ଗ୍ୟାସ୍ ସିଲିଣ୍ଡରକୁ ନେଇ କେନ୍ଦ୍ର ସରକାରଙ୍କ ନୂଆ ନିୟମ: ଏଣିକି ଓଟିପି ନଦେଲେ ମିଳିବ ନାହିଁ ଇନ୍ଧନ; ଭୟ ବୁକିଂ ଏବଂ ଡେଲିଭରୀ ସମୟରେ ଓଟିପି ନମ୍ବର ନକହିଲେ ଉପଭୋକ୍ତାଙ୍କୁ ମିଳିବନି ଗ୍ୟାସ୍ ଟାଙ୍କି

733

କନକ ବ୍ୟୁରୋ:  କରୋନା ମହାମାରୀ ସଂକଟ ଭିତରେ ଗ୍ୟାସ୍ ସିଲିଣ୍ଡରକୁ ନେଇ ଆସୁଛି ନୂଆ ନିୟମ । ଏଣିକି ବିନା ଓଟିପିରେ ଉପଭୋକ୍ତାଙ୍କୁ ଆଉ ମିଳିବ ନାହିଁ ଗ୍ୟାସ୍ ସିଲିଣ୍ଡର । ହଁ ଆଜ୍ଞା ! ଦେଶରେ ଖୁବ୍ ଶୀଘ୍ର ଏଲପିଜି ଗ୍ୟାସ୍ ସିଲିଣ୍ଡରକୁ ନେଇ ପୁଣି ଏକ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଯାହା ଫଳରେ ଉପଭୋକ୍ତା ଯେପର୍ଯ୍ୟନ୍ତ ହକରଙ୍କୁ ନିଜ ରେଜିଷ୍ଟର୍ଡ ମୋବାଇଲ ନମ୍ବରକୁ ଆସିଥିବା ଓାନ ଟାଇମ୍ ପାସଓାର୍ଡ ନଦେଖାଇବେ ସେପର୍ଯ୍ୟନ୍ତ ତାଙ୍କୁ କଂପାନୀ ପକ୍ଷରୁ ଗ୍ୟାସ୍ ସିଲିଣ୍ଡର ଡେଲିଭର କରାଯିବ ନାହିଁ । ତେବେ ସରକାରଙ୍କ ଏହି ନୂଆ ନିୟମକୁ ବର୍ତ୍ତମାନ ଦିଲ୍ଲୀର କିଛି ଅଂଚଳରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଆରମ୍ଭ କରିଦିଆଯାଇଛି ।

ନୂଆ ନିୟମ ଅନୁସାରେ ଏଲପିଜି ସିଲିଣ୍ଡର ବୁକ୍ କରିବା ପରେ ଏଜେନ୍ସି ସଂଚାଳକ ଦ୍ୱାରା ଗ୍ରାହକଙ୍କୁ ରସିଦ ପ୍ରିଂଟ କରିବା ସମୟରେ ଏକ ଓଟିପି ନମ୍ବର ଉପଭୋକ୍ତାଙ୍କ ରେଜିଷ୍ଟର ନମ୍ବରକୁ ଆସିବ । ଆଉ ଏହି ଓଟିପି ନମ୍ବରକୁ ଆପଣଙ୍କୁ ଡେଲିଭରୀ ବଏ ଆସିବା କ୍ଷଣି ସଂପୃକ୍ତ କଂପାନୀର ଆପ୍ଲିକେସନରେ ଏଂଟର କରିବାକୁ ହେବ । ଏହା ପରେ ହିଁ ଯାଇ ଆପଣଙ୍କୁ ଗ୍ୟାସ୍ ସିଲିଣ୍ଡର ଡେଲିଭର କରାଯିବ ।

ତେବେ ଉଜ୍ଜ୍ୱଳା ଯୋଜନା ଅଧିନରେ ମୋଦି ସରକାର ଦେଶର ଗରିବ ଲୋକଙ୍କ ପାଖରେ ଗ୍ୟାସ୍ ସିଲିଣ୍ଡର ପହଂଚାଉଛନ୍ତି । ଖାଲି ଗ୍ୟାସ ସିଲିଣ୍ଡର ନୁହେଁ ଏହା ଉପରେ ସବସିଡି ଟଙ୍କା ମଧ୍ୟ କେନ୍ଦ୍ର ସରକାର ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପଠାଉଛନ୍ତି । କିନ୍ତୁ ଏବେ ସିଲିଣ୍ଡରର ଉଭୟ ବୁକ୍ିଂ ଏବଂ ଡେଲିଭରି ସମୟରେ ହିତାଧିକାରୀଙ୍କୁ ଏଜେନ୍ସି ତରଫରୁ ପଠାଯାଇଥିବା ଏକ ଓଟିପି ଦେଖାବାକୁ ପଡିବ । ଯଦିଓ ସରକାରଙ୍କ ଏହି ନିୟମ କେବେଠାରୁ ଲାଗୁ ହେବ ସେନେଇ କୌଣସି ସ୍ପଷ୍ଟ ସୂଚନା ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ ତେବେ ଖୁବ୍ ଶୀଘ୍ର ହିଁ ଗ୍ୟାସ୍ ସିଲିଣ୍ଡରକୁ ନେଇ ନୂଆ ନିୟମ ଦେଶବ୍ୟାପୀ ଲାଗୁ କରିପାରନ୍ତି ମୋଦି ସରକାର ।