ବୀମା ବିଜ୍ଞାପନ ପାଇଁ ଆସିବ ନୂଆ ନିୟମ : ଗ୍ରାହକଙ୍କୁ କରିପାରିବେନି ବିଭ୍ରାନ୍ତ

113

କନକ ବ୍ୟୁରୋ : ବୀମା କଂପାନିଗୁଡ଼ିକ ବିଜ୍ଞାପନରେ ଯେଉଁ ଦାବି କରୁଛନ୍ତି ତାହା ଉପରେ ନିୟାମକ ସଂସ୍ଥା ଆଇଆରଡିଏଆଇ କଡ଼ା ନଜର ରଖିଛି । ବିଜ୍ଞାପନରେ ଦାବିଗୁଡ଼ିକୁ ବଢ଼ାଇ ଚଢ଼ାଇ ପ୍ରଦର୍ଶନ କରିବା ମହଙ୍ଗା ପଡ଼ିବ । ଖୁବଶୀଘ୍ର ଆଇ୍ଅ‌ାର୍‌ଡିଏଆଇ ତରଫରୁ ଏକ ନୂଆ ନିୟମ ଜାରି କରାଯିବ । ବିଶେଷ କରି ଅନୁଚିତ ଏବଂ ଗ୍ରାହକମାନଙ୍କୁ ବିଭ୍ରାନ୍ତ କରୁଥିବା ବିଜ୍ଞାପନଗୁଡ଼ିକ ଉପରେ ଅଙ୍କୁଶ ଲଗାଇବା ହେବ ସେହି ନିୟମର ପ୍ରମୁଖ ଲକ୍ଷ୍ୟ । ଅନେକ ସମୟରେ ବୀମା କଂପାନିଗୁଡ଼ିକ କୌଣସି ପଲିସିର ବିଜ୍ଞାପନ ଜରିଆରେ ପ୍ରଚାର କରିବା ବେଳେ ସ୍ପଷ୍ଟ ଭାବେ ସୂଚନା ଦେଉନାହାନ୍ତି । କିଛି କଂପାନି ବଢ଼ାଇ ଚଢ଼ାଇ ଦାବିଗୁଡ଼ିକୁ ଉପସ୍ଥାପନ କରୁଛନ୍ତି । ଆଉ କିଛି କଂପାନି ଏଭଳି କିଛି ଦାବି କରୁଛନ୍ତି ଯାହା ପଲିସି ଲାଭ ସହ ମେଳ ଖାଉନାହିଁ ।

ବିଜ୍ଞାପନକୁ ନେଇ ରହିଥିବା ଏହି ସବୁ ସମସ୍ୟାକୁ ଦୂର କରିବା ଏବଂ ଗ୍ରାହକଙ୍କ ସ୍ୱାର୍ଥ ରକ୍ଷା କରିବା ଲାଗି ଅ‌ାଇଆର୍‌ଡିଏଆଇ ଖୁବ୍‌ଶୀଘ୍ର ଏକ ନୂଆ ନିୟମ ଜାରି କରିବାକୁ ଯାଉଛି । ନଭେମ୍ବର ୧୦ ସୁଦ୍ଧା ଏହି ନିୟମ ଉପରେ ମତାମତ ପ୍ରଦାନ କରିବାକୁ ଅଂଶୀଦାରମାନଙ୍କୁ ଆହ୍ୱାନ ଦିଆଯାଇଛି । ବୀମା ପଲିସି ବିକ୍ରି କରୁଥିବା ତୃତୀୟ ପକ୍ଷ ସଂସ୍ଥା ବା ଏଗ୍ରିଗେଟର ଓ ବୀମା କଂପାନିଗୁଡ଼ିକ ବିଜ୍ଞାପନ ଦେବା ବେଳେ ‌‌ଯେଭଳି ନିଷ୍ଠାବାନ ରହିବେ ଏବଂ ପାରଦର୍ଶିତାର ସହ ନୀତି ନିୟମକୁ ପାଳନ କରିବେ ସେଥିପାଇଁ ଏହି ନୂଆ ନିୟମ ଲାଗୁ କରାଯିବ । କୌଣସି ପରିସ୍ଥିତିରେ ଯେଭଳି ଗ୍ରାହକଙ୍କ ବିଶ୍ୱାସକୁ କଂପାନିଗୁଡ଼ିକ ଆଘାତ ପହଞ୍ଚାଇବା ଭଳି କାମ ନକରନ୍ତି ତାହାକୁ ନିଶ୍ଚିତ କରିବା ହେବ ଏହି ନିୟମର ଅନ୍ୟତମ ଉଦ୍ଦେଶ୍ୟ ।

ବୀମା ଉତ୍ପାଦ ସମ୍ପର୍କିତ ବିଜ୍ଞାପନଗୁଡ଼ିକ ତର୍କ ଭିତ୍ତିକ ହେଉ ଏବଂ ସେଥିରେ ସରଳ ଭାଷା ବ୍ୟବହାର କରାଯାଉ ବୋଲି ଆଇଆର୍‌ଡିଏଆଇ ଚାହୁଛି । ଗ୍ରାହକମାନଙ୍କ ପାଖରେ ଯଦି ସଠିକ୍ ସୂଚନା ପହଞ୍ଚିବ ତେବେ ସେମାନେ ପଲିସି କିଣିବା ବେଳେ ଠିକ୍ ନିଷ୍ପତ୍ତି ନେଇପାରିବେ। ସେମାନଙ୍କ ପାଇଁ ଯାହା ଉଚିତ ସେହି ପଲିସିକୁ ସେମାନେ କିଣି ଉପକୃତ ହେବେ । ବିଭ୍ରାନ୍ତୀକର ବିଜ୍ଞାପନ ଦ୍ୱାରା ‌ଅନେକ ସମୟରେ ଗ୍ରାହକମାନେ ଭୁଲ ପଲିସି କିଣନ୍ତି ଯାହା ସେମାନଙ୍କ ଆବଶ୍ୟକତା ପୂରଣ କରିନଥାଏ ।