ଓମିକ୍ରନକୁ ନେଇ ଆଶଙ୍କା ଭିତରେ ଆସିଲା ଆଶ୍ୱସ୍ତିକର ଖବର । ସଂକ୍ରମିତ ହେଉଥିଲେ ବି ଘାତକ ହେଉନି ଭୂତାଣୁର ନୂଆ ପ୍ରଜାତି

847

କନକ ବ୍ୟୁରୋ: ‘ଓମିକ୍ରନ’କୁ ନେଇ ସାରା ବିଶ୍ୱରେ ଆଶଙ୍କା ଦେଖାଦେଇଥିବା ବେଳେ ଦକ୍ଷିଣ ଆଫ୍ରିକାର ବୈଜ୍ଞାନିକମାନେ ଦେଇଥିବା ତଥ୍ୟ ସାମାନ୍ୟ ଆଶ୍ୱସ୍ତି ଆଣିଛି । ଏହି ତଥ୍ୟ ଅନୁସାରେ ଯଦିଓ ‘ଓମିକ୍ରନ’ ଅଧିକ ସଂକ୍ରାମକ, ହେଲେ କମ୍ ଘାତକ । ଡେଲଟା ଭାରିଏଣ୍ଟ ତୁଳନାରେ ଏହି ନୂଆ ପ୍ରଜାତି ୨ ଗୁଣରୁ ଅଧିକ ବେଗରେ ବ୍ୟାପୁଛି, ହେଲେ ‘ଓମିକ୍ରନ’ରେ ଆକ୍ରାନ୍ତ ହେବା ପରେ ଅସୁସ୍ଥ ହେବାର ମାମଲା ମଧ୍ୟ କମ୍ ରହିଛି ।

ଓମିକ୍ରନକୁ ନେଇ ସାରା ବିଶ୍ୱରେ ଚିନ୍ତା ଓ ସତର୍କତା ଦେଖାଯାଉଥିବା ବେଳେ କରୋନାର ଏହି  ଭାରିଏଣ୍ଟ ବିଷୟରେ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି  । ଦକ୍ଷିଣ ଆଫ୍ରିକାରେ ବୈଜ୍ଞାନିକ ମାନେ  ଅନୁଧ୍ୟାନ ପରେ, ଯେଉଁ ତଥ୍ୟ ପାଇଛନ୍ତି, ତାହା ଅନୁସାରେ, ଯଦିଓ ଓମିକ୍ରନ ଅଧିକ ସଂକ୍ରାମକ, ହେଲେ କମ୍ ଘାତକ  ।  ଓମିକ୍ରନରେ ଆକ୍ରାନ୍ତ ହେବା ପରେ ରୋଗୀ ଗୁରୁତର ହେବା ଖୁବ୍ କମ୍  ।

ନଜର ପକାନ୍ତୁ ପୁରା ଅନୁଧ୍ୟାନ ଉପରେ..

  • ଦୃତ ଗତିରେ ବଢ଼ୁଛି ଓମିକ୍ରନ ସଂକ୍ରମଣ
  • ଡେଲଟା ଭାରିଏଣ୍ଟ ତୁଳନାରେ ଏହା ୨ ଗୁଣରୁ ଅଧିକ ବେଗରେ ବ୍ୟାପୁଛି
  • ଦକ୍ଷିଣ ଆଫ୍ରିକାରେ ଗୋଟିଏ ସପ୍ତାହ ଭିତରେ ସଂକ୍ରମଣ ୫ ଗୁଣା ଅଧିକ ବଢ଼ିଛି
  • ଯଦିଓ ସଂକ୍ରମଣ ବଢ଼ୁଛି, ହେଲେ ରୋଗୀ ଗୁରୁତର ହେବାର ଆଶଙ୍କା କମ୍
  • ଓମିକ୍ରନରେ ଆକ୍ରାନ୍ତ ହେବା ପରେ ଅସୁସ୍ଥ ହେବାର ମାମଲା ମଧ୍ୟ କମ୍
  • ରୋଗୀଙ୍କ ଠାରେ ସାମାନ୍ୟ ଲକ୍ଷଣ ଦେଖାଯାଉଛି
  • ଆଇସିୟୁରେ ଭର୍ତ୍ତି ହେବା ରୋଗୀଙ୍କ ସଂଖ୍ୟା ମଧ୍ୟ କମ୍ 
  • ଏପର୍ଯ୍ୟନ୍ତ ଓମିକ୍ରନରେ କାହାର ମୃତ୍ୟୁ ହୋଇଥିବାର ଖବର ମିଳିନାହିଁ

କେତେକ କ୍ଷେତ୍ରରେ ଓମିକ୍ରନ ଭାରିଏଣ୍ଟ ଟିକାର ପ୍ରତିରୋଧକ କ୍ଷମତାକୁ ମଧ୍ୟ ଭେଦ କରିପାରୁଛି ବୋଲି ବୈଜ୍ଞାନିକମାନେ ଅନୁଧ୍ୟାନରେ ପାଇଛନ୍ତି  । ତେବେ ଏନେଇ ତଥ୍ୟ ସମ୍ପୂର୍ଣ୍ଣ ନୁହେଁ ଓ ଏଥିପାଇଁ ଅଧିକ ଗବେଷଣା ଆବଶ୍ୟକ ବୋଲି ସେମାନେ କହିଛନ୍ତି  ।

ସେପଟେ ଓମିକ୍ରନକୁ ନେଇ ଅବହେଳା ନୁହେଁ ବରଂ ସତର୍କ ରହିବାକୁ ଚେତାଇ ଦେଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ଡାକ୍ତର ସୌମ୍ୟା ସ୍ୱାମୀନାଥନ  । ସେ କହିଛନ୍ତି ଯେ, ଟିକା ନେଇନଥିବା ଓ ଛୋଟ ପିଲା ଓମିକ୍ରନରେ ଆକ୍ରାନ୍ତ ହେବାର ଆଶଙ୍କା ଅଧିକ  । ତେଣୁ ଟିକାକରଣକୁ ବଢ଼ାଇବା ଓ ଛୋଟ ପିଲାଙ୍କୁ ଟିକା ଦେବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ନଭେମ୍ବରରେ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଓମିକ୍ରନ ଚିହ୍ନଟ ହେବା ପରେ ଏହା ୪୦ରୁ ଅଧିକ ଦେଶକୁ ବ୍ୟାପିଗଲାଣି  ।