କନକ ବ୍ୟୁରୋ: ଝାଡଖଣ୍ଡକୁ ଲମ୍ବିଛି ସିମ ବକ୍ସର ଚେର । ଆଜି ରାଂଚିରେ ସିମ ବକ୍ସର ଗୁମର ଖୋଜିଛି କମିଶନରେଟ ପୋଲିସ। ରାଜୁ ମଣ୍ଡଳକୁ ଝାଡଖଣ୍ଡ ନେଇ ଚାଲିଛି ଖୋଳତାଡ । ସେଠାରୁ ୫ଟି ସିମ୍ ବକ୍ସ ସେଟଅପ୍ ମିଳିଥିବା ସୂଚନା ମିଳିଛି । ବାଂଲାଦେଶୀ ଅସଦୁର ଜମାନକୁ ଗିରଫ ପାଇଁ ଇଣ୍ଟରପୋଲର ସହାୟତା ନେଇଛି ପୋଲିସ । ଭୁବନେଶ୍ବର, କଟକ ପରେ ଝାଡଖଣ୍ଡରେ ସିମ୍ ବକ୍ସ ରହିଛି ବୋଲି ତଦନ୍ତରୁ ଜଣାପଡିଛି।
ଭୁବନେଶ୍ବର, କଟକ ପରେ ଏବେ ଝାଡଖଣ୍ଡ। ଲମ୍ବିଛି ସିମବକ୍ସର ଚେର। ରିମାଣ୍ଡର ତୃତୀୟ ଦିନରେ ଅଭିଯୁକ୍ତ ରାଜୁ ମଣ୍ଡଳକୁ ନେଇ ଝାଡଖଣ୍ଡର ରାଞ୍ଚିରୁ କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାର୍ଡ ଜବତ କରିଛି ତୃତୀୟ ସିମବକ୍ସ।
ଗୋଟିଏ ପରେ ଗୋଟିଏ ସିମ୍ ବକ୍ସ ଜବତ ହେବା ଏବେ ଆତଙ୍କୀ ଲିଙ୍କ ଆଡକୁ ଇଙ୍ଗିତ କରୁଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଝାଡଖଣ୍ଡର ଭଡା ଘରକୁ ମଧ୍ୟ ସିମବକ୍ସର ମାଷ୍ଟରମାଇଣ୍ଡ ଆସାଦୁର ଜମାନ ଆସିଥିବା ସୂଚନା ମିଳିଛି।
- ରାଞ୍ଚି ବସ ଟର୍ମିନାଲ ନିକଟସ୍ଥ ମୌଲାନା ଆଜାଦ କଲୋନୀରେ ଭଡାଘର ନେଇଥିଲା ରାଜୁ ମଣ୍ଡଳ
- ସିମବକ୍ସ ଦେଖିବାକୁ ମାସକୁ ଥରେ ଲେଖାଏଁ ଭଡାଘରକୁ ଆସୁଥିଲା ରାଜୁ
- ଝାଡଖଣ୍ଡରେ ମଧ୍ୟ ସିମବକ୍ସ ସେଟଅପ୍ କରିଥିଲା ଆସାଦୁର
- ଭଡାଘରୁ ୫ଟି ସିମବକ୍ସ, ପୁଳା ପୁଳା ପ୍ରି ଆକ୍ଟିଭ, ଆକ୍ଟିଭ ଓ ଖରାପ ସିମକାର୍ଡ ଜବତ
- ବାଂଲାଦେଶରୁ ହୱାଲା କାରବାରରେ ଟଙ୍କା ଆଣି ରାଜୁ ଚଳାଇଥିଲା ପୂରା ନେଟୱର୍କ
ସିମବକ୍ସ ଜରିଆରେ ଅସାଦୁର କିଛି ବଡଧରଣର ପ୍ଲାନ କରୁଥିବା ସନ୍ଦେହ କରାଯାଉଛି। ଚୀନ୍, ପାକିସ୍ତାନରୁ ଆସୁଥିବା କଲକୁ ଲୋକାଲ କଲରେ କନଭର୍ଟ କରୁଥିବାରୁ ଆତଙ୍କୀ ଲିଙ୍କ୍ ନେଇ ସନ୍ଦେହ ଆହୁରି ଦୃଢୀଭୂତ ହୋଇଛି। ତେଣୁ,
କମିଶନରେଟ ପୋଲିସ ଆସାଦୁରକୁ ଗିରଫ କରିବାକୁ ନେଇଛି ଇଣ୍ଟରପୋଲର ସହାୟତା
ଆତଙ୍କୀ ଲିଙ୍କ୍ ନେଇ ପୂରା ମାମଲାର ତଦନ୍ତ କରିବାକୁ ଭୁବନେଶ୍ବର ଆସିବ ଏନଆଇଏ ଟିମ୍
ବାଂଲାଦେଶରୁ ସିମବକ୍ସର ଅପରେଟ ହେଉଥିବାରୁ ଜାତୀୟ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଅନ୍ୟପଟେ ରାଜୁର ରିମାଣ୍ଡ ଶେଷ ହେବାକୁ ଆହୁରି ୨ ଦିନ ବାକି ଅଛି। ତେଣୁ ଏହି ସମୟରେ ପୋଲିସ ରାଜୁ ମୁହଁରୁ ଆଉ କିଛି ସତ ଓଗାରିବାକୁ ଚେଷ୍ଟା କରିବ କମିଶରେଟ ପୋଲିସ।