କରୋନା ସଂକ୍ରମିତଙ୍କ ଠାରେ ଏବେ ନୂଆ ଲକ୍ଷଣ । ସୁସ୍ଥ ହେବା ପରେ ସୃଷ୍ଟି ହେଉଛି ବ୍ଲାକ ଫଙ୍ଗସ, ଦୃଷ୍ଟି ଶକ୍ତି ବି ଚାଲି ଯାଉଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ 

3,443

କନକ ବ୍ୟୁରୋ : କରୋନା ସଂକ୍ରମିତଙ୍କଠାରେ ଏବେ ନୂଆ ଲକ୍ଷଣ ଚିହ୍ନଟ କରାଯାଉଛି । ଆକ୍ରାନ୍ତଙ୍କ ଶରୀରରେ କଳା ରଙ୍ଗର ଯାଦୁ ଭଳି ଦାଗ ବା ବ୍ଲାକ୍ ଫଙ୍ଗସ ଦେଖାଯାଉଛି । ଯାହାକୁ ମୁକୋରମିକୋସିସ୍ ବୋଲି କୁହାଯାଏ । ପୂର୍ବରୁ ଏହାକୁ ଜିଗୋମିକୋସିସ୍ କୁହାଯାଉଥିଲା । ବିଶେଷକରି କରୋନାରୁ ସୁସ୍ଥ ହେବା ପରେ ଏଭଳି ଲକ୍ଷଣ ଦେଖାଯାଉଛି । ଏହାବ୍ୟତିତ କେତେକ ଆକ୍ରାନ୍ତ ସୁସ୍ଥ ହେବା ପରେ ଦୃଷ୍ଟି ଶକ୍ତି ହରାଉଥିବା ମଧ୍ୟ ସୂଚନା ମିଳିଛି ।

ଗୁଜରାତର ସୁରତଠାରେ ଏଭଳି ୪୦ଟି ମାମଲା ଚିକିତ୍ସା ବିଶେଷଜ୍ଞଙ୍କ ନଜରକୁ ଆସିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏଥିରେ କୁହାଯାଇଛି ସେହି ୪୦ଜଣଙ୍କ ମଧ୍ୟରୁ  ୮ଜଣ ହଠାତ ଦୃଷ୍ଟି ଶକ୍ତି ଚାଲି ଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଗତ ଦୁଇ ସପ୍ତାହ ମଧ୍ୟରେ ଏଭଳି ଲକ୍ଷଣ ଥିବା ବ୍ୟକ୍ତିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବ୍ଲାକ ଫଙ୍ଗସ ହେଉଛି  ଏକ ପ୍ରକାର ଚର୍ମ ସଂକ୍ରମଣ । ପୋଡିଯିବା, କଟିଯିବା , ଭଳି କୌଣସି କ୍ଷତ ପରେ ଚର୍ମ ଉପରେ ଏଭଳି ସଂକ୍ରମଣ ହୋଇ କଳା ପଡିଯାଏ । ବାୟୁ ଦ୍ୱାରା ଏହା ସଂକ୍ରମିତ ହୋଇଥାଏ । ଗଳା ଏବଂ ଫୁସଫୁସ ସଂକ୍ରମଣ କାରଣରୁ ମଧ୍ୟ ଏହା ହୋଇଥାଏ । ଏହାଦ୍ୱାରା ମୁଣ୍ଡ ବିନ୍ଧିବା ସହ ଆଖି ଲାଲ ପଡିଥାଏ । କରୋନାରୁ ସୁସ୍ଥ ହେବାର ଦୁଇ ବା ତିନି ଦିନ ପରେ ଏହା ଆରମ୍ଭ ହୋଇଥାଏ । କ୍ରମେ ଏହା ମସ୍ତିଷ୍କକୁ ସଂକ୍ରମିତ କରିଥାଏ । ମଧୁମେହ ରୋଗୀ ଓ ଦୃଷ୍ଟିହୀନଙ୍କୁ ଏହା ଅଧିକ ମାତ୍ରାରେ ପ୍ରଭାବିତ କରିଥାଏ । ଦିଲ୍ଲୀରେ ମଧ୍ୟ ଏଭଳି ରୋଗୀ ଚିହ୍ନଟ ହୋଇଥିବା କୁହାଯାଉଛି ।