ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ୍ । ଆଗକୁ ଆସୁଥିବା ପର୍ବପର୍ବାଣୀ ଉପରେ କଟକଣା ଜାରି, ପଢ଼ନ୍ତୁ କ’ଣ ଆସିଲା ନୂଆ ନିୟମ ।

2,263
କନକ ବ୍ୟୁରୋ: ଦେଶର ବିଭିନ୍ନ ରାଜ୍ୟରେ କରୋନାର ନୂଆ ଷ୍ଟ୍ରେନ୍ ଚିନ୍ତା ବଢ଼ାଇଥିବାବେଳେ କରୋନା କଟକଣା ଆହୁରି କଡ଼ାକଡ଼ି କରିଛନ୍ତି ରାଜ୍ୟ ସରକାର । ଆଗକୁ ଥିବା ପର୍ବପର୍ବାଣୀ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । କରୋନା ସଂକ୍ରମଣକୁ ରୋକିବା ପାଇଁ ଗାଇଡଲାଇନ୍ ଜାରି କଲେ ସ୍ୱତନ୍ତ୍ର ରିଲିଫ କମିଶନର । ଆଗକୁ ଆସୁଥିବା ପର୍ବପର୍ବାଣି ଯଥା- ଗୁଡ୍ ଫ୍ରାଇଡେ, ପଣା ସଂକ୍ରାନ୍ତି, ଝାମୁଯାତ୍ରା, ଦଣ୍ଡଯାତ୍ରା ଏବଂ ରାମନବମୀ ଇତ୍ୟାଦି ଭଳି ପର୍ବପର୍ବାଣୀ ଉପରେ ଲାଗିଲା କଟକଣା । ଅଧିକ ଜନଗହଳି ସଂକ୍ରମଣ ବ୍ୟାପିବା ଆଶଙ୍କାରେ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି  ନେଇଛନ୍ତି ।
ତେବେ ରାଜ୍ୟର ସବୁଠାରେ ଏହି ସବୁ ପର୍ବପର୍ବାଣୀରେ ଶ୍ରଦ୍ଧାଳୁଙ୍କ ପାଇଁ ଲାଗିଲା କଟକଣା । କୋଭିଡ୍ ନିୟମ ମାନି କେବଳ ହେବ ନୀତିକାନ୍ତି । ମନ୍ଦିର, ଚର୍ଚ୍ଚ ଖୋଲା ରହିବ କିନ୍ତୁ କେତେ ଲୋକଙ୍କୁ ଅନୁମତି ମିଳିବ ସ୍ଥିତି ଦେଖି ସେନେଇ ସମସ୍ତ ଜିଲ୍ଲାପାଳ ଓ ମୁନିସପାଲ ନିଷ୍ପତ୍ତି ନେବାକୁ ଏସଆରସିଙ୍କ ନିର୍ଦ୍ଦେଶ  । ତେବେ ପୂର୍ବରୁ ଜାରି ହୋଇଥିବା ଗାଇଡଲାଇନରେ ଦୋଳପୂର୍ଣ୍ଣମୀ, ହୋଲି ଉପରେ କଟକଣା ଲଗାଇଥିଲେ ରାଜ୍ୟ ସରକାର । ରାସ୍ତାରେ ହୋଲି ଖେଳିବାକୁ ବାରଣ କରିବା ସହ ଘରେ ରହି ପରିବାର ସହ ରଙ୍ଗ ଖେଳିବାକୁ ପରାମର୍ଶ ଦେଇଥିଲେ ।
ସବୁଠାରୁ ବଡ଼କଥା ହେଲା, ଯଦି କୋଭିଡ୍ ନିୟମ ନମାନି ଏହାକୁ ଯିଏ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ ଆଇନଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସଆରସି ଜାରି କରିଥିବା ଗାଇଡଲାଇନରେ ଉଲ୍ଲେଖ କରିଛନ୍ତି । ଏହା ଉପରେ ନଜର ରଖିବାକୁ ଜିଲ୍ଲାପ୍ରଶାସନ ଓ ମୁନିସପାଲ କର୍ତ୍ତୁପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।