କରୋନା ପାଇଁ ଡାକ୍ତରଙ୍କ ଟିପ୍ସ । ନୂଆ ଷ୍ଟ୍ରେନର ଲକ୍ଷଣ ବଦଳିଛି, ଯୁବଗୋଷ୍ଠୀ ଅଧିକ ଆକ୍ରାନ୍ତ ହେଉଛନ୍ତି । ପ୍ରଥମ ଷ୍ଟ୍ରେନ ଅପେକ୍ଷା ଦ୍ୱିତୀୟ ଷ୍ଟ୍ରେନ ଅଧିକ ଘାତକ ।

483

କନକ ବ୍ୟୁରୋ : ରାଜ୍ୟରେ କରୋନା କାୟା ମେଲାଉଥିବା ବେଳେ ଦୁଇ ବିଶେଷଜ୍ଞ ଡାକ୍ତର କରୋନାକୁ ନେଇ ଲୋକଙ୍କ ମନରେ ଥିବା ଦ୍ୱନ୍ଦକୁ ଦୂର କରିଛନ୍ତି । ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି, ପ୍ରଥମ ଷ୍ଟ୍ରେନ ଅପେକ୍ଷା ଦ୍ୱିତୀୟ ଷ୍ଟ୍ରେନ ଅଧିକ ଘାତକ । ବୟସ୍କଙ୍କ ଅପେକ୍ଷା ଶିଶୁ ଓ ଯୁବକ ମାନେ ଅଧିକ ଆକ୍ରାନ୍ତ ହେଉଛନ୍ତି । ଟିକା ନ ନେଇଥିବାରୁ ଯୁବବର୍ଗ ଅଧିକ ସଂକ୍ରମିତ ହେଉଛନ୍ତି । ତେବେ ଆଶ୍ୱସ୍ତିର କଥା ହେଲା, ରାଜ୍ୟରେ ଗୁରୁତର ରୋଗୀଙ୍କ ସଂଖ୍ୟା କମ ରହିଛି ।

ଅନ୍ୟପଟେ ଡାକ୍ତର ସମ୍ପଦ କୁମାର ଦାଶ କହିଛନ୍ତି, ଗତବର୍ଷ ଅପେକ୍ଷା ନୂଆ ଷ୍ଟ୍ରେନରେ କିଛି ନୂଆ ଲକ୍ଷଣ ଦେଖିବାକୁ ମିଳୁଛି । ଥଣ୍ଡା ଓ ଜ୍ୱର ରହିବା ସହ ପେଟଜନିତ ସମସ୍ୟା ଦେଖାଦେଉଛି । କରୋନା ଆକ୍ରାନ୍ତଙ୍କ ବାନ୍ତି ହେବା ସହ ପତଳା ଝାଡା ହେଉଛି । ସେହିଭଳି ଥକାପଣ ମଧ୍ୟ ଅଧିକ ରହୁଛି । ଚିକିତ୍ସାରେ ଅକ୍ସିଜେନର ଆବଶ୍ୟକତା ଅଧିକ ପଡୁଛି । ବୟସ୍କ ଓ ଯୁବବର୍ଗଙ୍କ କ୍ଷେତ୍ରରେ ସଂକ୍ରମଣ ତୀବ୍ର ରହୁଛି ।

ସେହିଭଳି ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି, ଟିକା ନେବା ପରେ ବି ଲୋକେ ସଂକ୍ରମିତ ହେଉଛନ୍ତି । କିନ୍ତୁ ଏହି ସଂକ୍ରମଣ ସେତେଟା ଗୁରୁତର ନୁହେଁ । ଟିକାକରଣ ପୂର୍ବରୁ କରୋନାରେ ଯେଉଁଭଳି ଗୁରୁତର ସମସ୍ୟା ଦେଖିବାକୁ ମିଳୁଥିଲା ଏତେ ତାହା ଆଉ ନାହିଁ । ଟିକା ନେବା ପରେ କରୋନା ଏତେଟା ପ୍ରଭାବ ପକାଇ ପାରୁନାହିଁ । ଯେଉଁଥିପାଇଁ ବୟସ୍କ ଲୋକ ମାନେ କରୋନାରେ ଏତେଟା ଆକ୍ରାନ୍ତ ହେଉନାହାନ୍ତି । ଯୁବଗୋଷ୍ଠୀ ଅଧିକ ସଂଖ୍ୟାରେ କରୋନାରେ ଆକ୍ରାନ୍ତ ହେଉଥିବା କାରଣରୁ ଆସନ୍ତା ମେ ୧ରୁ ୧୮ରୁ ୪୫ ବର୍ଷ ବୟସ୍କଙ୍କୁ ମାଗଣା ଟିକା ଯୋଗାଇଦେବା ନେଇ ଘୋଷଣା କରିଛନ୍ତି ସରକାର ।