ଉଚ୍ଚଶିକ୍ଷା ଓ ଦକ୍ଷତା ତାଲିମ କେନ୍ଦ୍ର ପାଇଁ ଏସଓପି ଜାରି କଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ: ଟ୍ୱିଟ୍ କରି ସୂଚନା ଦେଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ଚୌବେ; ସାମାଜିକ ଦୂରତା, ମାସ୍କ ବ୍ୟବହାର ଓ ବିଶୋଧନକୁ ଗୁରୁତ୍ୱ

ଆସନ୍ତା ୨୧ରୁ ହେବ ଲାଗୁ

338

କନକ ବ୍ୟୁରୋ: ଆସନ୍ତା ୨୧ ତାରିଖରୁ ଉଚ୍ଚ ଶିକ୍ଷା ଓ ଦକ୍ଷତା ତାଲିମ କେନ୍ଦ୍ରରେ କେମିତି ହେବ ଶ୍ରେଣୀ ଭିତରେ ପାଠପଢା । ଏନେଇ ଗାଇଡଲାଇନ୍ ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳ୍ୟ । କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଏସଂପର୍କରେ ଏକ ଫଟୋ ଟ୍ୱିଟ୍ କରିଛନ୍ତି । ଏଥିରେ ପାଠପଢା ପାଇଁ ଆବଶ୍ୟକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀ- ଏସଓପି ଜାରି କରାଯାଇଛି । ଏହି ନିର୍ଦ୍ଦେଶାବଳୀ ଅନୁସାରେ ୬ ଫୁଟ ଦୂରରେ ବସିବା ସୁନିଶ୍ଚିତ କରାଯିବ । ସେହି ଅନୁସାରେ ଚେୟାର, ଡେସ୍କ ଆଦି ରଖାଯିବ । ବିଭିନ୍ନ ସମୟ ସ୍ଲଟ୍ରେ ପିଲାମାନଙ୍କୁ ଶ୍ରେଣୀରେ ଆସିବା ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ରହିଛି ।

ନିୟମିତ ଶ୍ରେଣୀଗୃହ ଶିକ୍ଷାଦାନର ଇଂଟରମିକ୍ସ ରହିବା ପାଇଁ ଏକାଡେମିକ୍ କାର୍ଯ୍ୟସୂଚୀ ଓ ଅନଲାଇନ୍ ମୂଲ୍ୟାଙ୍କନ କରିବାକୁ କୁହାଯାଇଛି । ଉଭୟ ଶିକ୍ଷକ ଓ ଛାତ୍ରଛାତ୍ରୀ ମାସ୍କ ପିନ୍ଧିବା ସୁନିଶ୍ଚିତ ହେବା ଆବଶ୍ୟକ । ପରସ୍ପର ମଧ୍ୟରେ ଲାପ୍ଟପ୍ , ନୋଟ୍ବୁକ୍, ଷ୍ଟେସନାରୀ ସାମଗ୍ରୀ ଆଦି ଦିଆନିଆ ହେବେ ନାହିଁ । ଏଥି ପ୍ରତି ଶିକ୍ଷକ ଏବଂ କର୍ତୃପକ୍ଷ ଧ୍ୟାନ ଦେବା ଜରୁରୀ । ପୂର୍ବରୁ ସେପ୍ଟେମ୍ବର ୮ ତାରିଖରେ ଏକ ଏସଓପି ଜାରି ହୋଇଥିଲା । ନବମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟ ଆଂଶିକ ଖୋଲିବା ବେଳେ କେଉଁ କେଉଁ ଦିଗ ପ୍ରତି ଦୃଷ୍ଟି ଦିଆଯିବ ସେନେଇ ଗାଇଡ୍ଲାଇନ୍ ଦିଆଯାଇଥିଲା । ତେବେ ନିୟମିତ ଶ୍ରେଣୀ ଓ ପରୀକ୍ଷାଗାରକୁ ବିଶୋଧନ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ ।