କରୋନା ପରେ ଚୀନର ନୂଆ ଘାତକ ଭାଇରସ୍ : ଘୁଷୁରୀଠୁ ବ୍ୟାପୁଛି ସ୍ୱାଇନ୍ ଫ୍ଲୁର ନୂଆ ରୋଗ , ନାଁ ରହିଛି “ଜି୪” । 

3,328

କରୋନା ଭାଇରସର ଜନକ ସାଜିଥିବା ଚୀନ୍ ରେ ଏବେ ନୂଆ ରୋଗ ମୁଣ୍ଡ ଟେକିଲାଣି । ଯାହା ଚୀନବାସୀଙ୍କ ଚିନ୍ତାର କାରଣ ପାଲଟିଛି । ଆମେରିକା ସାଇନ୍ସ ଜର୍ନାଲରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ , ଚୀନରେ ଏବେ ନୂଆ ସ୍ୱାଇନ୍ ଫ୍ଲୁ ରୋଗ ବ୍ୟାପିଛି । ୨୦୦୯ ମସିହାରେ ପୁରା ବିଶ୍ୱରେ ଏଚ୧ଏନ୧ ନାମକ ସ୍ୱାଇନ୍ ଫ୍ଲୁ ବ୍ୟାପିଥିଲା ଏବଂ ଏହା ହେଉଛି ତାହାର ଅନୁବାଂଶିକ ବଂଶଜ । ଅର୍ଥାତ୍ ଏହା ଏକ ଜେନେଟିକାଲ୍ ଡିସେଣ୍ଡେଟ୍ ଏବଂ ଅଧିକ ବିପଦପୂର୍ଣ୍ଣ ରୋଗ ।

ଚୀନ୍ ବୈଜ୍ଞାନିକଙ୍କ ମତରେ ନୂଆ ସ୍ୱାଇନ୍ ଫ୍ଲୁ ଖୁବ୍ ଶକ୍ତିଶାଳୀ । ଏହି ରୋଗ ପୀଡିତ ଥିବା ବ୍ୟକ୍ତିଙ୍କ ଅବସ୍ଥା ଖୁବ୍ ଶୋଚନୀୟ କରିଦେବ । ଆଉ ଯଦି କୋଭିଡ୍ ସମୟରେ ଏହା ବ୍ୟାପିଲା ତେବେ ପରିସ୍ଥିତି ଅସମ୍ଭାଳ ହୋଇଯିବ । ଏହି ନୂଆ ସ୍ୱାଇନ୍ ଫ୍ଲୁର ନାଁ ଦିଆଯାଇଛି “ଜି୪” । ଯାହାର ଅନୁସନ୍ଧାନରେ ଚୀନ୍ ବୈଜ୍ଞାନିକ ୨୦୧୧ ରୁ ୨୦୧୮ ପର୍ଯ୍ୟନ୍ତ ରିସର୍ଚ୍ଚ କାର୍ଯ୍ୟ ଜାରି ରଖିଥିଲେ । ଯେଉଁଥିରେ ଚୀନର ଭିନ୍ନ ଭିନ୍ନ ୧୦ ଟି ରାଜ୍ୟରୁ ୩୦ ହଜାର ଘୁଷୁରୀଙ୍କ ନାକରୁ ସ୍ୱାବ୍ ପରୀକ୍ଷା କରାଯାଇଥିଲା ।

ଏଥିରୁ ଜଣାପଡିଥିଲା ଯେ ୧୭୯ ପ୍ରକାରର ସ୍ୱାଇନ୍ ଫ୍ଲୁ ରୋଗ ରହିଛି । ଯେଉଁଥିରୁ ମାରାତ୍ମକ ହେଉଛି ଜି୪ , ଯାହା ମଣିଷଙ୍କ ଭିତରେ ଖୁବ୍ ତୀବ୍ର ଗତିରେ ସଂକ୍ରମିତ ହୋଇଥାଏ । ଅର୍ଥାତ୍ ଏହି ରୋଗ କିଛି ସମୟ ଭିତରେ ମହାମାରୀର ରୂପ ନେବାର ସାମର୍ଥ୍ୟ ରଖେ । ଚୀନର ଘୁଷୁରୀ ଫାର୍ମରେ କାମ କରୁଥିବା କର୍ମଚାରୀଙ୍କ ଆଣ୍ଟିବଡି ଟେଷ୍ଟ୍ ପରେ ଜଣାପଡିଥିଲା ଯେ ୧୦ ଜଣ କର୍ମଚାରୀଙ୍କ ଭିତରୁ ଜଣେ ଏହି ରୋଗରେ ପୀଡିତ ଅଛନ୍ତି । ପରେ ୨୩୦ ଲୋକଙ୍କୁ ନେଇ ଏହି ଟେଷ୍ଟ୍ କରାଗଲା ଯେଉଁଥିରୁ ୪.୪ % ଲୋକ ଜି୪ ରେ ପୀଡିତ ଥିବା ଜାଣିବାକୁ ମିଳିଥିଲା । ଏହି ଭୁତାଣୁ ଘୁଷୁରୀମାନଙ୍କ ଠାରୁ ମଣିଷକୁ ବ୍ୟାପେ । ହେଲେ ମଣିଷରୁ ମଣିଷକୁ ବ୍ୟାପେ କି ନାହିଁ ତାହାର କୌଣସି ପ୍ରମାଣ ଏଯାଏଁ ମିଳିନାହିଁ । ଯଦି ଜଣେ ମଣିଷଠାରୁ ଅନ୍ୟଜଣଙ୍କୁ ଏହା ବ୍ୟାପିଲା ତେବେ ପରିସ୍ଥିତି ଭୟାବହ ହେବ ଏଥିରେ କୌଣସି ସନ୍ଦେହ ନାହିଁ ।