ଓଲା, ଉବର ଭଳି ସଂସ୍ଥା ପାଇଁ ନୂଆ ନିୟମ : ଡ୍ରାଇଭରଙ୍କୁ ଭଡ଼ାର ୮୦%; କମ୍ପାନି ଭାଗରେ ୨୦%

ସବୁ ଡ୍ରାଇଭରଙ୍କୁ ବୀମା, ୧୨ ଘଣ୍ଟାରୁ ଅଧିକ ସମୟ ଗାଡ଼ି ଚଲାଇ ପାରିବେନି

141

କନକ ବ୍ୟୁରୋ : ଟ୍ୟାକ୍ସି ଏଗ୍ରିଗେଟର ସେବା ପ୍ରଦାନ କରୁଥିବା କମ୍ପାନି ଓଲା ଓ ଉବର ଭଳି କମ୍ପାନି ମୋଟ ଭଡ଼ାର ୨୦ ପ୍ରତିଶତ ଅର୍ଥ ନେଇପାରିବେ । ଭଡ଼ାର ଅବଶିଷ୍ଟ ୮୦ ପ୍ରତିଶତ ଅର୍ଥ ଡ୍ରାଇଭରଙ୍କୁ ପ୍ରଦାନ କରାଯିବ । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ନୂଆ ନିୟମାବଳୀ ପ୍ରସ୍ତୁତ କରାଯାଇଛି । ପୂର୍ବରୁ କମ୍ପାନି ଗୁଡ଼ିକ ପାଇଁ ଏହି ସୀମା ୧୦ ପ୍ରତିଶତରେ ଧାର୍ଯ୍ୟ କରାଯିବ ବୋଲି ଚର୍ଚ୍ଚା ହେଉଥିଲା । ଏହାକୁ ନେଇ କମ୍ପାନି ଗୁଡ଼ିକ ଚିନ୍ତିତ ଥିଲେ । ଏତେ‌ କମ୍‌ ମୂଲ୍ୟରେ ଉକ୍ତ ସେବା ଯୋଗାଇବା ସମ୍ଭବପର ହେବ ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଉଥିଲେ । କିନ୍ତୁ ଏବେ ଏହି ସୀମାକୁ ୨୦ ପ୍ରତିଶତରେ ଧାର୍ଯ୍ୟ କରାଯାଇଥିବାରୁ ଓଲା, ଉବର ଭଳି କମ୍ପାନି ଗୁଡ଼ିକର ରାଜସ୍ୱ ସେତେଟା ପ୍ରଭାବିତ ହେବ ନାହିଁ ।

ଏହାଛଡ଼ା ଗାଡ଼ି ବୁକିଙ୍ଗ୍‌ ପାଇଁ ଚାହିଦା ସର୍ବାଧିକ ଥିବା ସମୟରେ ମଧ୍ୟ କମ୍ପାନି ଗୁଡ଼ିକ ଗ୍ରାହକଙ୍କଠାରୁ ମୂଳ ଭଡ଼ା ତୁଳନାରେ ଦେଢ଼ ଗୁଣ ଅଧିକ ଭଡ଼ା ନେଇପାରିବେ । ତାହାଠାରୁ ଅଧିକ ନେଇପାରିବେ ନାହିଁ । ଏଥିସହିତ କମ୍ପାନି ପକ୍ଷରୁ ଡ୍ରାଇଭରଙ୍କୁ ବୀମା ସୁବିଧା ନିଶ୍ଚିତ ଭାବେ ପ୍ରଦାନ କରାଯିବ । ସେହିଭଳି ଡ୍ରାଇଭରମାନଙ୍କୁ ଦୈନିକ ୧୨ ଘଣ୍ଟାରୁ ଅଧିକ ସମୟ ଗାଡ଼ି ଚଳାଇବାକୁ କୁହାଯାଇ ପାରିବ ନାହିଁ । ଭଡ଼ା ବାତିଲ ଶୁଳ୍କ ମୋଟ ଭଡ଼ାର ୧୦ ପ୍ରତିଶତରେ ଧାର୍ଯ୍ୟ କରାଯାଇଛି । ତେବେ ଏହି ରାଶି ୧୦୦ ଟଙ୍କାରୁ ଅଧିକ ହେବନାହିଁ ।

ଆପ୍‌ର ତଥ୍ୟ ସାଇତି କରି ରଖାଯାଉଥିବା ସର୍ଭରଟି ଯେଭଳି ଭାରତରେ ରହିବ ତାହାକୁ ଏଗ୍ରିଗେଟର ସଂସ୍ଥା ନିଶ୍ଚିତ କରିବ । ସାଇତା ତଥ୍ୟ ସର୍ବନିମ୍ନ ୩ ମାସ ଏବଂ ସର୍ବାଧିକ ୨୪ ମାସ ପାଇଁ ରଖାଯିବ । ଏସବୁ ତଥ୍ୟ ମଧ୍ୟ ଆଇନ ଅନୁସାରେ ରାଜ୍ୟ ସରକାରଙ୍କ ପାଇଁ ଉପଲବ୍ଧ ହେବ । ଗ୍ରାହକଙ୍କ ଲିଖିତ ଅନୁମତି ବିନା ତାଙ୍କର କୌଣସି ତଥ୍ୟ ପ୍ରଘଟ କରାଯାଇ ପାରିବ ନାହିଁ ।