କନକ ବ୍ୟୁରୋ : କୋରାପୁଟ ପଟାଙ୍ଗି ବ୍ଲକ  କୋଟିଆ ଗ୍ରାମପୁଞ୍ଜଙ୍କୁ ଓଡିଶା-ଆନ୍ଧ୍ର ମଧ୍ୟରେ ବିବାଦ ଲାଗିରହିଛି ।  ସମସ୍ୟାର ସମାଧାନ ଏଯାଏଁ ବାହାରିପାରୁନାହିଁ । ଏହାରି ମଧ୍ୟରେ ଆନ୍ଧ୍ରର ଏକ ଘୋଷଣା ଦୁଇ ରାଜ୍ୟ ମଧ୍ୟରେ ବିବାଦ ବଢାଇବା ଏକ ପ୍ରକାର ସ୍ପଷ୍ଟ ହୋଇଛି ।  ଆନ୍ଧ୍ରରେ ବର୍ତମାନ ୧୩ଟି ଜିଲ୍ଲାକୁ ଭାଗ କରାଯାଇ  ୨୬ ଜିଲ୍ଲା କରାଯାଇଛି । କୋଟିଆ ସୀମାକୁ ଲାଗିରହିଥିବା ବିଜୟନଗରମ ଜିଲ୍ଲାକୁ ଭାଗକରି ନୂଆ ଜିଲ୍ଲା ମାନ୍ୟତା ଦେଇ ମାନ୍ୟମ ବୋଲି ନାମକରଣ କରାଯାଇଛି ।ଆଜି ଏନେଇ ବିଧିବଦ୍ଧ ଘୋଷଣା କରାଯାଇଛି ।

Advertisment

ବିଜୟନଗର ଜିଲ୍ଲାର ପାର୍ବତୀପୁରମ ରାଜସ୍ୱ ମଣ୍ଡଳ ଓ ଶ୍ରୀକାକୁଲମ ଜିଲ୍ଲାର ପାଲାକୋଣ୍ଡା ରାଜସ୍ୱ ମଣ୍ଡଳକୁ ନେଇ ଏହି ଜିଲ୍ଲା ଗଠିତ ହେଉଛି । ଶ୍ରୀକାକୁଲମ ରାଜସ୍ୱ ମଣ୍ଡଳ ଅଧିନରେ କୋଟିଆ ଗ୍ରାମପୁଞ୍ଜ ଆସୁଛି । ମାନ୍ୟମ ଜିଲ୍ଲା ଗଠନ ପଛରେ ଆନ୍ଧ୍ରର ସୁଚିନ୍ତିତ ଚାଲ ରହିଥିବା ଚର୍ଚ୍ଚା ହେଉଛି । ମାନ୍ୟମ ଜିଲ୍ଲା ଗଠନ ହେବା ପରେ ଏହାର ନୂଆ ଜିଲ୍ଲା ମୁଖ୍ୟାଳୟ ହେବ ପାର୍ବତୀପୁରମ । ମାନ୍ୟମ ଜିଲ୍ଲା ଅଧୀନକୁ କୋଟିଆ ଗ୍ରାମପୁଞ୍ଜ ଆସିବ । ଏହାକୁ ପଛୁଆ ଘୋଷଣା କରି ଆନ୍ଧ୍ର ସରକାର ରାଜନୈତିକ ଫାଇଦା ପାଇଁ ଉଦ୍ୟମ କରିବ । ବିଜୟନଗରଠାରୁ କୋଟିଆର ଦୂରତା ୧୨୦ କିଲୋମିଟର ଥିବାବେଳେ ପାର୍ବତୀପୁରମ ନୂଆ ମୁଖ୍ୟାଳୟ ହେବା ପରେ  ଦୂରତା ଅଧାରୁ ଅଧିକ କମିଯିବ । ଫଳରେ ଆନ୍ଧ୍ର ଅଧିକାରୀ  ଖୁବ କମ ସମୟରେ କୋଟିଆରେ ପଶିବେ ଓ କାମ ତୁଟାଇ ଫେରିଯାଇପାରିବେ । ଆନ୍ଧ୍ରକୁ କୌଣସି ଓଡ଼ିଶା ମାଟି ଦିଆଯିବ ନାହିଁ ବୋଲି ସ୍ଥାନୀୟ ନେତା କହୁଥିବା ବେଳେ ନୂଆ କେନ୍ଦ୍ର ଶାସିତ ଅଞ୍ଚଳ ଗଠନ ହେଲେ ସବୁ ସମସ୍ୟାର ସମାଧାନ ହୋଇଯିବ ବୋଲି କହିଛନ୍ତି ବରିଷ୍ଠ ନେତା ଜୟରାମ ପାଙ୍ଗି ।

ସେପଟେ ଆନ୍ଧ୍ର ନିଷ୍ପତିକୁ ବିରୋଧ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର । ବିଜେଡି ସାଂସଦ ମୁନ୍ନା ଖାନ କହିଛନ୍ତି, କୋଟିଆ ପାଇଁ ଲଢେଇ ଜାରି ରହିଛି, ଆଗକୁ ମଧ୍ୟ ଏହି ଲଢେଇ ଜାରି ରହିବ । ଆନ୍ଧ୍ରକୁ ଓଡିଶାର ଇଞ୍ଚେ ବି ଜମି ଦିଆଯିବ ନାହିଁ ।