ଓଡ଼ିଶାର ଶିଳ୍ପ ବିପ୍ଲବ ପାଇଁ ନୂଆ ସଂଭାବନା । କେନ୍ଦ୍ରାପଡାରେ ସ୍ଥାପନ ହେବ ୧୨ ମିଲିୟନ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ଷ୍ଟିଲ ପ୍ଲାଂଟ ।

ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ସହ ଚୁକ୍ତି କଲେ ରାଜ୍ୟ ସରକାର

209

କନକ ବ୍ୟୁରୋ : କଳିଙ୍ଗନଗର ଷ୍ଟିଲ ପ୍ଲାଂଟର ବାର୍ଷିକ ଉତ୍ପାଦନ କ୍ଷମତା ହେଉଛି ୩ ମିଲିୟନ୍ ଟନ୍ । ସେହିପରି ରାଉରକେଲା ଷ୍ଟିଲ୍ ପ୍ଲାଂଟର କ୍ଷମତା ୪.୨ ମିଲିୟନ ଟନ୍, ବୋକାରୋ ଷ୍ଟିଲ ପ୍ଲାଂଟର ୪.୬ ମିଲିୟନ ଟନ୍ ଓ ଜାମଶେଦପୁର ଷ୍ଟିଲ ପ୍ଲାଂଟର ବାର୍ଷିକ ଉତ୍ପାଦନ କ୍ଷମତା ୧୦ ମିଲିୟନ ଟନ୍ । ଏହାକୁ ଲକ୍ଷ୍ୟ କରି ଆପଣମାନେ ଜାଣିପାରିବେ କେନ୍ଦ୍ରାପଡା ପ୍ରସ୍ତାବିତ ଷ୍ଟିଲ ପ୍ଲାଂଟର ଆକାର କିଭଳି ହେବ । ଉପରୋକ୍ତ ସବୁ ଷ୍ଟିଲ ପ୍ଲାଂଟଠାରୁ କେନ୍ଦ୍ରାପଡାର ଷ୍ଟିଲ୍ ପ୍ଲାଂଟ୍ ଆହୁରି ବଡ଼ ଆକାରରେ ଆସିବାକୁ ଯାଉଛି । ଆଉ ଯତେବେଳେ ଏହା ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେବ ଏହା ହୁଏତ ଏକ ବଡ଼ ରୋଜଗାର, ସୁଯୋଗ ସୃଷ୍ଟି କରିବ ।

ଓଡ଼ିଶା ଶିଳ୍ପ ବିପ୍ଲବକୁ ଆହୁରି ଦୁଇ ପାଦ ଆଗକୁ ନେଲା ଭଳି ଏ ହେଉଛି ଏକ ଐତିହାସିକ ମୂହୁର୍ତ୍ତ । ଯେଉଁଠି ଆର୍ସେଲର ମିତ୍ତଲ, ନିପନ୍ ଷ୍ଟିଲ୍ ଇଣ୍ଡିଆ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ କେନ୍ଦ୍ରାପଡା ପ୍ରସ୍ତାବିତ ଷ୍ଟିଲ ପ୍ଲାଂଟର ଏମ୍ଓୟୁ ସ୍ୱାକ୍ଷର ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଏଲନ୍ଏନ୍ ମିତଲଙ୍କ ଉପସ୍ଥିତିରେ ଏହି ଏମଓୟୁ ସ୍ୱାକ୍ଷର ହୋଇଛି ।

ସବୁଠାରୁ ବଡ଼ କଥା ହେଉଛି ଏହି ଇସ୍ପାତ କାରଖାନା ପାଇଁ କେନ୍ଦ୍ରପଡ଼ାକୁ ବଛା ଯାଇଛି । ଶିଳ୍ପ ବିହୀନ କେନ୍ଦ୍ରାପଡ଼ା ଜିଲ୍ଲାରେ ଟ୍ରେନ୍ ଯୋଗାଯୋଗ, ବନ୍ଦର ଯୋଗାଯୋଗ ପ୍ରମୁଖ ସମସ୍ୟା ରହିଥିବା ବେଳେ ଏଭଳି ଏକ ମହତକାଂକ୍ଷୀ ପ୍ରକଳ୍ପ ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଅନ୍ୟପଟେ ମିତ୍ତଲ ଗ୍ରୁପ ଅଧକ୍ଷ୍ୟ ଲକ୍ଷ୍ମୀନାରାୟଣ ମିତ୍ତଲ କହିଛନ୍ତି- ଏହି ଇନ୍ଟିଗେଡେଟ୍ ଷ୍ଟିଲ୍ କଂପ୍ଲେକ୍ସ ପାଇଁ କେନ୍ଦ୍ରାପଡ଼ା ଉପଯୁକ୍ତ ସ୍ଥାନ । ରାଜ୍ୟ ସରକାର ମଧ୍ୟ ଏଥିପାଇଁ ସମସ୍ତ ଆବଶ୍ୟକ ଭିତ୍ତିଭୂମି ଓ ସହଯୋଗ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । କିଛି ଦିନ ପୂର୍ବରୁ କେନ୍ଦ୍ରପଡ଼ା ଆସିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏନେଇ ସଂକେତ ଦେଇଥିଲେ ।

ବଡ଼ ବଡ଼ ଇସ୍ପାତ କାରଖାନାର କଥା ଉଠିଲେ, ଯେ କୌଣସି ବ୍ୟକ୍ତିଙ୍କ ମନରେ ପସ୍କୋ ବିଫଳତା କଥା ମନକୁ ଆସିଯାଏ । କେନ୍ଦୁଝରରେ ମଧ୍ୟ ମିତ୍ତଲ କଂପାନୀ ଷ୍ଟିଲ ପ୍ଲାଂଟ କରିବା ପାଇଁ ଏମ୍ଓୟୁ କରି ପରବର୍ତ୍ତୀ ସମୟରେ ସଂଭବ ହୋଇନଥିଲା । ଯଦି ଏହି ସବୁ ବିଫଳତାରୁ ଶିକ୍ଷା ଲାଭ କରି ଠିକ୍ ବାଟରେ ସରକାର ଓ କଂପାନୀ ଆଗେଇ ପାରିବେ, ତେବେ ଏହି ସ୍ୱପ୍ନ ବି ସାକାର ହୋଇପାରିବ ।