ନୂଆବର୍ଷରେ ନୂଆ ରଣନୀତି: ଯୁବ ଭୋଟରଙ୍କ ଉପରେ ବିଜେପିର ନଜର

59

କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପାଇଁ ନୂଆ ରଣନୀତି ସହ ବଡ଼ ଅଭିଯାନ ଆରମ୍ଭ କରିବାକୁ ଯାଉଛି ବିଜେପି । ବିଶେଷ କରି ନୂଆ ଓ ଯୁବ ଭୋଟରଙ୍କୁ ଯୋଡ଼ିବା ପାଇଁ ଜାନୁୟାରୀ ୨୫ରୁ କରିବ ‘ନବ ମତଦାତା ସମ୍ମିଳନୀ’ । ସାରା ଦେଶରେ ୫ହଜାର ସମ୍ମିଳନୀ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଓଡ଼ିଶାରେ ପ୍ରାୟ ୩ଶହ ସମ୍ମିଳନୀ କରିବାକୁ ଯାଉଛି ଦଳ ।

ନୂଆ ଓ ଯୁବ ଭୋଟରଙ୍କ ସହ ଯୋଡି ହେବାକୁ ବିଜେପି ଆରମ୍ଭ କରିବାକୁ ଯାଉଛି ବଡ ଅଭିଯାନ । ଯୁବ ଭୋଟରଙ୍କୁ ଯୋଡିବା ଲକ୍ଷ୍ୟରେ ଜାନୁଆରୀ ୨୫ରେ ହେବ ‘ନବ ମତାଦାତା ସମ୍ମିଳନୀ’ । ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡରେ ବିଜେପିକୁ ମହିଳାଙ୍କ ସମର୍ଥନ ପରେ ଏବେ ଯୁବ ଭୋଟରଙ୍କୁ ଟାର୍ଗେଟ କରିଛି ଦଳ । ଆଉ ଦେଶରେ ଏଥିପାଇଁ ହେବ ୫ ହଜାର ସମ୍ମିଳନୀ । ନୂଆ ଭୋଟରଙ୍କୁ ବିଜେପି ସହ ଯୋଡିବା , କେନ୍ଦ୍ର ସରକାରଙ୍କ ସଫଳତାକୁ ପଂଚାଇବା ପାଇଁ ଦଳ ଏହି ‘ନବ ମତାଦାତା ସମ୍ମିଳନୀ’ କରିବାକୁ ବଡ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରିଛି ।

ଦେଶରେ ୫ ହଜାର ସମ୍ମିଳନୀ ମଧ୍ୟରୁ କେବଳ ଓଡିଶାରେ ୩ ଶହ ସମ୍ମିଳନୀ କରିବ ବିଜେପି ।
-ଟାର୍ଗେଟରେ ରହିବେ ୧୮ରୁ ୨୫ ବର୍ଷର ଭୋଟର
– ପ୍ରତି ନିର୍ବାଚନମଣ୍ଡଳୀରେ ୨ଟି ସ୍ଥାନରେ ହେବ ‘ନବ ମତାଦାତା ସମ୍ମିଳନୀ’
-ମୋଦି ସମ୍ମିଳନୀକୁ କରିବେ ସମ୍ବୋଧନ
-ପ୍ରତି ସମ୍ମିଳନୀରେ ହଜାରେରୁ ଅଧିକ ଯୁବ ଭୋଟର ସାମିଲ ହେବେ

ରାଜ୍ୟରେ ସାଢେ ୭ ଲକ୍ଷ ଯୁବ ଭୋଟର ଅଛନ୍ତି । ତେଣୁ ସମ୍ମିଳନୀର ଏଜେଣ୍ଡା ବି ପ୍ରସ୍ତୁତ କରିଛି ବିଜେପି । ମୋଦିଙ୍କ ସମ୍ବୋଧନ ପରେ ରାଜ୍ୟର ଯୁବଛାତ୍ରଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା ହେବ ।

-ଯୁବକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଯୋଜନା
-ଓଡିଶା ଭଳି ରାଜ୍ୟରେ ଯୁବକଙ୍କ ପ୍ରତି ରାଜ୍ୟର ଆଭିମୁଖ୍ୟ
-କ୍ୟାମ୍ପସରେ ଦୀର୍ଘବର୍ଷ ଧରି ଛାତ୍ରସଂସଦ ନିର୍ବାଚନ ନହେବା
-ଓଡିଆ ଅସ୍ମିତା ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଘେରିବ ଦଳ

ରାଜ୍ୟରେ ବିଜେଡି ସରକାର ମଧ୍ୟ ‘ନୂଆ-ଓ’ ଯୋଜନାରେ ଛାତ୍ରଙ୍କୁ ଆକୃଷ୍ଟ କରି ନୂଆ ଭୋଟରଙ୍କୁ ଟାର୍ଗେଟ କରିଛି । ଏଥିପାଇଁ ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଏବେ ବିଜେପିର‘ନବ ମତାଦାତା ସମ୍ମିଳନୀ’ ଯୁବ ଭୋଟରଙ୍କୁ କେତେ ଆକୃଷ୍ଟ କରୁଛି ସେ ନେଇ ଅଙ୍କକଷା ଆରମ୍ଭ ହୋଇଛି ।