ନୂଆ ଟ୍ରାଫିକ୍ ନିୟମକୁ ନେଇ ନବୀନଙ୍କ ବଡ଼ ଘୋଷଣା । ଫାଇନ୍ ଆଦାୟ ପାଇଁ ୩ ମାସ କୋହଳ କଲେ, ବେପରୁଆ ଭାବେ ଗାଡ଼ି ନଚଳାଇବାକୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ ।

7,650

କନକ ବ୍ୟୁରୋ : ଗାଡି ଚାଳକଙ୍କୁ ବଡ ଆଶ୍ୱସ୍ତି । ଗତ ସେପ୍ଟେମ୍ବର ମାସ ୧ ତାରିଖରୁ ସାରା ଦେଶରେ ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଗାଡି ଚାଳକଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଥିଲା । ବିଶେଷ କରି ମୋଟା ଅଙ୍କର ଜୋରିମାନାକୁ ନେଇ ଚିନ୍ତାରେ ପଡିଥିଲେ ଜନସାଧାରଣ । ତେବେ ନୂଆ ନିୟମକୁ ନେଇ ରାଜଧାନୀର ରାଜମହଲ ଛକ ରଣକ୍ଷେତ୍ର ପାଲଟିବା ପରେ ନିୟମରେ ଟିକିଏ କୋହଳ କରିଥିଲେ ସରକାର । ଆଉ ଆଜି ଗାଡି ଚାଳକଙ୍କ ପାଇଁ ବଡ ଆଶ୍ୱସ୍ତିକର ଖବର ଆସିଛି ।

ନୂଆ ଟ୍ରାଫିକ୍ ନିୟମକୁ ନେଇ ବଡ ଘୋଷଣା କରିଛନ୍ତି ସରକାର । ଆସନ୍ତା ୩ ମାସ ମଧ୍ୟରେ ଗାଡି ଚାଳକମାନେ ନିଜ ଗାଡିର ସମସ୍ତ କାଗଜପତ୍ର ପ୍ରସ୍ତୁତ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ଏହା ସହ ବେପରୁଆ ଭାବେ ଗାଡିଚାଳନା ନକରିବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ଜଣେ ଅଟୋ ଚାଳକଙ୍କ ଉପରେ ୫୨ ହଜାର ଟଙ୍କା ଫାଇନ୍ ପଡିବା ପରେ ଜନଆକ୍ରୋଶ ଜୋର ଧରିଥିଲା । ଆଉ ଯାହାର ପ୍ରତିଫଳନ ଦେଖିବାକୁ ମିଳିଥିଲା ରାଜଧାନୀର ରାଜମହଲ ଛକରେ । ପୋଲିସ ଏବଂ ପବ୍ଲିକ ମଧ୍ୟରେ ଧସ୍ତାଧସ୍ତି ହେବା ପରେ ଶେଷରେ ନିୟମ କୋହଳ କରିବାକୁ ବାଧ୍ୟ ହୋଇଥିଲା ପ୍ରଶାସନ । ଆଉ ଆଜି ଗାଡି ଚାଳକଙ୍କ ପାଇଁ ଆଶ୍ୱସ୍ତିକର ଖବର ଆଣିଦେଇଛନ୍ତି ରାଜ୍ୟ ସରକାର ।