ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ପଢିବେ ଷଷ୍ଠ ଓ ସପ୍ତମ ପାଠ । ପ୍ରତିଦିନ ୧ ଘଣ୍ଟା କରିବେ ପୂର୍ବ ପାଠର ରିଭିଜନ୍ ।

289

କନକ ବ୍ୟୁରୋ : ୧୮ ମାସ ପରେ ଖୋଲିବାକୁ ଯାଉଛି ଅଷ୍ଟମ ଶ୍ରେଣୀ । କରୋନା ମହାମାରୀ ଭିତରେ ଦୀର୍ଘ ୧୮ ମାସ ହେଲା ସ୍କୁଲ ବନ୍ଦ ରହିବା ପରେ ଆସନ୍ତା ୨୫ ତାରିଖରେ ଖୋଲିବ ଅଷ୍ଟମ ଏବଂ ଏକାଦଶ । ଏନେଇ ପ୍ରସ୍ତୁତି ଆରମ୍ଭ କରିଛି ଗଣଶିକ୍ଷା ବିଭାଗ । ବିଭାଗ ପକ୍ଷରୁ ଏସଓପି ଜାରି କରାଯାଇଛି । ପଂଚାୟତରାଜ ବିଭାଗ ଓ ଗଣଶିକ୍ଷା ବିଭାଗ ନିଜ ଭିତରେ ସମନ୍ୱୟ ରଖି ସ୍କୁଲର ସଫେଇ କାର୍ଯ୍ୟ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସବୁଠୁ ବଡ଼ କଥା ହେଲା, ଦେଢ଼ ବର୍ଷ ଧରି ସ୍କୁଲରେ ପାଠପଢ଼ା ବନ୍ଦ ଥିବାରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ପୂର୍ବ ଶ୍ରେଣର ପାଠ ରିଭିଜନ କରାଯିବ ।

ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ପଢିବେ ଷଷ୍ଠ ଓ ସପ୍ତମ ପାଠ । ପ୍ରତିଦିନ ୧ ଘଂଟା କରିବେ ପୂର୍ବ ପାଠର ରିଭିଜନ୍ । ଛାତ୍ରଛାତ୍ରୀଙ୍କର ହେବ ବେସ୍ ଲାଇନ ମୂଲ୍ୟାଙ୍କନ୍ । ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲ ଖୋଲିବା ପରେ ପ୍ରତିଦିନ ଏକ ଘଂଟା ପୁରୁଣା ପାଠର ଆଲୋଚନା କରିବେ । ଷଷ୍ଠ ଏବଂ ସପ୍ତମ ଶ୍ରେଣୀର ପାଠର କରିବେ ରିଭିଜନ । ଏହାପରେ ବେସ୍ ଲାଇନ ମୂଲ୍ୟାଙ୍କନ ଦ୍ୱାରା କରାଯିବ ଛାତ୍ରଛାତ୍ରୀଙ୍କ ତର୍ଜମା । ଆବଶ୍ୟକତା ଅନୁଯାୟୀ ଛାତ୍ରଛାତ୍ରୀଙ୍କ ଉପରେ ଦୃଷ୍ଟି ଦେବେ ଶିକ୍ଷକ ଶିକ୍ଷୟିତ୍ରୀ ।

ସ୍କୁଲ ଖୋଲିବା ପରେ କିପରି ପାଠପଢ଼ା ହେବ ବିଭାଗ ପକ୍ଷରୁ ଜାରି କରାଯାଇଛି ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିୟୋର ବା ଏସଓପି । ପଂଚାୟତିରାଜ ବିଭାଗ ଏବଂ ଗଣଶିକ୍ଷା ବିଭାଗ ସଚିବ ମିଳିତ ଭାବରେ ଅଷ୍ଟମ ଏବଂ ଏକାଦଶ ଖୋଲିବା ପ୍ରସ୍ତୁତି ନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ।
ନଜର ପକାନ୍ତୁ, ଜାରି କରାଯାଇଥିବା ଏସଓପି ଉପରେ ।
ସ୍କୁଲ ଖୋଲିବା ନେଇ ଏସଓପି :
*ସ୍କୁଲ ସଫେଇକୁ ଗୁରୁତ୍ୱ
*ଟଏଲେଟ୍ ଓ ବିଶୁଦ୍ଧ ଜଳ ଯୋଗାଣ ବ୍ୟବସ୍ଥାକୁ ସୁନିଶ୍ଚିତ କରାଯିବ
*ସ୍କୁଲ ପରିଚାଳନା କମିଟି, ପ୍ରଧାନଶିକ୍ଷକ ଓ ଅଭିଭାବକଙ୍କ ମଧ୍ୟ ସମନ୍ୱୟ ରହିବ
*ପଂଚାୟତିରାଜ ବିଭାଗ ସହ ମିଶି ସ୍କୁଲର ଭିତ୍ତିଭୂମିକୁ ସଜଡ଼ାଯିବ
*କୋଭିଡ ନିର୍ଦ୍ଦେଶାବଳୀ କଡାକଡି ପାଳନ କରାଯିବ
*ନିୟମ ପାଳନ ନେଇ ରିପୋର୍ଟ ଦେବେ ଶିକ୍ଷା ଅଧିକାରୀ

ସ୍କୁଲ ଖୋଲିବା ପରେ ଗଣଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ ବିଭାଗ ମନିଟରିଂ କରିବେ । ସ୍କୁଲ ପିଲାଙ୍କର କଣ ସବୁ ଲକ୍ଷଣ ଅଛି କି ନାହିଁ, ଶିକ୍ଷକମାନେ ଟୀକା ନେଇଛନ୍ତି କି ନାହିଁ, ସେ ଉପରେ ଅନୁଧ୍ୟାନ କରାଯିବ ବୋଲି ସୂଚନା ଦେଇଛନ୍ତି ଡିଏମଇଟି । ସ୍କୁଲ ଖୋଲିବା ନିଷ୍ପତ୍ତି ପରେ ପ୍ରସ୍ତୁତି ଆରମ୍ଭ କରିଛି ବିଭାଗ । ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ହାଇଅର ସେକେଣ୍ଡାରୀ ସ୍କୁଲ ଅଧ୍ୟକ୍ଷଙ୍କ ସହିତ ଆଲୋଚନା କରିଛି ଗଣଶିକ୍ଷା ବିଭାଗ ।