କନକ ବ୍ୟୁରୋ : ଦୀର୍ଘ ୯ ମାସ ପରେ ଖୋଲିଛି ଶ୍ରୀମନ୍ଦିର । ମହାପ୍ରଭୁଙ୍କ ଦର୍ଶନ ପାଇଁ ନୂଆ ଏସଓପି ଜାରି କରାଯାଇଛି । ପୁର୍ବ; ଘୋଷଣା ସହ ଆଉ କିଛି ଯୋଡିଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ଭିତରେ ଦୀପ ଜାଳିବା ସଂପୂର୍ଣ୍ଣ ନିଷେଧ । ଶ୍ରୀମନ୍ଦିର ଭିତରକୁ ଭୋଗ, ଫୁଲ, ଦୀପ ନେବା ମନା । ଏହା ସହ ମନ୍ଦିର ଭିତରେ କୌଣସି ପ୍ରତିମାକୁ ବି ଛୁଇଁପାରିବେନି ଭକ୍ତ । ମନ୍ଦିର ଭିତରେ ଓ ବାହାରେ ମାସ୍କ୍ ପିନ୍ଧିବା ଜରୁରୀ । ମନ୍ଦିର ଭିତରକୁ ଯିବା ସମୟରେ ହାତକୁ ସାନିଟାଇଜର କରିବେ । ସେହିପରି ମନ୍ଦିର ଭିତରେ ପାନ ଓ ଗୁଟଖା ଖାଇବା ମଧ୍ୟ ନିଷେଧ କରାଯାଇଛି ।

Advertisment

ପ୍ରଥମ ପର୍ଯ୍ୟାୟରେ ସେବାୟତମାନେ ମନ୍ଦିରରେ ଦିଅଁଙ୍କ ଦର୍ଶନ କରୁଛନ୍ତି । ୨୫ ତାରିଖ ପର୍ଯ୍ୟନ୍ତ କେବଳ ପରିଚୟପତ୍ର ଦେଖାଇ ସେବାୟତ ଯେକୌଣସି ଦ୍ୱାରରେ ପ୍ରବେଶ କରି ଦର୍ଶନ କରିପାରିବେ । ଅଣସେବାୟତଙ୍କୁ ରୋକିବା ପାଇଁ ଶ୍ରୀମନ୍ଦିର ଚାରିଦ୍ୱାରରେ ଜଗି ରହିଛନ୍ତି ଜଗନ୍ନାଥ ଟେମ୍ପୁଲ ପୋଲିସ । ଭିତର ବେଢାରେ ସାତ ପାହାଚ ନିକଟ ଗରୁଡସ୍ତମ୍ଭ ପାଖରେ ପଣ୍ଡାଦ୍ୱାର, ମୁଦୁଲି ଦ୍ୱାର, ବାହାର କାଠ, ଜୟବିଜୟ ଦ୍ୱାର, ଭିତର କାଠ ଓ ବେହରଣ ଦ୍ୱାରରେ ୩ ସିଫ୍ଟରେ ୧୫ଜଣ ପ୍ରତିହାରୀ ସେବାୟତ ଶୃଙ୍ଖଳିତ ଦର୍ଶନ ପାଇଁ ନିୟୋଜିତ ହୋଇଛନ୍ତି ।

ଭିନ୍ନକ୍ଷମଙ୍କ ପାଇଁ ଉତରଦ୍ୱାରରେ ଦର୍ଶନ ବ୍ୟବସ୍ଥା କରାଯାଇଛି । ଅସୁସ୍ଥ ଲୋକ ଏବଂ ୧୦ ବର୍ଷରୁ କମ ଏବଂ ୬୫ ବର୍ଷରୁ ଅଧିକ ଲୋକଙ୍କୁ ଶ୍ରୀମନ୍ଦିରକୁ ନଆସିବା ପାଇଁ ଅନୁରୋଧ କରିଛି ଜିଲ୍ଲା ପ୍ରଶାସନ । ୨୬ ତାରିଖ ସକାଳ ସାଢେ ୭ଟାରୁ ପୁରୀ ବାସୀଙ୍କ ପାଇଁ ଦର୍ଶନ ଆରମ୍ଭ ହେବ । ତେବେ ସହରବାସୀଙ୍କ ପାଇଁ ୱାର୍ଡୱାରୀ ଦର୍ଶନ ବ୍ୟବସ୍ଥା କରାଯାଇଛି । ସହରବାସୀଙ୍କ ଦର୍ଶନ ବ୍ୟବସ୍ଥାକୁ ନେଇ ବ୍ଲୁ-ପ୍ରିଂଟ ପ୍ରସ୍ତୁତ କରିଛି ଶ୍ରୀମନ୍ଦିର ପ୍ରଶାସନ ।