ଭୁବନେଶ୍ୱରରେ ବସ୍ତି ଠାରୁ ଅଣବସ୍ତି ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ଅଧିକ ଆକ୍ରାନ୍ତ । ବସ୍ତି ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି ।

315

କନକ ବ୍ୟୁରୋ : ବସ୍ତି ତୁଳନାରେ ଅଣବସ୍ତି ଅଂଚଳରେ କରୋନା ଭାଇରସ ଅଧିକ କାୟା ବିସ୍ତାର କରିଛି । ଭୁବନେଶ୍ୱର ମହାନଗର ନିଗମ କମିସନର ପ୍ରେମଚନ୍ଦ୍ର ଚୌଧୁରୀ ଆଜି ଗୀତ ଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି । ସେ କହିଛନ୍ତି ଯେ ବସ୍ତି ଅଂଚଳରେ ଏବେ ମୋଟ ୨୦୧ ଜଣ ସଂକ୍ରମିତ ଠାବ ହୋଇଛନ୍ତି । କିନ୍ତୁ ଅଣବସ୍ତି ଅଂଚଳରୁ ୬୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବସ୍ତି ଅଂଚଳରେ ଅଳ୍ୱ ସମୟ ମଧ୍ୟରେ କରୋନା ବିସ୍ତାର ଲାଭ କରିବାର ଆଶଙ୍କା ରହିଛି । ତେଣୁ ଏଥି ପାଇଁ ଆମର ଟିମ ସତର୍କ ରହିଛନ୍ତି ।

ବିଏମସି କମିସନର କହିଛନ୍ତି, ନିକଟରେ ମହିଷାଖାଲରେ ଏକକାଳୀନ ବହୁ ସଂଖ୍ୟାରେ ଲୋକ ସଂକ୍ରମିତ ଜଣାପଡ଼ିବା ପରେ କଣ୍ଟେନମେଣ୍ଟ ଜୋନ କରାଯାଇଛି । ଏଠାରେ ଶିବିର ଲଗାଇ ଟେଷ୍ଟିଂ କରାଯିବା ପରେ ୪୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜିର ଦିନରେ ଭୁବନେଶ୍ୱରରେ ୪ଟି କଣ୍ଟେନମେଣ୍ଟ ଜୋନ କରାଯାଇଛି । ବିଏମସି କମିସନର କହିଛନ୍ତି ଭୁବନେଶ୍ୱରରେ ୮୦ ପ୍ରତିଶତରୁ ଅଧିକ ଆକ୍ରାନ୍ତ ଲକ୍ଷଣହୀନ ।