ବ୍ରିଟେନରେ ଚିହ୍ନଟ କରୋନାର ନୂଆ ଷ୍ଟ୍ରେନ୍ ବଢାଇଲା ଚିନ୍ତା : ମୁକାବିଲା ରଣନୀତି ପାଇଁ ଆଜି ବସିବ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଜରୁରୀ ବୈଠକ

ସାମିଲ ହୋଇପାରନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରତିନିଧି; ସେପଟେ ବ୍ରିଟେନରେ ଲକଡାଉନ୍ କଡାକଡି

435

କନକ ବ୍ୟୁରୋ : ବ୍ରିଟେନରେ କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍ ଚିହ୍ନଟ ହେବା ଓ ପଜିଟିଭ ମାମଲା ବଢିବା ଖବର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ଚିନ୍ତା ବଢାଇ ଦେଇଛି । ଏହାର ମୁକାବିଲା କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଆଜି ଜଏଂଟ ମନିଟରିଂ ଗ୍ରୁପର ଜରୁରୀକାଳୀନ ବୈଠକ ଡକାଯାଇଛି । ଡାଇରେକ୍ଟର ଜେନେରାଲ ଅଫ ହେଲଥ ସର୍ଭିସ ବା ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକଙ୍କ ଅଧ୍ୟ କ୍ଷତାରେ ଆଜି ବୈଠକ ବସିବ । ଏଥିରେ ଭାରତରେ ଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚଓର ପ୍ରତିନିଧି ଡକ୍ଟର ରାଡରିକୋ ଏଚ୍ ଆଫ୍ରିନ ମଧ୍ୟ ସାମିଲ ହୋଇପାରନ୍ତି ।

କୁହାଯାଉଛି ଇଂଲଣ୍ଡରେ ଦ୍ରୁତ ଗତିରେ ସଂକ୍ରମଣ ବୃଦ୍ଧି ପଛରେ କରୋନାର ନୂଆ ଷ୍ଟ୍ରେନ ଦାୟୀ । ବ୍ରିଟେନ ସରକାର ଭୂତାଣୁର ଏହି ନୂଆ ଷ୍ଟ୍ରେନକୁ ନିୟନ୍ତ୍ରଣ ବାହାରେ ଘୋଷଣା କରି ଚେତାବନୀ ଜାରି କରିଛନ୍ତି । ଏହାପରେ ୟୁରୋପୀୟ ମହାଦେଶର ଅନେକ ରାଷ୍ଟ୍ର ବ୍ରିଟେନରୁ ଆସୁଥିବା ଉଡାଜାହଜ ସେବା ଉପରେ ରୋକ ଲଗାଇଛନ୍ତି । ବ୍ରିଟେନରେ ମଧ୍ୟ ଗତକାଲିଠାରୁ ଲକଡାଉନ୍ କଡାକଡି ଭାବେ ଲାଗୁ କରାଯାଇଛି । କରୋନାର ନୂଆ ଷ୍ଟ୍ରେନର ମାରାତ୍ମକ ସଂକ୍ରମଣକୁ ଆଖିରେ ରଖି ଜର୍ମାନୀ ସରକାର ବ୍ରିଟେନ ଓ ଆଫ୍ରିକାର ଆସୁଥିବା ବିମାନ ଉପରେ ରୋକ ଲଗାଇବା ପାଇଁ ବିଚାର ବିମର୍ଶ କରୁଛନ୍ତି । ସେହିପରି ନେଦରଲାଣ୍ଡ ଓ ବେଲଜିୟମ ପୂର୍ବରୁ ବ୍ରିଟେନରୁ ଆସୁଥିବା ବିମାନ ଓ ଟ୍ରେନ ସେବା ଉପରେ ରୋକ ଲଗାଇ ସାରିଛନ୍ତି ।

ସାରା ବିଶ୍ୱର ବିଶ୍ୱର ଚିନ୍ତା ବଢାଇଲାଣି ବ୍ରିଟେନରେ ଦେଖା ଦେଇଥିବ କରୋନାର ନୂଆ ଷ୍ଟ୍ରେନ୍ । ବର୍ତମାନ ଦେଖା ଦେଇଥିବା କରୋନା ଷ୍ଟ୍ରେନ୍ , ପୁରୁଣା ଅପେକ୍ଷା ଅଧିକ ମାରାତ୍ମକ ବୋଲି କୁହାଯାଉଛି । ଏବେ କରୋନା ଭୂତାଣୁର ନୂଆ ରୂପ ଆଗ ଅପେକ୍ଷା ୭୦ ପ୍ରତିଶତରୁ ଅଧିକ ବେଗରେ ସଂକ୍ରମିତ ହେଉଛି । ଏପରି ସଂକ୍ରମଣର ଲଣ୍ଡନ ସମେତ ଦକ୍ଷିଣ ପୂର୍ବ ଇଂଲଣ୍ଡରେ ଜାରି ହେଲା ଲକଡାଉନ୍ ।