାଇଁ ଅନୁରୋଧ କରିଛନ୍ତି । ତେଣୁ ବନବିଭାଗର ପରବର୍ତି ପଦକ୍ଷେପ କଣ ହେବ? କୋକୋ ପୁଣି ସୁସ୍ମିତାଙ୍କ ପାଖକୁ ଫେରିବ ନା’ ନାହିଁ? ଏହା ଉପରେ ରହିବ ସମସ୍ତଙ୍କ ନଜର ।