ନବୀନଙ୍କ ନୂଆ ଟ୍ରେଣ୍ଡ ! ନେତା ନୁହେଁ ମୁଖ୍ୟମନ୍ତ୍ରୀଙ୍କ ସହ ମଞ୍ଚ ସେୟାର କରୁଛନ୍ତି ଜନତା, ଘଣ୍ଟା ଘଣ୍ଟା ଧରି ଚାଷୀ ଓ ମହିଳାଙ୍କ କଥା ଶୁଣୁଛନ୍ତି ନବୀନ

236

କନକ ବ୍ୟୁରୋ : ନବୀନଙ୍କ ନୂଆ ଟ୍ରେଣ୍ଡ । ନେତା ପଛ, ଜନତା ଆଗ । ଏଣିକି ନବୀନଙ୍କ ସଭାମଞ୍ଚରେ ନେତା ନୁହେଁ ଜନତାଙ୍କୁ ଦେଖିବାକୁ ମିଳୁଛି । ତଳେ ବସୁଛନ୍ତି ନେତା ଆଉ ମଞ୍ଚ ଉପରେ ଜନତା । ଏଭଳି କରି ନବୀନ ନୂଆ ଟ୍ରେଣ୍ଡ ଆରମ୍ଭ କରିଛନ୍ତି । ଯାହାକୁ ସାଧାରଣ ଲୋକ ମଧ୍ୟ ବେଶ ପସନ୍ଦ କରିଛନ୍ତି ।

ପୁରୀରେ ମିଶନ ଶକ୍ତି କାର୍ଯ୍ୟକ୍ରମ ହେଉ ଅବା ଗଞ୍ଜାମ ଓ ପୁରୀରେ କାଳିଆ ସମାବେଶ ସବୁଠି ଗୋଟିଏ ସମାନତା ଦେଖିବାକୁ ମିଳିଥିଲା । ତାହା ହେଲା ମଞ୍ଚ ଉପରେ ନେତା ନଥିଲେ ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ଥିଲେ ସାଧାରଣ ଜନତା । କେବଳ ଏତିକି ନୁହେଁ ଜନତାଙ୍କ କଥା ନେତା ଶୁଣନ୍ତି ନାହିଁ ବୋଲି ଯେଉଁ ଭୁଲ ଧାରଣା ରହିଥିଲା ତାହା ମଧ୍ୟ ଦୂର ହୋଇଛି । କାରଣ ମୁଖ୍ୟମନ୍ତ୍ରୀଙ୍କ ସହ ମଞ୍ଚରେ ବସି ନିଜ ମନର କଥା କହିବାକୁ ସୁଯୋଗ ପାଇଛନ୍ତି ଉଭୟ ଚାଷୀ, ମହିଳା ଓ ସାଧାରଣ ଲୋକ ।

ସାଧାରଣତଃ ଅଧିକାଂଶ ସଭାରେ ମଞ୍ଚ ଉପରେ ନେତାଙ୍କୁ ଦେଖିବାକୁ ମିଳିଥାଏ । ଜନତା ଖରାତରାରେ ମଞ୍ଚ ତଳେ ବସିଥାନ୍ତି । ନେତାମାନେ ମଞ୍ଚ ଉପରେ ରହି ଘଣ୍ଟା ଘଣ୍ଟା ଭାଷଣ ଦେଇଥାନ୍ତି । ସେଥିରେ ବିକାଶର କଥା କମ ଆଉ ରାଜନୀତିର କଥା ଅଧିକ ରହିଥାଏ । କିନ୍ତୁ ନବୀନଙ୍କ ନୂଆ ଟ୍ରେଣ୍ଡରେ ମଞ୍ଚ ଉପରେ ନେତାଙ୍କ ବଦଳରେ ଚାଷୀ ଓ ମହିଳାଙ୍କ ମୁହଁରୁ ବାହାରୁଛି ବିକାଶର କଥା ।

ଆଉ ଏହି ଚାଷୀ ଓ ମହିଳା ମାନଙ୍କର ମନର କଥାକୁ ମଧ୍ୟ ଶୁଣିବାକୁ ପଛାଉ ନାହାନ୍ତି ନବୀନ । ଘଣ୍ଟା ଘଣ୍ଟା ଧରି ଚାଷୀ ଓ ମହିଳା ବିକାଶର କଥା କହୁଥିବା ବେଳେ ନବୀନ ମଧ୍ୟ ସ୍ଥିର ନିଶ୍ଚଳ ହୋଇ ସେମାନଙ୍କ କଥାକୁ ବେଶ ମନ ଧ୍ୟାନ ଦେଇ ଶୁଣୁଛନ୍ତି । ପୁରୀରେ ମିଶନ ଶକ୍ତି କାର୍ଯ୍ୟକ୍ରମରେ ମହିଳା ମାନେ ୪୦ ମିନିଟରୁ ଅଧିକ ସମୟ ଧରି ବିକାଶର କଥା କହୁଥିବା ବେଳେ ଏହାକୁ ଶୁଣିଥିଲେ ନବୀନ । ଠିକ୍ ସେହିଭଳି ପୁରୀ ଓ ଗଞ୍ଜାମରେ ହେଉଥିବା କାଳିଆ ଯୋଜନା ସମାବେଶରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା । କାଳିଆ ଯୋଜନା ବାବଦରେ ଚାଷୀଙ୍କ ରାୟ ଓ ସେମାନଙ୍କର ମନର କଥା ଶୁଣିଥିଲେ ନବୀନ ।

କେବଳ ଏତିକି ନୁହେଁ ମେକ୍ ଇନ୍ ଓଡିଶା କାର୍ଯ୍ୟକ୍ରମରେ ମଧ୍ୟ ସୁନ୍ଦରଗଡର ଏସଏଚଜି ମହିଳା ଜୟନ୍ତୀ ଏକ୍କାଙ୍କ ସଫଳତାର କାହାଣୀ ବେଶ ଆଗ୍ରହର ଶୁଣିଥିଲେ ନବୀନ । ଯେତେବେଳେ ଦଳର ନେତା ନବୀନଙ୍କ ସଭାରେ ବେଶି ସମୟ କହିବାକୁ ସୁଯୋଗ ପାଆନ୍ତି ନାହିଁ ସେଭଳି ସ୍ଥଳେ ସାଧାରଣ ଜନତାଙ୍କ ମନର କଥା ଶୁଣିବା ପାଇଁ ଘଣ୍ଟା ଘଣ୍ଟା ଧରି ବସୁଛନ୍ତି ନବୀନ । ଆଉ ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ନିଜର ମନର କଥା କହି ବେଶ ଖୁସି ବ୍ୟକ୍ତ କରୁଛନ୍ତି ସାଧାରଣ ଜନତା ।