ନୂଆ କରୋନା ଭାଇରସ ‘ନିଓ-କୋଭ’ର ସନ୍ଧାନ ପାଇଲେ ଚୀନ ବୈଜ୍ଞାନିକ । ଆଗକୁ ମ୍ୟୁଟେସନ୍ ହେଲେ ମଣିଷକୁ ବି କରିପାରେ ସଂକ୍ରମିତ

276

କନକ ବ୍ୟୁରୋ: ଚୀନ ଉହାନର ବୈଜ୍ଞାନିକମାନେ କରୋନା ଭାଇରସର ଏକ ନୂଆ ପ୍ରଜାତି ଆବିଷ୍କାର କରିଛନ୍ତି, ଯାହା ବର୍ତ୍ତମାନ ଦକ୍ଷିଣ ଆଫ୍ରିକାର ବାଦୁଡିମାନଙ୍କ ଠାରେ ଦେଖାଯାଇଛି । ଯଦି ଆଗକୁ ଏହାର ମ୍ୟୁଟେସନ ହୁଏ ତେବେ ମଣିଷଙ୍କ ପ୍ରତି ଆଗକୁ ଏହା ବଡ ବିପଦ ଆଣିପାରେ ବୋଲି ଚୀନର ବୈଜ୍ଞାନିକମାନେ ଚେତାଇ ଦେଇଛନ୍ତି । ଏହା ଏକ ସାଧାରଣ କରୋନା ଭାଇରସ ନୁହେଁ । ଏହାକୁ ‘ମିଡିଲ ଇଷ୍ଟ ରେସ୍ପିରେଟରୀ ସିଣ୍ଡ୍ରୋମ’ ଶ୍ରେଣୀରେ ରଖାଯାଇଛି ।

୨୦୧୨ରେ ପ୍ରଥମ ଥର ଲାଗି ସାଉଦି ଆରବରେ ଏ ପ୍ରକାର ଭାଇରସ ଦେଖାଯାଇଥିଲା । ଚାଇନିଜ ଏକାଡେମୀ ଅଫ ସାଏନସେସ୍ ଏବଂ ଉହାନ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ କହିଛନ୍ତି, ଏହି ଭାଇରସ ବର୍ତ୍ତମାନ କେବଳ ଜୀବଜନ୍ତୁଙ୍କ ଠାରେ ରହିଛି । ବର୍ତ୍ତମାନ ଅବସ୍ଥାରେ ଏହା ମଣିଷକୁ ସଂକ୍ରମିତ ହୋଇପାରିବ ନାହିଁ, କିନ୍ତୁ ଯଦି ଏହାର ମ୍ୟୁଟେସନ ହୁଏ ତେବେ ମଣିଷକୁ ସଂକ୍ରମିତ କରିବାର ଆଶଙ୍କା ରହିଛି । ଏହି ଭାଇରସ ଏକ ରିସେପ୍ଟର ପ୍ରୋଟିନ ଏବଂ ଶରୀରର ଅନ୍ୟ ଜୀବକୋଷରେ ସହଜରେ ଲାଖିଯାଇପାରିବ । ଏହାର ସଂକ୍ରାମକ କ୍ଷମତା ଓ ମାରକ କ୍ଷମତା ବର୍ତମାନର ଭାଇରସଠାରୁ ବହୁତ ଅଧିକ ବୋଲି ଉହାନର ବୈଜ୍ଞାନିକମାନେ ସତର୍କ କରାଇଛନ୍ତି ।

କିଛି ଜାତୀୟ ଗଣମାଧ୍ୟମ ଉଲ୍ଲେଖ କରିଛନ୍ତି ଯେ, ଏହା ସାଂଘାତିକ ଭାବେ ମାରକ ହୋଇପାରେ । ଏପରିକି ସଂକ୍ରମିତ ହେଉଥିବା ୩ ଜଣଙ୍କ ମଧ୍ୟରୁ ଜଣକର ମୃତ୍ୟୁ ହୋଇପାରେ ବୋଲି ଜାତୀୟ ଗଣମାଧ୍ୟମ ଉହାନର ବୈଜ୍ଞାନିକମାନେ କହିଛନ୍ତି ବୋଲି ଉଲ୍ଲେଖ କରିଛନ୍ତି । ୨୦୧୨ରେ ପ୍ରଥମେ ଯେତେବେଳେ ସାଉଦି ଆରବରେ ଏହି ଭାଇରସ ଚିହ୍ନଟ ହୋଇଥିଲା, ସେତେବେଳେ ସଂକ୍ରମିତ ହୋଇଥିବା ଲୋକଙ୍କ ମଧ୍ୟରୁ ୩୫ ପ୍ରତିଶତ ଆକ୍ରାନ୍ତ ପ୍ରାଣ ହରାଇଥିଲେ । ଏହାର ପ୍ରଭାବରେ ଜ୍ୱର, କାଶ, ଅଣନିଶ୍ୱାସୀ ହେବା ଓ ନିମୋନିଆ ଭଳି ସମସ୍ୟା ସୃଷ୍ଟି ହୋଇଥାଏ ।

ଅନ୍ୟପଟେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏହି ‘ନିଓକୋଭ’ ଭାଇରସ ଉପରେ ମଧ୍ୟ ପ୍ରତିକ୍ରିୟା ରଖିଛି । ଋଷର ନ୍ୟୁଜ ଏଜେନ୍ସି ‘ଟାସ୍’କୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଅଧିକାରୀମାନେ କହିଛନ୍ତି, ସେମାନେ ଏ ବିଷୟରେ ଅବଗତ ଅଛନ୍ତି ଏବଂ ମଣିଷଙ୍କ ପ୍ରତି ଏହା ବିପଦ ହେବ କି ନାହିଁ ତାହା ଜାଣିବା ପାଇଁ ଅଧିକ ଗବେଷଣାର ଆବଶ୍ୟକତା ରହିଛି । ବନ୍ୟଜନ୍ତୁ ମାନଙ୍କଠାରୁ ପ୍ରାୟ ୭୫ ପ୍ରତିଶତ ଭାଇରସ ମଣିଷ ଦେହକୁ ସଂକ୍ରମିତ ହୁଏ । କରୋନା ଭାଇରସ ମଧ୍ୟ ଜୀବଜନ୍ତୁଙ୍କଠାରୁ ଆସିିଛି । ବିଶେଷକରି ବାଦୁଡିଙ୍କଠାରେ ପ୍ରକୃତିଗତ ଭାବେ କରୋନା ଭାଇରସ ଦୀର୍ଘ ସମୟ ଧରି ରହିପାରେ ଏବଂ ପରବର୍ତ୍ତୀ ସମୟରେ ମ୍ୟୁଟେସନ ହୋଇଥାଏ । ଏହାପରେ ମଣିଷ ଦେହକୁ ସଂକ୍ରମିତ ହୁଏ ବୋଲି ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନର ଅଧିକାରୀମାନେ କହିଛନ୍ତି ।